Odisha news

୫ ରାଜ୍ୟରେ ନିର୍ବାଚନକୁ ନେଇ ବିଭିନ୍ନ ଦଳର ଗୋଟି ଚାଲାଣ

0

ଆସନ୍ତା ମାସରେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ କୁ ନେଇ ଦେଶରେ ରାଜନୀତି ହଠାତ ସକ୍ରିୟ ହେଇଯାଇଛି I ଅତୀତରେ ହେଇଯାଇଥିବା ଅନ୍ୟ ବିଧାନସଭା ନିର୍ବାଚନ ଠାରୁ, ଏହି ନିର୍ବାଚନ ମହଲ ଟିକେ ଅଲଗା I କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ନିର୍ବାଚନ I ଅନେକ ଙ୍କ ମତରେ, ଏହି ନିର୍ବାଚନରୁ ହିଁ ସଂକେତ ମିଳିଯିବ, ୨୦୨୪ ରେ ଦିଲ୍ଲୀ ସିଂହାସନ ରେ ବସିବ କିଏ ବା କେଉଁ ଦଳ କେନ୍ଦ୍ରରେ ସରକାର ଗଢ଼ିବ I ଏହି ଯୁକ୍ତି ସପକ୍ଷରେ ଯୁକ୍ତି ବଢୁଥିବା ରାଜନୀତି ସମୀକ୍ଷକ ମାନଙ୍କ ଯୁକ୍ତିର  ଆଧାର କଣ, ସେ କଥା ଆଲୋଚନା ସାପେକ୍ଷ I  ଯଦି ଆମେ ରାଜସ୍ଥାନ କଥା ଦେଖିବା, ୨୦୧୮ ବିଧାନସଭା ନିର୍ବାଚନ ରେ କଂଗ୍ରେସ ୧୦୦ ଟି ଆସନରେ ବିଜୟୀ ହେଇଥିବା ବେଳେ ବିଜେପି ୭୩ ଟି ଆସନରେ ଏବଂ ଅନ୍ୟ ୨୭ ଟି ଆସନ ସ୍ୱାଧୀନ ଏବଂ ଅନ୍ୟ ଦଳକୁ ଯାଇଥିଲା I କଂଗ୍ରେସ ର ଭୋଟ ହାର ୩୯.୩୦ ପ୍ରତିଶତ ଥିବାବେଳେ ବିଜେପି ର ୩୮.୦୮ ପ୍ରତିଶତ ଥିଲା I

କିନ୍ତୁ ବିଧାନସଭା ନିର୍ବାଚନର ମାତ୍ର ୫/୬ ମାସ ପରେ ହେଇଥିବା ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୨୪ ଟି ଏବଂ ଏହାର ସହଯୋଗୀ ଗୋଟିଏ ଆସନରେ ଜିତିଥିଲେ ବେଳେ, କଂଗେସ ଓ ୟୁ ପି ଏ ମୂଳପୋଛ ହେଇଯାଇଥିଲା I ଲୋକସଭା ନିର୍ବାଚନ ରେ ବିଜେପି ଭୋଟ ହାର ୫୯.୦୭ ପ୍ରତିଶତ ଥିବାବେଳେ କଂଗ୍ରେସ ର ଭୋଟ ହାର ୩୪.୫୯ ପ୍ରତିଶତ ଥିଲା I ସେହିପରି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ କଥା ଯଦି ଦେଖିବା, ୨୦୧୮ ବିଧାନସଭା ରେ କଂଗ୍ରେସ ୪୦.୮୯ ପ୍ରତିଶତ ଭୋଟ ସହିତ ୧୧୪ ଟି ଆସନରେ ବିଜୟୀ ହେଇଥିଲା ଏବଂ ବିଜେପି ୪୧.୦୨ ପ୍ରତିଶତ ଭୋଟ ସହିତ ୧୦୯ ଟି ଆସନରେ ବିଜୟୀ ହେଇଥିଲା I ଯଦିଓ ପରବର୍ତୀ ଅବସ୍ଥାରେ ବିଜେପି ସେଠାରେ ମନ୍ତ୍ରୀ ମଣ୍ଡଳ ଗଠନ କଲା I କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ରେ ବିଜେପି ୨୮ ଟି ଆସନରେ ବିଜୟୀ ହେଇଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହେଇଥିଲା I ଲୋକସଭା ନିର୍ବାଚନରେ କଂଗ୍ରେସ ଭୋଟ ହାର ୩୪.୫ ପ୍ରତିଶତ ଥିବା ବେଳେ ବିଜେପି/ଏନ ଡି ଏ ଭୋଟ ହାର ୫୮ ପ୍ରତିଶତ ଥିଲା I ସେହିପରି ଛତିଶଗଡ଼ରେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ/ୟୁ ପି ଏ ୬୮ ଆସନରେ ବିଜୟୀ ହେଇଥିବା ବେଳେ ବିଜେପି/ଏନ ଡି ଏ ମାତ୍ର ୧୫ ଟି ଆସନରେ ବିଜୟୀ ହେଇଥିଲା I

ଭୋଟ ହାର କଂଗ୍ରେସ ର ୪୩ ପ୍ରତିଶତ ଥିବାବେଳେ ବିଜେପି ର ୩୩ ପ୍ରତିଶତ ଥିଲା I ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ/ୟୁ ପି ଏ ମାତ୍ର ୨ଟି ଆସନରେ ବିଜୟୀ ହେଇଥିବା ବେଳେ ବିଜେପି/ଏନ ଡି ଏ ୯ ଟି ଆସନରେ ବିଜୟୀ ହେଇଥିଲେ I ଏହି ନିର୍ବାଚନରେ ବିଜେପି ର ଭୋଟ ହାର ୫୦.୭ ପ୍ରତିଶତ ଥିବାବେଳେ କଂଗ୍ରେସ ର ଭୋଟ ହାର ୪୦.୯୧ ପ୍ରତିଶତ ଥିଲା I ବିଧାନସଭା ନିର୍ବାଚନ ହେବାକୁଥିବା ଅନ୍ୟ ଦୁଇଟି ରାଜ୍ୟରେ ଆଞ୍ଚଳିକ ଦଳ ଶାସନ କରୁଛନ୍ତି I ତେଲେଙ୍ଗାନା ରେ ଟିଆରଏସ ୮୮ ଟି ଆସନ ପାଇଁ ପୁଣିଥରେ ଶାସନ କ୍ଷମତାକୁ ଆସିଥିଲା ଏବଂ ଏହାର ଭୋଟ ହାର ଥିଲା ୪୬.୯ ପ୍ରତିଶତ I କଂଗ୍ରେସ ମାତ୍ର ୨୮.୪ ପ୍ରତିଶତ ଭୋଟ ସହିତ ୧୯ ଟି ଆସନରେ ଜିତିଥିଲା I ବିଜେପି ୬.୯୮ ପ୍ରତିଶତ ଭୋଟ ପାଇଥିଲା ଏବଂ ମାତ୍ର ଗୋଟିଏ ଆସନରେ ବିଜୟୀ ହେଇଥିଲା I ତେଲେଙ୍ଗାନାରେ ସାଧାରଣ ନିର୍ବାଚନରେ ଟିଆରଏସ ୯ ଟି, ବିଜେପି ୪ଟି, କଂଗ୍ରେସ ୩ ଟି ଏବଂ ଏ ଆଇ ଏମ ଆଇ ଏମ ଗୋଟିଏ ଆସନ ପାଇଥିଲା I ବିଜେପି ବିଧାନସଭା ନିର୍ବାଚନ ତୁଳନାରେ ଏହାର ଭୋଟ ହାର ଯଥେଷ୍ଟ ବଢ଼ାଇ ପାରିଥିଲା I ବିଧାନସଭାରେ ଏହା ୬.୯୮ ପ୍ରତିଶତ ଭୋଟ ପାଇଥିବା ବେଳେ ଲୋକସଭା ନିର୍ବାଚନରେ ୧୯.୬୫ ପ୍ରତିଶତ ଭୋଟ ପାଇଥିଲା I ମିଜୋରାମ ରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ( ଏନ ଡି ଏ ର ସହଯୋଗୀ) ୨୬ ଟି ଆସନରେ, କଂଗ୍ରେସ ୫ ଟି ଆସନରେ ଏବଂ ଜୋରାମ ପିପୁଲସ ମୁଭମେଣ୍ଟ ୮ ଟି ଆସନରେ ବିଜୟୀ ହେଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହେଇଥିଲା I ଏହାର ଗୋଟିଏ ଲୋକସଭା ଆସନ ମଧ୍ୟ ମିଜୋ ନ୍ୟାସନାଲ ଫ୍ରଣ୍ଟ ସପକ୍ଷରେ ଯାଇଥିଲା I

ଏହି ଡାଟା ବା ତଥ୍ୟକୁ ଅନୁଧ୍ୟାନ କଲେ, ଏହା ସ୍ପଷ୍ଟ ଯେ’ ମଧ୍ୟ ପ୍ରଦେଶ, ରାଜସ୍ତାନ ଓ ଛତିଶଗଡ଼ ର ଭୋଟଦାତା କେନ୍ଦ୍ର ପାଇଁ ଏନ ଡି ଏ /ବିଜେପି କୁ ପସନ୍ଦ କରିଥିବା ବେଳେ ରାଜ୍ୟରେ କଂଗ୍ରେସକୁ I ସେହିପରି ତେଲେଙ୍ଗାନା ରେ ମଧ୍ୟ ଲୋକସଭା ରେ ବିଜେପି ର ଭୋଟ ହାର ବଢିଥିଲା I ଏହାର ଅର୍ଥ, ଏହି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ ବା ବିରୋଧୀ ଦଳ ସପକ୍ଷରେ ଆସିଥିଲେ ମଧ୍ୟ ଆମେ ଏହା କେନ୍ଦ୍ର ପାଇଁ ବା ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେଇ ନାହିଁ I ତେଣୁ ଆଗାମୀ ସାଧାରଣ ନିର୍ବାଚନ ରେ ମଧ୍ୟ ସମାନ କଥା ଦେଖିବାକୁ ମିଳିବ ବୋଲି ଯୁକ୍ତି କର ଯାଇପାରେ I କିନ୍ତୁ ଏଥର ର ପୃଷ୍ଠଭୂମି ଓ ପରିବେଶ ବଦଳିଛି I ତେଣୁ ହୁଏତ ଏ ଥରର ରାଜନୀତିରେ କିଛିଟା ଭିନ୍ନତା ଆସିପାରେ I କାରଣ ବିରୋଧୀଦଳ ଗୋଟିଏ ମେଣ୍ଟ କରିଛନ୍ତି ଏବଂ ଇ-ଣ୍ଡି-ଆ ମେଣ୍ଟରେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛନ୍ତି I ଅନ୍ୟ ଏକ ଗୁରୁତ୍ୱପୂର୍ଣ କଥାହେଲା, ରାହୁଲ ଗାନ୍ଧୀ ଙ୍କ ଭାରତ ଜୋଡୋ ଯାତ୍ରା ପରେ କଂଗ୍ରେସ ର ଗୁରୁତ୍ୱ ଦେଶରେ ବଢିଛି I ୨୦୨୪  ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ବନାମ ଇ-ଣ୍ଡି-ଆ ବ୍ଲକ ମଧ୍ୟରେ ଲଢେଇ ଜୋରଦାର ହେବା ନେଇ ଆଶା କରାଯାଉଛି I

ମତଦାନକୁ ଯାଉଥିବା ତିନୋଟି ରାଜ୍ୟ – ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମରେ କ୍ଷମତାକୁ ଆସିବାକୁ ଚାହୁଁଥିବା ବେଳେ କଂଗ୍ରେସ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଛି । ଯଦିଓ ଗତ ନିର୍ବାଚନର ତଥ୍ୟ କହୁଛି, ଏହି ବିଧାନସଭା ନିର୍ବାଚନ ଫଳାଫଳ ର ପ୍ରଭାବ ସାଧାରଣ ନିର୍ବାଚନରେ ପଡିବ ନାହିଁ, କିନ୍ତୁ କେତେକ ରାଜନୈତିକ ସମୀକ୍ଷକ ଙ୍କ ମତ ଏହା ନିଶ୍ଚୟ ସାଧାରଣ ନିର୍ବାଚନ କୁ ପ୍ରଭାବିତ କରିବ I ଫଳାଫଳ ଯାହା ହେଉନା କାହିଁକି, ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୪ ରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସପକ୍ଷରେ କିମ୍ବା ବିପକ୍ଷରେ ମନୋବଳକୁ ପ୍ରଭାବିତ କରିବାକୁ ବାଧ୍ୟ I ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ନିର୍ବାଚନ ର ଫଳାଫଳ ବିଜେପି ବିପକ୍ଷରେ ଯାଇଥିବା ବେଳେ, ଆଗାମୀ ୫ଟି ରାଜ୍ୟର ନିର୍ବାଚନ ରେ ବିଜେପି ଭଲ ଫଳାଫଳ କରିବା ଉଚିତ ନଚେତ ଏହା ସାଧାରଣ ନିର୍ବାଚନ ରେ ବିଜେପି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ I  ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଲୋକପ୍ରିୟ ର ଶୀର୍ଷରେ ଅଛନ୍ତି I  କିନ୍ତୁ ବିରୋଧୀ ଦଳ ଯଦି ଏକାଠି ହେବେ ଏବଂ ସେମାନେ ଉଠାଉଥିବା ପ୍ରସଙ୍ଗ ଗୁଡିକ ଲୋକଙ୍କୁ ପ୍ରଭାବିତ କରିବ, ତାହେଲେ ସରକାରୀ ଦଳ ପାଇଁ ବିରୋଧୀ ଦଳ କଡା ଚ୍ୟାଲେଞ୍ଜ ଦେଇ ପାରନ୍ତି I କାରଣ ଗତ ସାଧାରଣ ନିର୍ବାଚନ ର ବିରୋଧୀ ଆଭିମୁଖ୍ୟ ଏବଂ ଏଥରର ଆଭିମୁଖ୍ୟ ରେ ଯଥେଷ୍ଟ ପାର୍ଥକ୍ୟ ରହିଛି I କଂଗ୍ରେସ ମଧ୍ୟ ଏହାର ରଣକୌଶଳ ରେ ପରିବର୍ତନ ଆଣିଛି ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ନିର୍ବାଚନରେ I

Leave A Reply