ଇଂ. ବିଦ୍ୟାଧର ପଣ୍ଡା : ଗପଟିକୁ ଅଳ୍ପ ବହୁତେ ସମସ୍ତେ ଜାଣିଥିବେ । ହେଲେ ଏମିତି ବହୁ ଘଟଣା ନିତିଦିନ ଆମ ସମାଜରେ ଘଟିଆସୁଛି, ଘଟୁଛି ଏବଂ ଆଉରି ଆଗକୁ ଅନେକ ସଂଖ୍ୟାରେ ଘଟିବାର ସମ୍ଭାବନା ମଧ୍ୟ ଅଛି ।
କିନ୍ତୁ ନିକଟ ଅତୀତରେ ଏଇ ଅଧମ ସ୍ତମ୍ବକାର ସାମ୍ନାରେ ଏମିତି ଏକ ଦୁଃଖଦ ମର୍ମସ୍ପର୍ଶୀ ହୃଦୟବିଦାରକ ଘଟଣା ଘଟିଗଲା ଯାହାକୁ ପଢିଲେ ଜାଣିବେ କି ଆଜିକାଲି ମଣିଷ ତ ପୃଥିବୀରେ ସାତଶହ କୋଟି ପାଖାପାଖି ଅଛନ୍ତି ହେଲେ ଆଉ କାହାପାଖରେ ବୋଧହୁଏ ମଣିଷ ପଣିଆ ବୋଲି କିଛି ନାହିଁ । ଯେଉଁମାନଙ୍କୁ ଆମେ ଅମୃତର ସନ୍ତାନ ବୋଲି ଭାବୁଥିଲେ ସେମାନେ ବି ଆଜି କିଛି କୁଚକ୍ରୀ ଲୋକଙ୍କର ବିଷବଳୟ ପ୍ରରୋଚନା ଭିତରକୁ ପଶି ରାକ୍ଷସ ହେବାକୁ ବସିଲେଣି । ଅମାନୁଷିକ ଅତ୍ୟାଚାର କରିବାକୁ ତିଳେହେଲେ ତା’ଙ୍କ ମନରେ ଦୟାଧର୍ମର ଭାବ ଦେଖିବାକୁ ମିଳୁନାହିଁ । ମୁଁ କେବଳ ଏକ ନିଚ୍ଛକ ସତ୍ୟ ଘଟଣାଟିକୁ ଏଠି ମୋର ବିଦଗ୍ଧ ପାଠକମାନଙ୍କୁ ପରୋଷି ସମୀକ୍ଷା କରିବାକୁ ଛୋଟିଆ ଅନୁରୋଧଟିଏ ରଖିବି ।
ରାଜସ୍ଥାନର ନିପଟ ମଫସଲ ଗାଁର ଜୟ ଭଗବାନ ଜଣେ ଗରିବ ବୁଢାଲୋକ । ବୟସ ସତୁରି ହେଲେ କ’ଣ ହେବ ଏବେ ବଡଝିଅ ଚଉଦ ବର୍ଷରେ ଗୃହଯୋଗ୍ୟା ହେଲା । ଝିଅଟିକୁ ବାହାଦେବାକୁ ହେଲେ ଲକ୍ଷଟଙ୍କା ଦରକାର । କୋଉଠୁ ଆଣିବ! ବଡଝିଅ ପଛକୁପଛ ଆଉ ଦୁଇଟା ବି ଗୌରୀ ଓ ରୋହିଣୀ ଅବସ୍ଥାରେ ବଢୁଛନ୍ତି । ଅଳ୍ପଦିନ ପରେ କନ୍ୟା ହେଲେ ତା’ଙ୍କ ପାଇଁ ବି ବିବାହ ଖର୍ଚ୍ଚ ଏହି ବୁଢାବାପକୁ ହିଁ ଉଠାଇବାକୁ ହେବ । ଜଣଙ୍କ ପାଇଁ ଘରଡିହ ବିକିବାକି ହାତକୁ ଦି’ହାତ କରିଦେଲେ ସମସ୍ୟାର ସମାଧାନ ହେବନି । ଏବେ ମନକୁମନ ଭାବୁଛି କାହିଁକି ବୁଢାଦିନେ ସିଏ ବାହା ହେଲା? ବାହା ହେବାରୁ ସିନା ଏପରି ଜଞ୍ଜାଳରେ ଦହଗଞ୍ଜ ହେଉଛି! ଜୟ ଭଗବାନର ମା’ ଛୁଆବେଳେ ମରିଗଲା ବୋଲି ତା’ର ବାଲ୍ୟବିବାହ ହୋଇ ପାରଲାନି ।
