ଡ଼ଃ ଅରୁନ୍ଧତୀ ଦେବୀ : ସଂଗ୍ରାମୀ ନେତ୍ରୀ କ୍ୟାପଟେନ୍ ଲକ୍ଷ୍ମୀ ସହଗଲ ଭାରତୀୟ ଜାତୀୟ ମୁକ୍ତିଯୋଦ୍ଧା ସଂଗ୍ରାମର ଜଣେ ଅଦମନୀୟ ମହିଳା ସଂଗ୍ରାମୀ । ପିଲାବେଳୁ ଲକ୍ଷ୍ମୀ ସ୍ୱାମୀନାଥନ୍ ରାଷ୍ଟ୍ରୀୟ ଆନେ୍ଦାଳନ ପ୍ରତି ପ୍ରଭାବିତ ହୋଇଥିଲେ । ୨୪ ଅକ୍ଟୋବର ୧୯୧୪ରେ ମାଡ଼୍ରାସ (ବର୍ତ୍ତମାନର ଚେନ୍ନାଇ)ର ଏକ ତାମିଲ ପରିବାରରେ ଜନ୍ମ ହୋଇଥିଲେ ଲକ୍ଷ୍ମୀ ସ୍ୱାମୀନାଥନ୍ । ପିଲାବେଳୁ ମେଧାବୀ ଛାତ୍ରୀ ଥିବା ଲକ୍ଷ୍ମୀ ସ୍ୱାମୀନାଥନ୍ ନାନାଦି ପ୍ରତିକୂଳତା ସତ୍ତ୍ୱେ ୧୯୩୮ରେ ମାଡ଼୍ରାସରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଶେଷ କରିଥିଲେ । ଏହାପରେ ସିଙ୍ଗାପୁର ଚାଲିଯାଇଥିଲେ । ସେ ପି.କେ.ଏନ୍ ରାଓ ନାମକ ଜଣେ ପାଇଲଟଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କ ଦାମ୍ପତ୍ୟ ଜୀବନ ଭଲରେ ନକଟିବାରୁ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ କ୍ୟାପେଟନ୍ ଲକ୍ଷ୍ମୀ ସିଙ୍ଗାପୁର ଚାଲିଯାଇଥିଲେ ।
ପରେ ୧୯୪୦ରେ ଭାରତ ଆସି ଏଠାରେ କ୍ଲିନିକ୍ କରି ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ଜାପାନ ସେନା ସିଙ୍ଗାପୁରରେ ବ୍ରିଟିଶ ସେନା ଉପରେ ଆକ୍ରମଣ କରିଥିଲା ସେତେବେଳେ କ୍ୟାପଟେନ୍ ଲକ୍ଷ୍ମୀ, ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜ୍ରେ ସାମିଲ ହୋଇଥିଲେ । ମହାତ୍ମା ଗାନ୍ଧୀ ଯେତେବେଳେ ବିଦେଶୀ ବସ୍ତୁକୁ ବହିଷ୍କାର କରିବା ପାଇଁ ଆନେ୍ଦାଳନ ଆରମ୍ଭ କରିଥିଲେ ସେତେବେଳେ ସେ ମଧ୍ୟ ଏଥିରେ ଭାଗ ନେଇଥିଲେ । ଆଜାଦ୍ ହିନ୍ଦ୍ ଫୌଜର ଜଣେ ସକି୍ରୟ ସଦସ୍ୟା ଭାବରେ ତାଙ୍କୁ ସମସ୍ତେ ଜାଣିଥିଲେ ।
