ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ନାନା କଳ୍ପନା-ଜଳ୍ପନା, ଆଶା-ଆଶଙ୍କା ମଧ୍ୟରେ ଜଗତ ନିୟନ୍ତ । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଯେପରି ସୁରୁଖୁରରେ ସଂପନ୍ନ ହୋଇଛି, ତାହା ଜଗତର ନାତଙ୍କ ଅଲୌକିକି ଲୀଳାରେ ଆଉ ଏକ ଫର୍ଦ୍ଧ ଯୋଡି ହୋଇଯାଇଛି ବୋଲି ନିସନେ୍ଦହରେ କୁହାଯାଇପାରିବ । ଆମେ ‘ଦାତ୍ୟତା ଭକ୍ତି’ରେ ମହାପ୍ରଭୂଙ୍କର ବହୁ ଅଲୌକିକି ଲୀଳା ସଂପର୍କରେ ପଢିଛୁ ଏବ ଲୋକମୁଖରୁ ଶୁଣିଲୁ, ମାତ୍ର ଏବେ ମହାପ୍ରଭୂଙ୍କର ଆଉ ଏକ ଲୀଳା ସ୍ୱଚକ୍ଷୁରେ ଦେଖିଲୁ, ଯାହାକି ଭବିଷ୍ୟତ ପିଢିଙ୍କ ପାଇଁ କେବଳ କାହାଣୀ ହୋଇ ରହିଯିବ ନାହିଁ, ଇତିହାସ ହୋଇଯିବ, ଏଥିରେ ସନେ୍ଦହ ନାହିଁ ।
ଭକ୍ତର ଠାକୁର ମହାବାହୁ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ରନô ସିଂହାସନ ଛାଡି ପ୍ରତିବର୍ଷ ଆଷାଢ ଦ୍ୱିତୀୟା ତିଥିରେ ବଡ ଦାଣ୍ଡକୁ ଓହ୍ଲାଇ ଆସନ୍ତି ରଥ ଉପରେ । ଏଥର କିନ୍ତୁ ଭକ୍ତ ଶୂନ୍ୟ ବଡଦାଣ୍ଡରେ ମହାପ୍ରଭୂଙ୍କ ଲୀଳା । ନିର୍ଦ୍ଧାରିତ ନୀତି ନିର୍ଘଂଟ ପୂର୍ବରୁ ମହାପ୍ରଭୂଙ୍କର ସମସ୍ତ ନୀତିକାନ୍ତି ଓ ଯାତ ସଂପନ୍ନ ହୋଇଛି । ନା’ ଏଥିପାଇଁ ଥିଲା ପୂର୍ବ ପ୍ରସ୍ତୁତି ନା କସରତ । ମହାପ୍ରଭୂଙ୍କର ରଥଯାତ୍ରା ପାଇଁ ତିନି ମାସ ପୂର୍ବରୁ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥାଏ । ଏଥର କିନ୍ତୁ ବିନା ପ୍ରସ୍ତୁତି ଏବଂ ବିନା ଭକ୍ତରେ ରଥଯାତ୍ରା । ଯାହାକି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ସୃଷ୍ଟି କରିଛି ନୂତନ ଇତିହାସ ।
ରାଜ ରାଜୁଡା ଅମଳରୁ ହୋଇ ଆସୁଥିବା ମହାପ୍ରଭୂଙ୍କ ଘୋଷଯାତ୍ରାରେ କୌଣସି ଗଜପତି, ମହାରାଜାଙ୍କର ଏଭଳି ଅନୁଭୂତି ନଥିବ ନିଶ୍ଚିତ । ଯେଉଁ ବଡଦାଣ୍ଡ ଲକ୍ଷ ଲକ୍ଷ ଭକ୍ତଙ୍କ ଚଳଚଂଚଳ, ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଥାଏ, ସେଠାରେ ଖାଁ ଖାଁ । ଭକ୍ତ ଘର ଭିତରେ । ମହାପ୍ରଭୂ ବଡଦାଣ୍ଡରେ । ଶହଶହ ବର୍ଷ ପରେ ମହାପ୍ରଭୂଙ୍କର ଏହା ଆଉ ଏକ ଲୀଳା ନିଶ୍ଚିତ । ରଥଯାତ୍ରା ସମୟରେ କେବଳ ଭକ୍ତ ନୁହଁନ୍ତି, ରାଜ୍ୟ ଶାସନର ମୁଖ୍ୟ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ନେତା, ଅଫିସରଙ୍କ ଗହଳି ଚହଳି ଲାଗି ରହେ, କାହାରିକୁ ମଧ୍ୟ ଦେଖିବାକୁ ମିଳିନାହିଁ । ବଡଦାଣ୍ଡରେ କେବଳ ସେବାୟତ ଓ ପୋଲିସ । ଯେଉଁମାନେ କି ସୁରୁଖୁରୁରେ ମହାପ୍ରଭୂଙ୍କର ତିନି ରଥକୁ ବିନା ବାଧାରେ, ବିନା ପ୍ରତିବନ୍ଧକରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମଦେବୀ ନିକÿଟକୁ ଟାଣି ନେଇଥିଲେ । ବୋଧହୁଏ, ଏହା ହିଁ ତାଙ୍କର ଇଚ୍ଛା ଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ସୁପ୍ରିମକୋର୍ଟଙ୍କ ଅନୁମତି ।