ରାଜସ୍ଥାନର ସେହି ଅଁଚଳରେ ଯଦି ବାଲ୍ୟବିବାହ ନକରି କିଏ ପୁଅ ବା ଝିଅ ରହିଗଲେ, ଅର୍ଥାତ୍ ବାରବର୍ଷ ଡେଇଁଗଲା ତେବେ ଆଉ ବାଡୁଅପାଣି ଗାଧୋଇବା ସଂଯୋଗ ପ୍ରାୟ ଭବିଷ୍ୟତ ଜୀବନରେ ଜୁଟେନି । ଜୟ ଭଗବାନର ନାଁ ଭଲ ସିନା କିନ୍ତୁ କପାଳରେ ଖାଲି ପରାଜୟର କାହାଣୀ ସହ ଘାତଚନ୍ଦ୍ର ଯୋଗ ଲେଖା ଅଛି । କେଉଁ ଜନ୍ମର ଫଳ କେଜାଣି, ତା’କୁ ଭୋଗିବାକୁ ତ ପଡିବ ।
ତା’କୁ ଯେତେବେଳେ ଏକାବନ ବର୍ଷ ସେତେବେଳେ ଅଠର ବର୍ଷିୟ ଯୁବତୀ ଜଣେ ତା’ଙ୍କ ଗାଁରେ ବିଧବା ହେଲା । ସେହି ଯୁବତୀକୁ ତା’ର ସ୍ୱାମୀନିଆଁରେ ପୋଡି ମାରି ସତି କରିବାକୁ ଗାଁ ଲୋକ ଜବରଦସ୍ତି ନେଇ ଯାଉଥିବାବେଳେ ଜୟ ଭଗବାନ ସମସ୍ତଙ୍କ ଗୋଡତଳେ ପଡି ନେହୁରା ହୋଇ କହିଲା, “ଆପଣଙ୍କ ଆଜ୍ଞା ହେଲେ ମୁଁ ଏହି ବିଧବାକନ୍ୟାକୁ ବିବାହ କରିବି । ମୁଁ ଏବେ ଏକାଏକା ରହିପାରୁନି । ଭାବୁଛି ଆତ୍ମହତ୍ୟା କରିଦେବି । ଆପଣ ଯଦି ଏହି ସତିକନ୍ୟାକୁ ତା’ସ୍ୱାମୀ ଜୁଇରେ ନଜଳେଇ ମୋ’ସହିତ ବିବାହର ଆଜ୍ଞା ଦେଇ ଦୟା କରନ୍ତେ ତେବେ ମୁଁ ଆପଣମାନଙ୍କ ନିକଟରେ ଚିର କୃତଜ୍ଞ ରୁହନ୍ତି ।” ଜୟ ଭଗବାନର କଥାରେ ପଂଚପରମେଶ୍ୱରଙ୍କ ହୃଦୟ ତରଳିଗଲା । ସମସ୍ତେ ରାଜି ହୋଇ ସେ କନ୍ୟାକୁ ଜୟ ଭଗବାନ ହାତରେ ଛାଡିଦେଲେ । ଦୁଇ ତିନି ବର୍ଷରେ ପିଲାପିଚିକା ନହେବାରୁ ବୈଦକୁ ଦେଖେଇଲେ ।