ତେବେ ଆଜାଦ୍ ହିନ୍ଦ ଫୌଜରେ ସାମିଲ ହେବା ପରେ ତାଙ୍କୁ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଥିଲା । ୧୯୪୬ରେ ତାଙ୍କୁ ବ୍ରିଟିସ ସେନା ଗିରଫ କରିଥିଲା । ପରେ ତାଙ୍କୁ ଯଦିଓ ଛାଡ଼ିଦେଇଥିଲା । ୧୯୪୭ରେ କର୍ଣ୍ଣଲ ପ୍ରେମ କୁମାର ସହଗଲଙ୍କୁ ବିବାହ କରିଥିଲେ କ୍ୟାପଟେନ୍ ଲକ୍ଷ୍ମୀ । ତେବେ ତାଙ୍କର ସଂଘର୍ଷମୟ ଜୀବନ ଏଠାରେ ଶେଷ ହୋଇନଥିଲା । ଲୋକଙ୍କ ସେବାରେ ସେ ଅଧିକ ସମୟ ଦେଇଥିଲେ । ଦେଶ ସ୍ୱାଧୀନ ହୋଇଥିଲା । ଏଥିରେ ସେ ଖୁସି ଥିଲେ । କିନ୍ତୁ ଭାରତ ବିଭାଜନକୁ ସହଜରେ ଗ୍ରହଣ କରିପାରିନଥିଲେ କ୍ୟାପଟେନ୍ ଲକ୍ଷ୍ମୀ ସହଗଲ । ସବୁବେଳେ ଗରିବ ଓ ଧନୀଙ୍କ ଭିତରେ ଲାଗି ରହିଥିବା ପ୍ରାର୍ଥକ୍ୟକୁ ନେଇ ବିରୋଧ କରିଆସୁଥିଲେ । ତା ସହ ମହିଳାଙ୍କ ବିକାଶ ଏବଂ ତାଙ୍କୁ ସଶକ୍ତି କରିବା ପାଇଁ ସେ ପ୍ରୟାସ ଚଳାଉଥିଲେ ।
ସକ୍ରିୟ ରାଜନୀତିରେ ପ୍ରବେଶ କରି ଲୋକଙ୍କ ପାଇଁ କାମ କରିବାକୁ ଇଛା କରିଥିଲେ ସେ । ତେଣୁ ୧୯୭୧ରେ କ୍ୟାପଟେନ୍ ଲକ୍ଷ୍ମୀ ସହଗଲ ଭାରତୀୟ କମୁ୍ୟନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ଭାରତ-ବାଙ୍ଗଲାଦେଶ ବିବାଦ ସମୟରେ ରିଫୁ୍ୟଜିଙ୍କ ପାଇଁ ମେଡ଼ିକାଲ କ୍ୟାମ୍ପ ଓ ଔଷଧ ବଣ୍ଟନ କରିଥିଲେ । ତା ଛଡ଼ା ସେ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୱିମେନ୍ ଆସୋସିଏସନ୍ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ୨୦୦୨ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏପିଜେ ଅବଦୁଲ କଲାମ ବିପକ୍ଷରେ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ୧୯୮୪ରେ ହୋଇଥିବା ଭୋପାଳ ଗ୍ୟାସ କାଣ୍ଡରେ ଲକ୍ଷ୍ମୀ ସହଗଲ ସେଠାରେ ମେଡ଼ିକାଲ କ୍ୟାମ୍ପ ପକାଇଥିଲେ । ୧୯୯୬ରେ ବିଶ୍ୱସୁନ୍ଦରୀ ପ୍ରତିଯୋଗିତାକୁ ସେ ବିରୋଧ କରୁଥିବାରୁ ତାଙ୍କୁ ବାଙ୍ଗାଲୋରରୁ ଗିରଫ କରାଯାଇଥିଲା ।
