Odisha news

ଦାରିଦ୍ର୍ୟ ମୁକ୍ତ ଭାରତର ସ୍ୱପ୍ନ

0

ହିମାଂଶୁ ଶେଖର ଆଚାର୍ଯ୍ୟ  : ଭାରତ ଭଳି ବିକାଶମୁଖୀ ଦେଶ ମାନଙ୍କରେ ଦେଖାଦେଇଥିବା ଗଣ ଦାରିଦ୍ର୍ୟ କାରଣ ସମ୍ପର୍କରେ ବୁଝାଇବାକୁ ଯାଇ ଅର୍ଥଶାସ୍ତ୍ରୀ ରାଗ୍ନର ନରକ୍ସେ କହିଛନ୍ତି- ‘ଗୋଟିଏ ଦେଶ ଗରିବ କାରଣ ତାହା ଗରିବ’ । ଅନ୍ୟଅର୍ଥରେ କହିଲେ ଗୋଟିଏ ଦେଶର ଦାରିଦ୍ର୍ୟର କାରଣ ହେଉଛି ସେ ଦେଶର ଦାରିଦ୍ର୍ୟ । ଏଦୃଷ୍ଟିରୁ ବିଚାର କଲେ ଦେଶର ଦାରିଦ୍ର୍ୟର କାରଣ ବହୁବିଧ । ଉଭୟ ଚାହିଦା ଓ ଯୋଗାଣ ପାଶ୍ୱର୍ରେ ସ୍ୱଳ୍ପ ମୁଣ୍ଡ ପିଛା ଆୟ, ସ୍ୱଳ୍ପ ଚାହିଦା , ସ୍ୱଳ୍ପ ସଂଚୟ, ସ୍ୱଳ୍ପ ନିବେଶ ଦାରିଦ୍ର୍ୟର କରାଳଚକ୍ର ସୃଷ୍ଟି କରୁଛି । ଏଥିପାଇଁ ସ୍ୱଳ୍ପ ଉତ୍ପାଦନ ସହିତ ମୁଣ୍ଡ ପିଛାଆୟ ହ୍ରାସ ପାଉଛି । ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ଆମ ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ସଂଖ୍ୟା ୧୯୯୩-୯୪ ମୋଟ ଜନ ସଂଖ୍ୟାର ୪୫.୩ ପ୍ରତିଶତ ଥିଲା, ଯାହା କି ୨୦୦୪-୦୫ ବେଳକୁ ୩୭.୨ ପ୍ରତିଶତକୁ ହ୍ରାସ ପାଇଥିଲା । ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଅନୁପାତ ସେହି ସମୟ ମଧ୍ୟରେ ୫୦.୧ପ୍ରତିଶରୁ ୪୧.୮ ପ୍ରତିଶତକୁ ହ୍ରାସ ପାଇଥିଲା । ସହରାଞ୍ଚଳରେ ଏହି ଅନୁପାତ ୧୯୯୩-୯୪ ରୁ ୩୧.୮ ପ୍ରତିଶତକୁ ୨୦୦୪-୦୫ରେ ୨୫.୭ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୧୧-୧୨ ବେଳକୁ ଦେଶର ମୋଟ ଦାରିଦ୍ର୍ୟ ହାର ୨୧.୯ ପ୍ରତିଶତକୁ ହ୍ରାସ ପାଇଥିଲା । ସଂଖ୍ୟାନୁସାରେ ଏହି ସମୟରେ ଦ୍ରାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୪୧ କୋଟିରୁ ୨୭ କୋଟିକୁ ହ୍ରାସ ପାଇଥିଲା । ତେବେ ଏହି ତଥ୍ୟ ସୁରେଶ ତେନ୍ଦୁଲକର କମିଟି ଆଧାରରେ ଦିଆଯାଇଛି । କିନ୍ତୁ ଶ୍ରୀ ରଙ୍ଗ ରାଜନଙ୍କ କମିଟି ରିପୋର୍ଟରେ ଦେଶର ଦାରିଦ୍ର୍ୟ ହାର ୨୯.୬ ପ୍ରତିଶତ ବୋଲି କଳନା କରାଯାଇଛି ।