ବୈଦ ଦେଖି କହିଲା ଦୁହିଁଙ୍କର କିଛି ଖୁଣ ନାହିଁ । କେବଳ ଚାପଗ୍ରସ୍ତ ମନକୁ ହାଲୁକା କରି ଦୁହେଁ ମିଶିଲେ ଗର୍ଭ ରହିବାରେ କୌଣସି ଅସୁବିଧା ନାହିଁ । ତେବେ ଏସବୁ ପ୍ରୟୋଗରେ ଆଣିବାକୁ ଜୟ ଭଗବାନକୁ କିଛି ସମୟ ଲାଗିଲା । ଯେତେବେଳେ ତାକୁ ଛପନ ବର୍ଷ ସେତେବେଳେ ତାର ପ୍ରଥମ କନ୍ୟାରତ୍ନଟିଏ ଜନ୍ମ ନେଲା । ତା’ପରେ ପୁତ୍ରପ୍ରାପ୍ତିର ଲାଳସାରେ ଦୁଇଟି ସନ୍ତାନ ହେଲା ସିନା କିନ୍ତୁ ଦୁଇଟି ଯାକ ସେହି କନ୍ୟା, ପୁଅ ବୋଧେ ତା’ଭାଗ୍ୟରେ ନାହିଁ । ଏବେ ବଡଝିଅକୁ ଚଉଦ ବର୍ଷ । ତା’କୁ ଚାରି ବର୍ଷର୍ବେଳେ ଥାଳିରେ ବସେଇ ଜଣଙ୍କ ହାତକୁ ଟେକିଦେଇଥିଲା । ଝିଅ ଗୃହଯୋଗ୍ୟା ହେବା ଶୁଣି ସିଏ ତା’ର ଯୁବା ପୁଅପାଖକୁ ନେଇଯିବାକୁ ତନାଘନା କଲାଣି ।
ହେଲେ କରୋନାକାଳରେ ଛ’ମାସ ଜୟ ଭଗବାନ ଘରେ ବସିଗଲା । ଯାହା ଥିଲା ସବୁ ପାଂଚପ୍ରାଣୀ କୁଟୁମ୍ବଙ୍କ ଦ୍ୱାରା ଚଳୁ ହୋଇଗଲା । ଏବେ ବହୁତ ଜାଗା ଯାଇ ଚାକିରି ପାଇଁ ନେହୁରା ହେବା ପରେ ଗୋଟିଏ ରାସ୍ତାକାମ କରୁଥିବା ଠିକାଦାର ଚାକିରି ଦେବାକୁ ରାଜି ହେଲା । ହେଲେ ଚାକିରି ପାଇଁ ତା’କୁ ଓଡିଶାର ମୟୁରଭଞ୍ଜ ଜିଲ୍ଲାର ବୁଢାମରାକୁ ଯିବାକୁ ହେବ । ମାସିକ ଦଶହଜାର ଟଙ୍କା ଖାଇପିଇ ଦରମା ହିସାବରେ ମିଳିବ । ଘରେ ରହିବେ ପତ୍ନୀ ସହିତ ତିନିଝିଅ । ପତ୍ନୀ ଗାଁ ସ୍ତ୍ରୀଲୋକମାନଙ୍କ ସାଙ୍ଗରେ ଅନ୍ୟର ମୂଲପାତି ଲାଗିବାକୁ ଯାଇ କିଛି ଆଣେ । ପାଖରେ ଶଳା ମାନେ ଅଛନ୍ତି । ସେମାନଙ୍କୁ କୁହାକହି କରି ବୁଢା କର୍ମକ୍ଷେତ୍ରକୁ ଚାଲିଆସିଲା ।