ଏଭଳି ଅନେକ ପ୍ରତିକୂଳ ପରିସ୍ଥିତିରେ ସେ ସବୁବେଳେ ଆଗକୁ ବଢ଼ିଚାଲୁଥିଲେ । ଏଥିପାଇଁ ତାଙ୍କୁ ୧୯୯୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପିଲାବେଳୁ ମେଧାବୀ ଥିବା ଲକ୍ଷ୍ମୀ ସ୍ୱାମୀନାଥନ୍ ପରିଣତ ବୟସରେ ମଧ୍ୟ ତାମିଲନାଡ଼ୁ ଓ ମୁମ୍ବାଇର ବିଭିନ୍ନ ଗ୍ରାମାଞ୍ଚଳ ତଥା ବସ୍ତୀ ଇଲାକାରେ ପାଠପ୍ରତି ଆଗ୍ରହ ରଖୁଥିବା ମେଧାବୀ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସହଯୋଗ ଜାରି ରଖିଥିଲେ । ଅନେକ ହୁଏତ ଜାଣିନଥାନ୍ତି ଯେ ତାଙ୍କ ସାହାଯ୍ୟ ସହଯୋଗ ପାଇଥିବା ଅନେକ ମେଧାବୀ ଛାତ୍ରୀ ଆଜି ଭାରତର ବିଭିନ୍ନ କ୍ଷେତ୍ରରେ ପଦସ୍ଥ କାର୍ଯ୍ୟନିର୍ବାହୀ ଭାବରେ ସୁନାମ ଅର୍ଜନ କରିଛନ୍ତି । ନିଜ ଜୀବନର ତମାମ ରୋଜଗାରକୁ ଏହି ସେବା କାର୍ଯ୍ୟ ପାଇଁ ସେ ଆକାତରରେ ଦାନ କରିଥିଲେ କେବଳ ସେତିକି ନୁହେଁ ଚିକିତ୍ସା ସେବା ସହ ଜଡ଼ିତ ଥିବାରୁ ଏହି ବୃତ୍ତିରେ ବିଶେଷକରି ବସ୍ତୀ ଓ ଅନଗ୍ରସରର କ୍ଷେତ୍ରର ମହିଳା ମାନଙ୍କୁ ଏହି ମହନୀୟ ବୃତ୍ତିରେ ସାମିଲ ପାଇଁ ସେ କୌଣସି ସରକାରୀ ସହାୟତା ନନେଇ ସେବାକାର୍ଯ୍ୟ ବ୍ୟକ୍ତିଗତ ଭାବେ ନିର୍ବାହ କରୁଥିଲେ । ସମାଜ ସେବା ବ୍ୟତୀତ ଭ୍ରମଣରେ ରୁଚି ରଖିବା ସହ ଲେଖାଲେଖିରେ ତାଙ୍କର ଥିଲା ବେଶ୍ ଆଗ୍ରହ ।
ତାଙ୍କ ବିଶାଳକାୟ ବ୍ୟକ୍ତିଗତ ଲାଇବ୍ରେରୀରେ ସେ ଅନେକ ଭାଷାର ପୁସ୍ତକ ସଂଗ୍ରହ କରି ଅଧ୍ୟବସାୟ ରଖିଥିଲେ । କୁହାଯାଏ ଯେ କ୍ୟାପଟେନ୍ ଲକ୍ଷ୍ମୀ ସହଗଲ ଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷା ଭିତରୁ ପାଖାପାଖି ଦଶଟି ଆଞ୍ଚଳିକ ଭାଷାରେ ଲେଖିବା, ପଢ଼ିବା ଓ କହିବା ଉପରେ ବେଶ୍ ଦକ୍ଷତା ରଖିଥିଲେ । ପ୍ରତିକୂଳତା ଭିତରେ ଜୀବନ ନିର୍ବାହ କରୁଥିବା ମହିଳାଙ୍କ ପାଇଁ ପ୍ରେରଣାର ଆଲୋକବର୍ତ୍ତିକା ତଥା ଶିକ୍ଷାପ୍ରତି ବିମୁଖ ଥିବା ଝିଅ ମାନଙ୍କ ପାଇଁ ଶିକ୍ଷାଦାତ୍ରୀର ଏହି ମୂର୍ତ୍ତିମନ୍ତ ଦେବୀ କାନପୁରରେ ହୃଦ୍ଘାତରେ ଆକ୍ରାନ୍ତ ହୋଇ ୨୦୧୨, ୨୩ ଜୁଲାଇରେ ମହାପ୍ରୟାଣ ଲାଭ କରିଥିଲେ । ଚିରଦିନ ପାଇଁ ସେ କୋଟି କୋଟି ଭାରତୀୟଙ୍କ ପାଇଁ ଅମ୍ଳାନର ଦୀପଶୀଖା ସଦୃଶ ଥିଲେ । ତାଙ୍କ ସେବା ଓ ସାହାସିକତାର ମହନୀୟତା ଆମ ସମସ୍ତଙ୍କୁ ପ୍ରେରଣା ଦେଉ ଏହା ହିଁ କାମନା ।