ପରିସଂଖ୍ୟାନରୁ ଜଣାଯାଏ, ସାରା ବିଶ୍ୱରେ ଏବେବି ୧.୩ ବିଲିୟନ ବା ୨୨ ପ୍ରତିଶତ ଲୋକ ଚରମ ଦାରିଦ୍ର୍ୟରେ ରହିଛନ୍ତି । ଚରମ ଦାରିଦ୍ର୍ୟ ରହିଥିବା ଦେଶ ମଧ୍ୟରେ ନାଇଜେରିଆରେ ୮୬.୯ ପ୍ରତିଶତ, କଙ୍ଗୋରେ ୬୦.୯ ପ୍ରତିଶତ ଲୋକ ଉକôଟ ଦାରିଦ୍ର୍ୟରେ ରହିଥିବାର ଜଣାଯାଏ । ସେହିପରି କମ୍ ଦାରିଦ୍ର୍ୟ ଥିବା ଦେଶ ମାନଙ୍କ ମଧ୍ୟରେ କତାର, ମକାଓ, ସିଙ୍ଗାପୁର ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶମାନେ ରହିଛନ୍ତି । ସେହିପରି ମୋଟ ଜାତୀୟ ଉତ୍ପାଦକୁ ହିସାବକୁ ନେଲେ ଆମ ଦେଶ ଭାରତର ସ୍ଥାନ ୧୨୪ ରେ ରହିଛି । ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ । ଶିଳ୍ପ ଜଗତ କୋମାରେ । କୃଷି କ୍ଷେତ୍ରରେ ଅଗ୍ରଗତି ସନ୍ତୋଷ ଜନକ ନୁହେଁ । ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ ସ୍ଥାଣୁତା । ଫଳରେ ବିଶ୍ୱ ସମେତ ଆମ ଦେଶରେ ନିଯୁକ୍ତି କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇଛି । ଏଥିପାଇଁ ଦାରିଦ୍ର୍ୟ ହାର ମଧ୍ୟ ବଢିଛି ।

ଗରିବ ହଟାଅ ଆମ ଜାତୀୟ ସ୍ଲୋଗାନ ହୋଇଥିଲେ ମଧ୍ୟ ଦାରିଦ୍ର୍ୟ ଭାରତ ପାଇଁ ଏକ ଆହ୍ୱାନ ହୋଇରହିଛି । ଏହା ନିଶ୍ଚିତ ପରିତାପର ବିଷୟ । ଏପରିକି ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରେବି ଏ କ୍ଷେତ୍ରରେ ଆମର ଅଗ୍ରଗତି ସନ୍ତୋଷ ଜନକ ହୋଇପାରିନାହିଁ । ଜନସଂଖ୍ୟା ବୃଦ୍ଧି ଏହାର ଏକ ପ୍ରମୁଖ କାରଣ । କୁହାଯାଏ, ବିକାଶ ପ୍ରକ୍ରିୟାରେ ମାନବ ସମ୍ବଳ ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ ଭାରତରେ ଜନସଖ୍ୟା ବୃଦ୍ଧ ଆମ ପ୍ରଗତି ପଥରେ ପ୍ରଧାନ ପ୍ରତିବନ୍ଧକ ଭାବେ ଉଭାହୋଇଛି । ଫଳରେ ଭାରତରେ ଯେତେ ସାମାଜିକ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି ହେଉଛି ତାର ମୂଳରେ ରହିଛି ଏହି ଜନସଂଖ୍ୟା ବିସ୍ପୋରଣ । ଇତିମଧ୍ୟରେ ଭାରତର ଜାତୀୟ ଆୟ ୭ ଗୁଣ ଆୟ ବୃଦ୍ଧି ପାଇଥିବା ବେଳେ ମୁଣ୍ଡପିଛା ଆୟ ମାତ୍ର ୩ଗୁଣ ବୃଦ୍ଧି ପାଇଛି । ଅର୍ଥ ଶାସ୍ତ୍ରୀ ମାଲଥସ୍ଙ୍କ ମତରେ ଏକ ଜନବହୁଳ ରାଷ୍ଟ୍ରରେ ଖାଦ୍ୟ ଯୋଗାଣ ଅପେକ୍ଷା ଜନସଂଖ୍ୟାର ବୃଦ୍ଧି ଅଧିକା ହୋଇଥାଏ । ଏହା ଉକôଟ ଖାଦ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏଥି ସହିତ ଶ୍ରମଶକ୍ତିର ଯୋଗାଣ ଚାହିଦାଠାରୁ ଅଧିକା ହେଲେ ବେକାରୀ ସୃଷ୍ଟି ହୁଏ । ବେକାରୀ ସମସ୍ୟା ଭାରତୀୟ ଅର୍ଥନୀତିର ଚିର ସହଚର ହୋଇରହିଛି । ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଉପଭୋଗ ଖର୍ଚ୍ଚ ବଢାଇଥାଏ । ଫଳରେ ସଞ୍ଚୟ କମିଯାଏ ଓ ପୁଞ୍ଜିଗଠନ ହ୍ରାସପାଏ ।