ନୂଆକରି ଠିକାଦାର କ୍ୟାମ୍ପ ଗଢୁଥିବା ସ୍ଥାନୀୟ ମିସ୍ତ୍ରୀ ଓ ସହାୟକମାନଙ୍କୁ ତଦାରଖ କରିବା କାମ ଜୟ ଭଗବାନ ହାତରେ ନ୍ୟସ୍ତ କଲା । ବୁଢାର ଉଚ୍ଚତା ଛଅଫୁଟ । ଠାକରା ଗାଲ, ଆଖିଦୁଇଟା କୋରଢରେ ପଶି ଯାଇଛି । ନରକଙ୍କାଳ ଚେହେରାରେ ରାଜସ୍ତାନର ଚୁଡିଦାରପଞ୍ଜାବୀ ପିନ୍ଧିଲେ ଲାଗେ ଯେମିତି ପୋଷାକ ଗୋଟିଏ ଆଲେଣାର ହ୍ୟାଙ୍ଗରରେ ଟଙ୍ଗା ଯାଇଛି । ମାସେ ପରେ ଠିକାଦାର ଏକ ଶୁଭ ମୁହୂର୍ତ୍ତରେ ସ୍ଥାନୀୟ ସାସଂଦ ବିଶୁବାବୁଙ୍କ ହାତରେ ନଡିଆ ଭାଙ୍ଗି କାମ ଆରମ୍ଭ କଲା । ସେଠିକି ସମସ୍ତ ସ୍ଥାନୀୟ ସାମ୍ବାଦିକମାନଙ୍କୁ ଡକାଗଲା । ସାସଂଦ ପଦ୍ମଫୁଲିଆ କୁ ବିଧାୟକ ଶଙ୍ଖୁଆ । ରାଜନୀତି ମହଲ ସରଗରମ ହେଲା । ଶୁଭଦେବା ଜାଗାରେ ପୂଜାପରେ ତମ୍ବୁତଳେ ଛୋଟିଆ ସଭାକରି ଜନସାଧାରଣଙ୍କୁ ବିଶୁବାବୁ ଜଣେଇଲେ ଯେ ଏ’କାମ ପାଇଁ ସିଏ କେତେ କଷ୍ଟ ସହିଛନ୍ତି ।
କରୋନାକୁ ଭୟ ନକରି ଉଡାଜାହାଜରେ ବସି ଦିଲ୍ଲୀ ଯାଇଛନ୍ତି । ସେଠାରେ ପରିବହନ ମନ୍ତ୍ରୀଙ୍କ ସାକ୍ଷାତ ପାଇଁ ତିନିରାତି ପାଂଚତାରକା ହୋଟେଲରେ ଶୋଇଶୋଇ ବହୁକଷ୍ଟରେ ଅପେକ୍ଷା କରିଛନ୍ତି । ପରିଶେଷରେ ଆଜି ଏ ଗଳାପୋଲ ଦୁଇଟା ଜନତାଙ୍କ ସୁବିଧାପାଇଁ ହେବାକୁ ଯାଇ ସ୍ଥାନୀୟ ଲୋକଙ୍କ ସ୍ୱପ୍ନ ପୁରା ହୋଇପାରିଛି । ତେବେ ସାଂସଦ ଧନ୍ୟବାଦର ପାତ୍ର । ଏସବୁ ଖବରକାଗଜରୁ ପଢି ବିଧାୟକ ଦାମବାବୁଙ୍କ ମଗଜ ଗରମହେଲା । ସହଜେ ପଦ୍ମଫୁଲିଆଙ୍କ ଛାଇ ପଡିଲେ ଶଙ୍ଖୁଆଙ୍କର ନାହିଡିଏଁ । ସହିବ କେମିତି । ଦଳିୟକର୍ମୀଙ୍କୁ ଡାକି ନାଲିଆଖି ଦେଖେଇଲେ । ଶ.. ବାଘ ଘରେ ମିରିଗ ନାଟ । ସିଏ କିଏ ବେ । ଏଠି ମୁଁ ରାଜା ।
ଏଇଟା ମୋ ଏରିଆ, ମାନେ ମୋତେ ନଜଣେଇ ସେ ଶ. ନଡିଆ ଫଟେଇ ପାଣି ବାହାରକରିବ । ସେ ଠିକାଦାର କଥା ତୁରନ୍ତ ବୁଝ । କିଛିଦିନ ପରେ ସେହି ସାମ୍ବାଦିକମାନଙ୍କ ଭିତରୁ ଜଣେଜଣେ ଠିକାଦାର ପାଖକୁ ଆସି ହପ୍ତା ବିଷୟରେ କଥାହେଲେ । ଠିକାଦାର ବହୁତ କମ୍ପଇସାରେ ବଡକାମଟିଏ ପ୍ରଥମଥର ପାଇଁ ନେଇ ଯାଇଛି । ତା’ଉପରକୁ ତା’ପାଖ ପ୍ରତିଯୋଗୀଠାରୁ ଦଶକୋଟି ଟଙ୍କା କମ୍ରେ ଏଗ୍ରୀମେଂଟ ଦସ୍ତଖତ କରିଦେଇଛି ଯେତେବେଳେ ମୁଣ୍ଡ ଘାଉଁରୋଉଛି କାମ କେମିତି ସାରିବ! ଏବେ ସମସ୍ତେ ଏଠି ଉଚ୍ଚା ହପ୍ତା ଆଶାରେ ଅଥୟ କଲେଣି । ଅନ୍ୟମାନଙ୍କ କଥା ଛାଡ, କିନ୍ତୁ ସ୍ଥାନୀୟ ପୋଲିସ ଥାନା, ତହସିଲ୍ ଏବଂ ସାମ୍ବାଦିକମାନଙ୍କ ସହ ନେତାମାନଙ୍କ ଖେଳେଇରେ କିଛିକିଛି ନପକେଇଲେ କାମ ଉଠେଇବା କଣ ସହଜ? ଏପରି ଚିନ୍ତାରେ ଠିକାଦାର ଥିବା ବେଳେ ପାଖ ଗାଁଲୋକମାନେ କ୍ୟାମ୍ପରୁ ଚୋରିଚପଟ ଆରମ୍ଭ କଲେ ।
କ୍ୟାମ୍ପ ଚାରିପଟେ କିଛି ଟୁକୁରା ଲୁହାଛଡକୁ ତିନୋଟି ଲଙ୍ଗଳାଛୁଆ ସନ୍ଧ୍ୟାରେ ଗୋଟାଉଥିବା ଦେଖି ଜୟ ଭଗବାନ ମେସ୍ଘରୁ ଦଉଡି ସେମାନଙ୍କୁ ଘଉଡେଇଦେଲା । ସକାଳେ ସେମାନେ ପାଖକେନାଲ ପାଣିରେ ଗାଧୋଇଲା ବେଳେ ଜୟ ଭଗବାନ ସେପଟେ ଚାଲଚାଲ ହୋଇ ଗଲାବେଳେ ପିଲାମାନେ ଆପେଆପେ ପାଣିରୁ ବାହାରି ଗାଁ ଆଡକୁ ଦୌଡିଲେ ଏବଂ ସେ ବୁଢା ତା’ଙ୍କୁ ଗୋଡାଉଛି ବୋଲି ସେମାନେ ଯାଇ ତା’ଙ୍କ ଘରେ ମା ବାପାଙ୍କୁ କହିଲେ । ସେଠାକାର ଜନୈକ ସାମ୍ବାଦିକ ହୋତା ଠିକାଦାରପାଖରୁ କିଛି ନିଜିକାମ ପାଇଁ ଯାଇ ନିରାଶ ହୋଇ ଫେରିଥିଲା । ତା’କୁ ସୁବର୍ଣ୍ଣ ସୁଯୋଗଟିଏ ମିଳିଗଲା ଠିକାଦାର ଉପରେ ପ୍ରତିଶୋଧ ନେବାପାଇଁ । କାହାମୁଣ୍ଡରେ ଏମିତି ଏକ ଉପାୟ ଜୁଟିଲା କେଜାଣି! ଏହି ସାମାନ୍ୟ ଘଟଣାକୁ ରୂପ ଦିଆଗଲା ଯେ ସେ ଜୟ ଭଗବାନ ବୁଢା ସେହି ଲଙ୍ଗଳା ଗାଁଛୁଆମାନଙ୍କୁ ବଳିଦେବା ଉଦେ୍ଦଶ୍ୟରେ ଧରିବାପାଇଁ ଗୋଡାଉଛି । ଏ’କଥା ଶୁଣି ଗାଁଲୋକ ବାଉଁଶ ଠେଙ୍ଗା ଧରି ଶହେଦେଢଶ ସଂଖ୍ୟାରେ କ୍ୟାମ୍ପର ସମସ୍ତ ହିନ୍ଦୀଭାଷି ଅନ୍ତେବାସୀମାନଙ୍କ ଉପରେ ଆକ୍ରମଣ କରିଦେଲେ । ସମସ୍ତ ଅଧିକାରୀଙ୍କୁ ଅନ୍ଧାଧୁନ ପିଟିବାକୁ ଲାଗିଲେ ଏବଂ ଜୟ ଭଗବାନକୁ ନିର୍ଦ୍ଦୟ ଭାବରେ ବହୁତ ପିଟିପିଟି ଧାରାସାୟୀ କରିଦେଲେ । ତା’ର ବିକଳ ଆର୍ତ୍ତ ଚିକôାର କାହାର କାନ ଭିତରେ ପଶୁନଥାଏ ।
ପୋଲିସଦଳ ଆସି ସେ ସମସ୍ତ ମାଡଖିଆ ଲୋକମାନଙ୍କୁ ସେଠାରୁ ଥାନାକୁ ନେଇ ତଦନ୍ତରୁ ଜାଣିଲେ ଯେ ଜୟ ଭଗବାନ ବଳିପାଇଁ ଛୁଆମାନଙ୍କୁ ଗୋଡାଉଥିଲା । ସମସ୍ତ ଖବରକାଗଜରେ ସକାଳେ କଥାଟି ଛପାହେଲା ଏବଂ ଓଟିଭିରେ ମଧ୍ୟ ଏହି ଘଟଣାଟିକୁ ସୁନ୍ଦରଭାବରେ ପ୍ରସାରଣ କରାଗଲା । ଏଠି ତିନିତୁଣ୍ଡ ନୁହେଁ ଛଅତୁଣ୍ଡରେ ଜୟ ଭଗବାନ ଦୋଷୀ ସାବ୍ୟସ୍ତ ହୋଇ କାରାଗାର ଭିତରେ ପଶିଲା । ଠିକାଦାରଠାରୁ ନିରାଶ ହୋଇ ସାମ୍ବାଦିକମାନେ ନାରାଜ, ପୋଲିସ ନାରାଜ ଏବଂ ଗଣ୍ୟମାନ୍ୟ ନେତୃତୁଲ୍ୟ ବ୍ୟକ୍ତିବିଶେଷ ବି ଚାନ୍ଦାଭେଦାରୁ ବଂଚିତ ଥିବାରୁ ମିଛ ଘଟଣାଟିକୁ ସତ ଘଟଣାରେ ରୂପାନ୍ତରିତ କରି ନିଜର ପେଟପାଟଣା ଉଦେ୍ଦଶ୍ୟରେ ପଶ୍ଚିମଭାରତରୁ ପୂର୍ବଭାରତକୁ ନିଜେ ବଂଚି ପରିବାର ବଂଚେଇବା ପାଇଁ ଆସି ବିଚରା ଗୁଡାଏ ମାଡଖାଇଲା । ଠିକାଦାର ଭାବୁଛି ଯାହାହେଉ ଏତେ ମାଡଖାଇ ବି ଜୟ ଭଗବାନ ବଂଚିଗଲା । ଯଦି ମରିଯାଇଥାନ୍ତା ତେବେ ତା’ଝିଅକୁ କିଏ ବାହା ଦେଇଥାନ୍ତା? ତା’ପରିବାରକୁ ଭରଣପୋଷଣ କରିବାପାଇଁ କିଏ ଆଗକୁ ଆସିଥାନ୍ତା । ବିଚରା ସ୍ତ୍ରୀ ସହ ତିନିଟା ମାଈପିଲା ଭାସି ଯାଇଥାନ୍ତେ । ଭଗବାନ ହିଁ ବଡଲୋକ, ବଂଚେଇ ଦେଲା ।
