Odisha news

ପୂର୍ତବିଭାଗ ତୋରଣ କୁ ନେଇ ଅସନ୍ତୋଷ : ତ୍ରୁଟି ସଂଶୋଧନ ପାଇଁ ଜିଲାପାଳଙ୍କ ନିକଟରେ ଦାବି କଲେ ପୂର୍ବତନ ବିଧାୟକ

0

ଧର୍ମଶାଳା,୨୮ । ୫ : ଧର୍ମଶାଳା ବ୍ଲକ ଜାରକା ଶାନ୍ତି ବଜାର ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନାମଫଳକ ତୋରଣ ନିର୍ମାଣ କରାଯାଇଥିବା ବେଳେ ଏଥିରେ କେତେକ ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଛି । ଏହି ନବନିର୍ମିତ ନାମଫଳକ ତୋରଣରେ ଧର୍ମଶାଳା ଅଂଚଳର ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଏବଂ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଲାଙ୍ଗୁଡି ପୁଷ୍ପଗିରି ବିହାର ଏବଂ କାଏମା ହାତୀ ଗୁମ୍ଫା ସମ୍ପର୍କରେ ଉଲ୍ଲେଖ ହୋଇ ନଥିବା ନେଇ ଅଭିଯୋଗ ହୋଇଛି । ସେହିପରି ତୋରଣରେ ଧର୍ମଶାଳା ସିଏଚ୍ସି ବଦଳରେ ଧର୍ମଶାଳା ପିଏଚ୍ସି ଉଲ୍ଲେଖ କରାଯାଇଥିବାରୁ ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

ଏ ସମ୍ପର୍କରେ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏବଂ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣ କୁମାର ପଟ୍ଟନାୟକଙ୍କୁ ଗୁରୁବାର ସାକ୍ଷାତ କରି ଏ ନେଇ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜାରକା ଠାରୁ ୮ କି.ମି. ଦୂରରେ ମିର୍ଜାପୁର ପଞ୍ଚାୟତର ଲାଙ୍ଗୁଡିଠାରେ ପୃଥିବୀର ସର୍ବପୁରାତନ ବୌଦ୍ଧସ୍ତୁପ ପୁଷ୍ପଗିରି ବିହାର ସହିତ ବିରଳ ବୌଦ୍ଧ କିର୍ତ୍ତୀରାଜି ରହିଛି ।

ସେହିପରି ଜାରକାଠାରୁ ମାତ୍ର ୪ କି.ମି. ଦୂରରେ ବୌଦ୍ଧକିର୍ତ୍ତୀ ସମ୍ପନ୍ନ କାଏମା ପାହାଡ ରହିଥିବା ନେଇ ଶ୍ରୀ ଲାବଣ୍ୟ ଦାବିପତ୍ରରେ ଉଲ୍ଲେଖ କରିବା ସହିତ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ସେହିପରି ତୋରଣରେ ଧର୍ମଶାଳା ସିଏଚସି ବଦଳରେ ପିଏଚ୍ସି ଡାକ୍ତରଖାନା ଲେଖା ହୋଇଥିବା ନେଇ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲାପାଳ ଦାବିପତ୍ରକୁ ଗ୍ରହଣ କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପାଣିକୋଇଲି ସ୍ଥିତ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଶ୍ରୀ ଲାବଣ୍ୟ ପାଣିକୋଇଲି ସ୍ଥିତ କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ନେଇ ସାକ୍ଷାତ କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ । ଖୁବଶୀଘ୍ର ତ୍ରୁଟି ସଂଶୋଧନ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଲାବଣ୍ୟକୁ ପ୍ରିତିଶ୍ରୁତି ଦେଇଛନ୍ତି ।

Nalco

Leave A Reply