ପ୍ରାୟ ୬୦ପ୍ରତିଶତ ଭାରତର କୃଷି ଉପରେ ନିର୍ଭରଶୀଳ । ନିମ୍ନ କୃଷି ଉତ୍ପାଦନଶୀଳତା ଗ୍ରାମାଞ୍ଚଳ ଦାରିଦ୍ରାତାର ମୁଖ୍ୟ କାରଣ । ତେଣୁ କୃଷିର ଦ୍ରୁତ ବିକାଶ ପାଇଁ ବିଭିନ୍ନ ପଦକ୍ଷପ ନେବା ଆବଶ୍ୟକ ଫଳରେ ଏହା ଗ୍ରାମାଞ୍ଚଳ ଆୟ ବୃଦ୍ଧି କରି ଦାରିଦ୍ର୍ୟ ଦୂର କରିବାର ସହାୟକ ହୋଇପାରିବ । ଏଥି ସହିତ କୃଷି ଓ ଶିଳ୍ପ ପରସ୍ପର ନିର୍ଭରଶୀଳ । ଯେ କୋଣସି ଗୋଟିକର ବିକାଶ, ଅନ୍ୟଟିର ବିକାଶ ପାଇଁ ପଥ ପରିଷ୍କାର କରିଥାଏ । ସେହିପରି କୃଷି ଭିତ୍ତିକ ଶିଳ୍ପର ବିକାଶ ହେଲେ ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇ ଦାରିଦ୍ର୍ୟ ହଟାଇପାରିବ । ଏଥିସହିତ ଯୁକ୍ତିଯୁକ୍ତ ଉତ୍ପାଦନ କୈାଶଳ ରାଷ୍ଟ୍ରରୁ ବୋକାରୀ ଦୂର କରିବା ପାଇଁ ସହାୟକ ପ୍ରଦାନ କରେ ।

ଉତ୍ପାଦନ କୈାଶଳ ଦୁଇ ପ୍ରକାର: ଯଥା ଶ୍ରମ ପ୍ରଦାନ କୈାଶଳ ଓ ପୁଞ୍ଜି ପ୍ରଦାନ କୈାଶଳ । ଭାରତଭଳି ଜନବହୁଳ ଦେଶରେ ଶ୍ରମପ୍ରଦାନ କୈାଶଳକୁ ବ୍ୟବହାର କରିବା ଉଚିତ କାରଣ ଦାରିଦ୍ର୍ୟ ନିରାକାରଣ ପାଇଁ ଗଣନିଯୁକ୍ତିର ଯଥେଷ୍ଟ ଆବଶ୍ୟକତା ରହିଛି ।ତ୍ତଏତଦ୍ବ୍ୟତୀତ ଆଉକେତେକ ପଦକ୍ଷପ ନେବା ଜରୁରୀ ମନେହୁଏ । ସେଗୁଡିକ ହେଲା – (କ) ନିମ୍ନ ଆୟକାରୀ ଗୋଷ୍ଠୀ ଦ୍ୱାରା ବ୍ୟବହୃତ ଦ୍ରବ୍ୟ ଉପରେ ସରକାର କମ୍ ଟିକସ ବସାଇବା ଆବଶ୍ୟକ । ଏହା ସେମାନଙ୍କର ଉପଭୋଗ କ୍ଷମତା ବୃଦ୍ଧି କରିପାରିବା ଏବଂ ସେମାନଙ୍କୁ ଦାରିଦ୍ର୍ୟର ସୀମାରେଖା ଉପରକୁ ଆଣିପାରିବ (ଖ) ଦରିଦ୍ର ମାନଙ୍କୁ ସରାକାରୀ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଅତ୍ୟାବଶ୍ୟକ ଦ୍ରବ୍ୟ ରାହାତି ମୂଲ୍ୟରେ ଯୋଗାଇଦେବା ଉଚିତ୍ (ଗ) ଆଇନ୍ ଦ୍ୱାରା ସରକାର ସମସ୍ତଙ୍କ ପାଇଁ ନ୍ୟାୟୋଚିତ ମଜୁରୀ ବ୍ୟବସ୍ଥା କରିବା ଉଚିତ୍ (ଘ) ଦରିଦ୍ରମାନଙ୍କୁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଯୋଗାଇଦେବା ଉଚିତ୍ (ଙ) ପ୍ରତ୍ୟେକ ଦରିଦ୍ର ପରିବାରର ଅତିକମ୍ରେ ଜଣକୁ ନିଯୁକ୍ତି ଦେବା ଜରୁରୀ ।

ଦାରିଦ୍ର୍ୟ ଉଭୟ ସମାଜ ଓ ଅର୍ଥବ୍ୟବସ୍ଥା ପାଇଁ ଏକ ଅଭିଶାପ । ଏହା ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଥାଏ । ବିଶ୍ୱସ୍ତରରୁ ଆରମ୍ଭ କରି ଆମ ଦେଶ ତଥା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ ଯୋଜନା କରାଯାଇଛି ଓ କରାଯାଉଛି ମଧ୍ୟ । କିନ୍ତୁ ସେଗୁଡିକର ସଫଳତା ଉସôାହଜନକ ନୁହେଁ । ତେଣୁ ଦାରିଦ୍ର୍ୟର ଆଶୁ ନିରାକରଣ ପାଇଁ ଅଧିକ ନିବେଶ , କୃଷିର ବିକାଶ, ଯୁକ୍ତିଯୁକ୍ତ ଉତ୍ପାଦନ କୈାଶଳ, ଦରଦାମର ସ୍ଥିରତା, ଅସମାନତା ହ୍ରାସ, ଜନସଂଖ୍ୟା ନିୟନ୍ତ୍ରଣ ଓ ସର୍ବୋପରି କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଉଚିତ । ତାହାନହଲେ ଏକ ଦାରିଦ୍ର୍ୟମୁକ୍ତ ଭାରତବର୍ଷର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ !

Leave A Reply