ପିଲାକୁ ବଳି ଦେବାରେ ଥିଲେ କ’ଣ ଜଣେ ଦିବାଲୋକରେ ରାଜରାସ୍ତାରେ ଗୋଡାଇବ! ଜଣେ ସତୁରି ବର୍ଷୀୟ ବୁଢା ଏକାକାଳୀନ ଏକ ନୁହେଁ ଦୁଇ ନୁହେଁ ଚାରିଜଣକୁ ବଳି ଦେବାପାଇଁ ଗୋଟେଇ ଗୋଟେଇ ଧରିବାର ପ୍ରଚେଷ୍ଟା କରିବ! ଧନ୍ୟ ଆମ ସମାଜ, ଧନ୍ୟ ସେସବୁ ଅଧିକାରୀଙ୍କ ତଦନ୍ତ । ପାଠକମାନଙ୍କ ଭିତରୁ କେହି କହିପାରନ୍ତି ଯେ ସ୍ତମ୍ବକାରର ବୁଦ୍ଧିଶୁଦ୍ଧି କ’ଣ ସେଠାକାର ଭାରପ୍ରାପ୍ତ ପୋଲିସ ଅଫିସର୍ଙ୍କ ଠାରୁ ବେଶୀ । ତାପରେ ଆମ ଗଣତନ୍ତ୍ର ଶାସନରେ ସାମ୍ବାଦିକମାନେ ଚତୁର୍ଥ ସ୍ତମ୍ବ, ସେମାନେ ସବୁ ଜାଣିବା ନର ।
ନାରଦମୁନିଙ୍କର ପ୍ରତିନିଧି ମିଛ କାହିଁକି ଲେଖିବେ? କିନ୍ତୁ ଏହି ଘଟଣାଟି ନିଚ୍ଛକ ମିଛ । ସେ ବୁଢା ସମ୍ପୂର୍ଣ୍ଣ ନିଦେ୍ର୍ଦାଷ । ତେବେ ଯାହା ତ ହେବା କଥା ହେଲାଣି । ଠିକାଦାର ବୁଦ୍ଧି ଶିଖିଲା, ଏବେ ଦୁଆର ଦୁଆର ବୋଲି ସମାଧାନର ରାସ୍ତା ଖୋଜୁଛି । ହପ୍ତା ଆରମ୍ଭ ବିନା କାମ ଆରମ୍ଭ କରିବା ସତରେ ବହୁତ ବଡ ଅପରାଧ । ତେବେ ଉତ୍ତର ଓଡିଶାର ମୟୁରଭଞ୍ଜ ଜିଲ୍ଲାର ବୁଢାମରା ଗାଁ ନିଜର ନାମକୁ ଆଉଥରେ ସାର୍ଥକ କରିବାକୁ ଯାଇଁ ସେଦିନ ଗୋଟିଏ ନିଦେ୍ର୍ଦାଷ ବୁଢାକୁ ସେହି ପବିତ୍ରମାଟିରେ ମାରୁମାରୁ ଜୀବନରେ ମାରି ଦେଇଥାନ୍ତା ।
କିନ୍ତୁ ନିୟତିର ନିଦେ୍ର୍ଦଶ ଭିନ୍ନ, ମିଛ ଘଟଣାର ଶିକାର ହୋଇ ବିଚରା ଗରିବ ବୁଢାଟିଏ ଦିନେ କାରାଗାରର ଚାରିକାନ୍ଥ ଭିତରେ ରହିଲା ପରେ ଅନେକ ଏବେ କହିଲେଣି ଘଟଣାଟି ମିଛ ବୋଲି । କିଏ ଜଣେ ସାହାଯ୍ୟ କରିବାରୁ ଦିନକ ପରେ କାରାଗାରରୁ ମୁକ୍ତି ମିଳିଲା । ହେଲେ ଏବେ ଭାବୁଛି ଆଉ ଏଠି କାମ କରିବନି, ପରିବାର ଭାସିଗଲେ ଭାସି ଯାଆନ୍ତୁ ପଛେ ସିଏ କାମ ଛାଡି ଘରକୁ ଫେରିଯିବ । ସେଥିପାଇଁ ଯଥାର୍ଥରେ କୁହାଯାଇଛି “ତିନି ତୁଣ୍ଡରେ ଛେଳି କୁକୁର ।”