Odisha news

ଦୁର୍ଗାପ୍ରସାଦରେ ଅଣ୍ଡିରା ହାତୀର ମୃତ୍ୟୁ

0

ଭଞ୍ଜନଗର :  ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ଦୁର୍ଗାପ୍ରସାଦରେ ଏକ ଅଣ୍ଡିରା ହାତୀର ମୃତ୍ୟୁ ଘଟିଛି । ମୃତ ହାତୀର ବୟସ ପାଖାପାଖି ୮ରୁ ୧୦ବର୍ଷ ହେବବୋଲି ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବାପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବବୋଲି ଡିଏଫଓ ଅଭୟ କୁମାର ଦଳାଇ ସୁଚନା ଦେଇଛନ୍ତି ।

ମିଳିଥିବା ସୁଚନାପ୍ରକାରେ ମୁଜାଗଡ ବନାଞ୍ଚଳର ରମ୍ଭା ସେକସନର ଦୁର୍ଗାପ୍ରସାଦ ନାଳ ନିକଟରେ ଏକ ଅଣ୍ଡିରା ହାତୀର ମୃତ୍ୟୁ ଘଟିଛି । ଏକ ୨୨ଜଣିଆ ହାତୀପଲ ଗତ କିଛି ଦିନ ଧରି ଦୁର୍ଗାପ୍ରସାଦ ଇଲାକାରେ ବିଚରଣ କରୁଥିବାବେଳେ ଏହି ହାତୀମାନଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ବନ କର୍ମଚାରୀମାନେ ଏବେ ଦୁର୍ଗାପ୍ରସାଦ ଇଲାକାରେ ରାତିସାରା ଡେରା ପକାଇ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

୩ ତାରିଖ ରାତିରେ ମଧ୍ୟ ବନ କର୍ମଚାରୀମାନେ ହାତୀମାନଙ୍କ ଗତିବିଧିକୁ ଲକ୍ଷ୍ୟ କରିବାକୁ ଏଠାରେ ଡେରା ପକାଇଥିଲେ । ତେବେ ହାତୀପଲ ବିଳିମ୍ବିତ ରାତିରେ ନାଳ ଅତିକ୍ରମ କରି ତଳ ଦୁର୍ଗାପ୍ରସାଦ ରାସ୍ତା ପାର କରି ଭିତିରି ବେଡିଗୋବା ଜଳଭଣ୍ଡାର ଇଲାକାକୁ ଚାଲିଯିବା ପରେ ବନ କର୍ମଚାରୀମାନେ ସେଠାରୁ ହଟିଥିଲେ । ଆଉ ସକାଳୁ ଦୁର୍ଗାପ୍ରସାଦ ନାଳର ଅପରପାଶ୍ୱର୍ରେ ଏକ ଅଣ୍ଡିରା ହାତୀର ମୃତ୍ୟୁ ଘଟିଥିବା ଜଣାପଡିବାପରେ ବନ ବିଭାଗ ତତ୍ପର ହୋଇ ଉଠିଥିଲା । ତେବେ ହାତୀଟି କୌଣସି ବିଷାକ୍ତ ଦ୍ରବ୍ୟ ଖାଇବାପରେ ପେଟରେ ଗ୍ୟାସ ହେବା କାରଣରୁ ଅକାଳରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ତେବେ ଶବ ବ୍ୟବଛଦ ରିପୋର୍ଟ ଆସିବାପରେ ହିଁ ମୃତ୍ୟରୁ କାରଣ ସ୍ପଷ୍ଟ ଜଣାପଡିବବୋଲି ଡିଏଫଓ ଦଳାଇ ସ୍ପଷ୍ଟ କରିଛନ୍ତି ।

Leave A Reply