Odisha news

ବଜ୍ରାଘାତ

0

ଗତ ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଏଗାର ଜଣଙ୍କ ମୃତ୍ୟୁ ହୋଇଛି । ମହାପୁରୁଷ ଅଚ୍ୟୁତାନନ୍ଦ ପଦ୍ମବନରେ କଳିଯୁଗରେ ଆଗତ ଭବିଷ୍ୟକୁ ନେଇ ତାଙ୍କ ରଚିତ ମାଳିକାରେ ଲେଖିଯାଇଛନ୍ତି – ଆକାଶୁ ଖସିବ ବଜ୍ର ଲୋ ବଉଳ ଜାଳିଦେବ ଭୂମଣ୍ଡଳ, ଶ୍ରୀଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆରେ ଲାଗିବ ସେ ଯେ ଅନଳ । ଗ୍ରାମ ହେବ ମଡାଭୂଇଁ ଲୋ ବଉଳ ଯୋଗ୍ନୀଗଣ ଯିବେ ଘେରି, କଡ଼ମଡ଼ କରି ହାଡ ଚୋବାଇବେ ଦେଶ ହବ ହତଶିରୀ । ବଜ୍ର ଯେ କେତେ ଶକ୍ତିଶାଳୀ ତାହା ମହାବୀର ହନୁମାନଙ୍କ ଶୈଶବ ସହ ସମ୍ପୃକ୍ତ ବଜ୍ର ପ୍ରସଙ୍ଗରୁ ଜଣାପଡ଼େ । ଥରେ ମା\’ ଅଞ୍ଚନା ହନୁମାନଙ୍କୁ ଶୁଆଇ କୁଆଡ଼େ ଚାଲିଯାଇଥିଲେ । କିଛି ସମୟ ପରେ ତାଙ୍କୁ ଭୋକ ଲାଗିବାରୁ ଉପରକୁ ଚାହିଁ ଆକାଶରେ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଦେଖିଦେଲେ । ତାଙ୍କୁ ଲାଗିଲା ଯେ, ଏହା କୌଣସି ଏକ ଲାଲ ମିଠା ଫଳ ।

ତେଣୁ ଗୋଟିଏ ଖେପାରେ ଆକାଶକୁ ଉଠି ସୂର୍ଯ୍ୟଙ୍କୁ ଧରି ନିଜ ପାଟିରେ ପୂରାଇ ଦେଲେ । ତେବେ ସୂର୍ଯ୍ୟପରାଗ ଦିନ ହୋଇଥିବାରୁ ରାହୁ ଆସିଥିଲା ସୂର୍ଯ୍ୟଙ୍କୁ ଖାଇବା ଲାଗି । ତାକୁ ଦେଖି ହନୁମାନ ଭାବିଲେ ଆଉ ଗୋଟିଏ କଳାଫଳ । ତେଣୁ ସେ ରାହୁକୁ ଖାଇବାକୁ ଗୋଡାଇଲେ । ରାହୁ କୌଣସିମତେ ଇନ୍ଦ୍ରଦେବଙ୍କ ଶରଣ ପଶି ସବୁକଥା କହିବାରୁ ସେ ସୂର୍ଯ୍ୟଙ୍କୁ ମୁକାଳିବା ଲାଗି ବଜ୍ର ଧରି ଐରାବତ ପିଠିରେ ବାହାରିଲେ । ହନୁମାନ ତାଙ୍କୁ ଦେଖି ଆଉ ଏକ ଧଳାଫଳ ଭାବି ଖାଇବାକୁ ଉଦ୍ୟତ ହେବାରୁ ଇନ୍ଦ୍ର ରାଗିଯାଇ ତାଙ୍କ ମେରୁଦଣ୍ଡକୁ ବଜ୍ରରେ ଆଘାତ କରିଥିଲେ । ଫଳରେ ବାଳକ ହନୁମାନ ମୁଖ ଫିଟିଯିବାରୁ ସୂର୍ଯ୍ୟଦେବ ତ ବାହାରି ଆସିଲେ, ହେଲେ ସେ ଚେତାଶୂନ୍ୟ ହୋଇ ପୃଥିବୀରେ ପଡ଼ିଗଲେ । ବାୟୁଦେବ ନିଜ ପୁତ୍ରର ଏପରି ଦଶାରେ କ୍ରୋଧିତ ହୋଇ ବହିବା ବନ୍ଦ କରିଦେବାରୁ ସମଗ୍ର ସୃଷ୍ଟି ବିନାଶ ହେବା ଅବସ୍ଥାକୁ ଆସିଗଲା ।

