ଭଞ୍ଜନଗର,୭/୭(ଆପ୍ର) ରାଜ୍ୟରେ ଏବେ ହାତୀ ମଡକ ଚାଲିଛି। ଗୋଟିଏ ପରେ ଗୋଟିଏ ସ୍ଥାନରୁ ଦନ୍ତାହାତୀର ଗଳିତ ମୃତ ଦେହ ଠାବ ହେଉଛି। ହାତୀ ମାରି ତସ୍କର ମାନେ ଦାନ୍ତ କାଟି ନେଇ ଫେରାର ହୋଇ ଯାଉଛନ୍ତି। ସେମାନଙ୍କ ଟେର ପାଉନି ଜଙ୍ଗଲ ବିଭାଗ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ମୁଜାଗଡ ସେକ୍ସନ ଗୁଣ୍ଡୁରିବାଡି ନିକଟ ବନ୍ଧାଗୋଛା ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ଏକ ଦନ୍ତାହାତୀର ଗଳିତ ମୃତ ଦେହ ଠାବ ହୋଇଛି। ହାତୀକୁ ଶୀକାର କରି ତାର ଦାନ୍ତ କାଟି ନେଇ ତସ୍କର ମାନେ ଫେରାର ହୋଇ ଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଦନ୍ତାହାତୀର ଗଳିତ ମୃତ ଦେହରୁ ର୍ଦୁଗନ୍ଧ ବାହାରିବା ପରେ ଆଖପାଖ ଅଞ୍ଚଳର ଲୋକମାନେ ଏସଂପର୍କରେ ଜାଣି ବନ ବିଭାଗ କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି। ଶୁକ୍ରବାର ଗଳିତ ଦନ୍ତାହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଡିଏଫ୍ଓ ସୁଦର୍ଶନ ବେହେରାଙ୍କ ସୂତ୍ରରୁ ଜଣାପଡିଛି। ରାଜ୍ୟରେ ଏବେ ଦନ୍ତାହାତୀ ଶିକାରୀମାନେ ସକ୍ରୀୟ ହୋଇ ବାରମ୍ୱାର ହାତୀ ଶୀକାର କରୁଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଏହାକୁ ସେଭଳି ଗୁରୁତ୍ଵ ଦେଉନଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି। ଏଭଳି ସ୍ଥିତି ଲାଗି ରହିଲେ ଖୁବ କମ୍ ଦିନରେ ରାଜ୍ୟରୁ ହାତୀ ବଂଶ ନିପାତ ହେବା କିଛି ବିଚିତ୍ର ନୁହଁ ।