ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ନାଫ୍ରି ଗ୍ରାମ ଜଙ୍ଗଲରେ ପୁଣି ଏକ ହାତୀ ଶାବକର ମୃତଦେହକୁ ମଙ୍ଗଳବାର ବନବିଭାଗ ଠାବ କରିଛିି । ବନବିଭାଗର ଅଧିକାରୀ ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପରିଦର୍ଶନ କରି ତଦନ୍ତ କରିବା ପରେ ବ୍ୟବଚ୍ଛେଦ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ନାଫି୍ର ଗ୍ରାମବାସୀ ଜଙ୍ଗଲ ଭିତରେ ଏକ ହାତୀ ଛୁଆର ମୃତଦେହ ପଡିଥିବା ଦେଖି ବନବିଭାଗକୁ ତିନିଦିନ ତଳେ ଖବର ଦେଇଥିଲେ । ମାତ୍ର ମଙ୍ଗଳବାର ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆର ମୃତଦେହକୁ ଠାବ କରିଥିଲେ । ହାତୀଛୁଆ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଥିବାବେଳେ ଜଙ୍ଗଲ ଭିତରେ ହାତୀ ଗୋଷ୍ଠୀ ମଧ୍ୟରେ ଲଢେଇ ହେଇ ତାର ମୃତୁ୍ୟ ହୋଇଥିବା ଅନୁମାନ କରାଯାଉଛି । ହାତୀର ମୃତଦେହକୁ ବନବିଭାଗ ଜବତ କରି ବ୍ୟବଚ୍ଛେଦ କରାଇ ପୋତି ଦିଆଯାଇଥିବା ସୂଚନା ଦେଇଛନ୍ତି । ତେବେ ହାତୀ ମୃତୁ୍ୟ ପଛର କାରଣକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିବାବେଳେ ଡିଏଫଓ ସନ୍ତୋଷ ଯୋଶି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ଲକ୍ଷ୍ମୀଧର ବେହେରା ଓ ଡିଏଫଓ ଖଗେଶ୍ୱର ସେଠୀ ଉପସ୍ଥିରେ ଏସଟିଆର ପିୟୁଶ ସୋରେନ୍ ସହିତ ଡାକ୍ତରୀ ଦଳ ଶବବ୍ୟବଚ୍ଛେଦ କରିଛନ୍ତି । ରିପୋର୍ଟ ମିଳିଲା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ହାତୀଛୁଆଟିର ବୟସ ଦୁଇମାସରୁ ଉଦ୍ଧ୍ୱର୍ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଲଗାତାର ଦୁଇଟି ହାତୀଛୁଆ ମୃତୁ୍ୟ ହୋଇଥିବାବେଳେ ଏହାର ସଠିକ୍ କାରଣର ଖୋଲତାଡ କରିବା ପାଇଁ ପରିବେଶବିତ୍ ମାନେ ଦାବି କରିଛନ୍ତି ।