ଫଳରେ ବ୍ରହ୍ମାଙ୍କ ସମେତ ସମସ୍ତ ଦେବତା ବାୟୁଦେବଙ୍କ ପାଖରେ ପହଞ୍ôଚ ହନୁମାନଙ୍କୁ ଚିରଞ୍ଜିବୀ ହେବାର ଆଶୀର୍ବାଦ କରିବା ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ । ବଜ୍ର ଏବଂ ବ୍ରହ୍ମାସ୍ତ୍ର ମଧ୍ୟ ତାଙ୍କ ଉପରେ ପ୍ରଭାବ ପକାଇବ ନାହିଁ ବୋଲି କହିଲେ । ଫଳରେ ବାୟୁଦେବ ପ୍ରସନ୍ନ ହୋଇ ପୁଣି ବହିବାରୁ ସୃଷ୍ଟି ରକ୍ଷା ପାଇଥିଲା । ଏ ତଥିଲା ପୁରାଣରେ ଇନ୍ଦ୍ରଙ୍କ ବଜ୍ରାଘାତ ପ୍ରସଙ୍ଗ ।
ଏବେ ଓଡ଼ିଶାରେ ଲଗାତର ବଜ୍ରାଘାତ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ନିକଟରେ ୪୦ଜଣଙ୍କର ମୃତ୍ୟୁ ଘଟଣା ସାର । ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ପାଣିପାଗରେ ଅନିୟମିତତା ସହିତ ଏବେ ବଜ୍ରପାତ ଲୋକମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଗଲାଣି । ଏଥିରୁ ମୁକ୍ତି ପାଇବା ଯେପରି କଷ୍ଟକର ହୋଇପଡ଼ିଛି । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ନିଶ୍ଚୟ । ମେଘ ଆକାଶରେ ଅଧିକ ଉଚ୍ଚତାରେ ରହିଥିବା ବେଳେ ସେଠାରେ ତାପମାତ୍ରା ଖୁବ୍ କମ୍ ଥାଏ । ଅଧା ଜମାଟ ଅବସ୍ଥାରେ ଥିବା ଜଳକଣାଗୁଡ଼ିକରେ ପଜିଟିଭ ଏବଂ ନେଗେଟିଭ ଚାର୍ଜ ବଦଳିବା ଯୋଗୁଁ ଏହି ପାର୍ଟିକଲଗୁଡ଼ିକ ପରସ୍ପର ସହ ଧକ୍କା ହୋଇ ଉଚ୍ଚ ଭୋଲଟେଜର କରେଣ୍ଟ ସୃଷ୍ଟି ହୁଏ । ଏହି ପ୍ରକ୍ରିୟା ଆକାଶରେ ୨ରୁ ୩ କିଲୋମିଟର ଉଚ୍ଚତା ମଧ୍ୟରେ ହେଉଥିବା ବେଳେ ମେଘଗୁଡ଼ିକ ଗଛ କିମ୍ବା ଉଚ୍ଚ ଅଟ୍ଟାଳିକା ସଂସ୍ପର୍ଶରେ ଆସିଲେ କରେଣ୍ଟ ଭୂଗର୍ଭକୁ ଚାଲିଯାଏ ।