ପ୍ରାଣଘାତୀ କରୋନା ମହାମାରୀ ସଂକ୍ରମଣ ଏବଂ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ରଥଯାତ୍ରା ବନ୍ଦ ଲାଗି ନିଦେ୍ର୍ଦଶ ଦେବା ପରେ କେବଳ ଓଡିଆ ନୁହଁନ୍ତି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖେଳି ଯାଇଥିଲା ନୈରାଶ୍ୟ । ଭଦ୍ରେକ ହୋଇଥିଲା ହତାଶାଭାବ ରାୟର ପୁନବିର୍ଚାର ପାଇଁ ପିଟିସନକୁ ସୁପ୍ରିମକୋର୍ଟ ଯେଉଁଭଳି ଶୁଣାଣୀ କଲେ, ତାହା ମଧ୍ୟ ଥିଲା ବିରଳ । ଗୋଟିଏ ଦିନରେ ଅର୍ଥାତ ମାତ୍ର ତିନି ଘଂଟା ମଧ୍ୟରେ ଗୋଟିଏ ମାମଲାର ଦୁଇଟି ଖଣ୍ଡପୀଠରେ ଶୁଣାଣୀ ଓ ରାୟ ଘୋଷଣା, ବୋଧହୁଏ ଦେଶର ନ୍ୟାୟିକ ଇତିହାସରେ ଏକ ବିରଳ ଘଟଣା ।
କେବଳ ଏତିକି ନୁହେଁ, ରଥଯାତ୍ରା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ସତ୍ୱେ ନିର୍ଦ୍ଧାରିତ ସମୟରେ ନିର୍ମାଣ ଶେଷ ହେବ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ‘ଅକ୍ଷୟ ତୃତୀୟା’ ଠାରୁ ରଥ ଖଳାରେ ରଥ ନିର୍ମାଣ ଆରମ୍ଭ ହୋଇଥାଏ ଏବଂ କେଉଁ ତିଥିରେ କେଉଁ କାର୍ଯ୍ୟ ସଂପୂର୍ଣ୍ଣ ହେବ, ତାହା ମଧ୍ୟ ଲିପିବଦ୍ଧ ହୋଇ ରହିଛି । ମାତ୍ର ଏବର୍ଷ ଅନିଶ୍ଚିତତା ମଧ୍ୟରେ ଦୀର୍ଘ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଠିକ୍ ସମୟରେ ୩ ରଥ ନିର୍ମାଣ ଓ ସାଜସଜ୍ଜା ସଂପୂର୍ଣ୍ଣ ହୋଇଥିଲା । ବିଳମ୍ବରେ ରଥ ନିର୍ମାଣ ସତ୍ୱେ ରଥଯାତ୍ରା ନେଇ କୋଟି କୋଟି ଭକ୍ତଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା ।
ସେଇ ଆଶା ପୁରଣ ହୋଇଛି । ବିନା ଭକ୍ତରେ ମହାପ୍ରଭୂଙ୍କ ରଥ ବଡଦାଣ୍ଡରେ ଗଡିଛି । ମହାମାରୀ କରୋନା କଟକଣା ଯୋଗୁଁ ୩ ମାସ ଧରି ଉଭୟ ମହାପ୍ରଭୂ ଓ ଭକ୍ତ ଗୃହବନ୍ଦୀରେ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ପତିତପାବନ ରନôସିଂହାସନ ଛାଡି ଭାଇ ଭଉଣୀଙ୍କୁ ଧରି ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ଯେଉଁଠି ହଜାର ହଜାର ଭକ୍ତ ରଥ ଟାଣନ୍ତି, ସେଠାରେ ହାତ ଗଣତି ସେବକ, ପୋଲିସ ରଥ ଟାଣିଛନ୍ତି । କେବଳ ଭକ୍ତର ଭକତି ଡୋରିରେ ରଥ ଗଡିଛି । ଆହୁରି ମଧ୍ୟ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଧାର୍ଯ୍ୟ ସର୍ତର କୌଣସି ଖିଲାପୀ ଘଟିନାହିଁ । ଏହା ହିଁ ହେଉଛି ମହାବାହୁଙ୍କ ଲୀଳା, ଅଲୌକିକତା । ହେ ପତିତପାବନ କରୋନା ମହାମାରୀରୁ ବିଶ୍ୱକୁ ଉଦ୍ଧାର କରନ୍ତୁ, ଏହା ହିଁ ଆମର ପ୍ରାର୍ଥନା ।