ଆକାଶରେ କୌଣସି କଣ୍ଡକ୍ଟର ନଥିବା ହେତୁ ବିଜୁଳି କଣ୍ଡକ୍ଟର ଅନ୍ୱେଷଣରେ ପୃଥିବୀ ମୁହାଁ ହୁଏ ଯାହାକୁ କୁହାଯାଏ ବଜ୍ରପାତ ବା ବଜ୍ରାଘାତ । ଫଳରେ ପୃଥିବୀ ପୃଷ୍ଠରେ ଏହା ନିଜ ତୀବ୍ରତା ଯୋଗୁ କ୍ଷତି କରିଥାଏ । ବିଶେଷଜ୍ଞଙ୍କ ମତରେ ବଜ୍ରପାତର ବେଗ ଘଣ୍ଟାକୁ ୨୨୪୦୦ କିଲୋମିଟର । ଏଥିରୁ ଏହାର ତୀବ୍ରତା ଜାଣିହେବ । ଏହି ବିଜୁଳି ଆକାଶରୁ ପୃଥିବୀରେ ପହଞ୍ôଚବା ଲାଗି ୦.୦୦୨ ସେକେଣ୍ଡ ସମୟ ଲାଗିଥାଏ । ବିଶ୍ୱରେ ପ୍ରତିଦିନ ହାରାହାରି ୮,୬୪,୦୦୦ଥର ବିଜୁଳି ଚମକେ । ଏହି ସମୟରେ ବାୟୁର ତାପମାତ୍ରା ସୂର୍ଯ୍ୟପୃଷ୍ଠର ତାପମାତ୍ରା ଅପେକ୍ଷା ୫ ଗୁଣ ଅଧିକ ହୋଇଯାଏ । ବିଜୁଳିର କରେଣ୍ଟ ୧୦ କୋଟି ଭୋଲ୍ଟ ପର୍ଯ୍ୟନ୍ତ ହୋଇପାରେ ।

ଏହି ସମୟରେ କୌଣସି ବ୍ୟକ୍ତି ଏହା ସଂସ୍ପର୍ଶରେ ଆସିଲେ ତାଙ୍କର ପ୍ରାଣହାନି ଘଟିପାରେ । ଶରୀରର କୋଷଗୁଡ଼ିକ କ୍ଷତାକ୍ତ ହେବାସହ ଏହା ସ୍ନାୟୁ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ । ଫଳରେ ହୃଦ୍‌ଘାତ ହେବା ଦ୍ୱାରା ବ୍ୟକ୍ତି ମୃତ୍ୟୁବରଣ କରନ୍ତି । କେତେକ ସ୍ଥଳରେ ଅଙ୍କ ଅକାମୀ ହୋଇଯାଏ । ଯେଉଁମାନଙ୍କ ଉପରେ ବଜ୍ରପାତ ହୁଏ ସେମାନଙ୍କ ଦେହରେ ଲାଇଟନିଂ ଟ୍ରି ମଧ୍ୟ ସୃଷ୍ଟି ହୋଇଯାଏ । ଶିରା ଫାଟିଯିବା ଦ୍ୱାରା ଏପରି ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ ।
ଓଡ଼ିଶାରେ ବଜ୍ରାଘାତ : ସାରା ଭାରତରେ ପ୍ରାକୃତିକ ବିପର୍ଯ୍ୟୟଜନିତ ମୋଟ ମୃତ୍ୟୁ ମଧ୍ୟରୁ ୧୨.୮ ପ୍ରତିଶତ ବଜ୍ରାଘାତରେ ମୃତ୍ୟୁବରଣ କରନ୍ତି । ଓଡ଼ିଶାରେ ପ୍ରତିବର୍ଷ ହାରାହାରି ୨୫୭ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥାଏ ।
ଫ୍ରାନ୍ସର ଦୁଇ ବୈଜ୍ଞାନିକ ଡାଲିବାର୍ଡ ଏବଂ ଡେଲର ଆକାଶୀୟ ବିଦ୍ୟୁତ ଉପରେ ପ୍ରଥମ ପ୍ରୟୋଗ କରିଥିଲେ ।

ଲାଗି ବେଞ୍ଜାମିନ୍ ଫ୍ରାଙ୍କଲିନ୍‌ଙ୍କ ଆବିଷ୍କାର ଲାଇଟନିଂ ରଡ ସର୍ବଶ୍ରେଷ୍ଠ । ବଜ୍ରପାତରୁ ରକ୍ଷା ପାଇବା ଲାଗି କୌଣସି ବଡ଼ ଅଟ୍ଟାଳିକା କିମ୍ବା କାରରେ ରହିଯାନ୍ତି । ଖୋଲାରେ ଗୋଟିକିଆ ତଥା ଡେଙ୍ଗା ଗଛ ତଳେ ରହନ୍ତୁ ନାହିଁ । ଆକାଶରେ ଘନ ମେଘ ରହିଥିବା ବେଳେ ମୋବାଇଲ ବ୍ୟବହାର କରିବା ବିପଜ୍ଜନକ । ଯଦି ଜଙ୍ଗଲରେ ରହିଛନ୍ତି ତେବେ ଉଚ୍ଚସ୍ଥାନକୁ ନଯାଇ ତଳିଆ ସ୍ଥାନରେ ରହନ୍ତୁ । ହେଲେ ବର୍ଷା ଯୋଗୁଁ ବନ୍ୟା ପ୍ରତି ସତର୍କ ରହିବା ଜରୁରୀ । କୌଣସି ପାହାଡ଼ର ପୁରା ଉପରେ ରହନ୍ତୁ ନାହିଁ । ନଦୀ କିମ୍ବା ପୋଖରୀ ଭିତରେ ଥିଲେ ମାଟି ଉପରକୁ ଚାଲିଆସନ୍ତୁ । ମୁଣ୍ଡରେ କେଶ ତଥା ଦେହରେ ଲୋମ ଆପେ ଛିଡ଼ା ହୋଇଯିବା ବଜ୍ରପାତ ବିପଦର ସଙ୍କେତ । ତେଣୁ ତୁରନ୍ତ ହାତରେ କେଶକୁ ଢ଼ାଙ୍କି ମୁଣ୍ଡକୁ ଆଣ୍ଠୁ ମଝିରେ ଭର୍ତ୍ତି କରିଦିଅନ୍ତୁ । ଘରର ଆର୍ଥିଙ୍ଗ କରିଦେବା ସବୁଠାରୁ ନିରାପଦ ଉପାୟ ।

ବର୍ଷାବେଳେ କୌଣସି ଗଛ ତଳେ କିମ୍ବା ପାହାଡ଼ ଉପରେ ରହିବା ବିପଜ୍ଜନକ । କାରଣ ଏପରି ସ୍ଥାନଗୁଡ଼ିକରେ ହିଁ ଅଧିକ ବଜ୍ରପାତ ହୋଇଥାଏ । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ଉପରେ ଅଧିକ ବଜ୍ରପାତ ହୁଏ ବୋଲି ଆମେରିକୀୟ ଗବେଷକ ତଥା ବଜ୍ରପାତ ନିରାପତ୍ତା ବିଶେଷଜ୍ଞ ଜନ୍ ଏସ୍ ଜେନସେନିୟସ କହିଛନ୍ତି ।
ବଜ୍ରପାତକୁ ନେଇ ଭ୍ରମ : ଗୋବର ଉପରେ ବଜ୍ରପାତ ହେଲେ ଏହା ସୁନା ହୋଇଯାଏ । ଅଶ୍ୱତଥ, ଆମ୍ବ ଏବଂ ବରଗଛ ଆଦି ଉପରେ ଅଧିକ ବଜ୍ରପାତ ହୁଏ । ଯାହା ଉପରେ ଥରେ ବଜ୍ରପାତ ହୋଇଛି ଆଉ ଥରେ ସେହି ସ୍ଥାନ ଉପରେ ହୁଏନା । କଳା ତୁଳସୀ ଚେରର ମାଳି ବଜ୍ରପାତରୁ ରକ୍ଷା କରେ ।
ଲାଇଟନିଂ ଆରେଷ୍ଟର ଘରକୁ ସୁରକ୍ଷା ଦେବ : ବଜ୍ରାଘାତରୁ ବିଲଡିଂକୁ ସୁରକ୍ଷା କରାଯିବା ଦରକାର । ଏଥିଲାଗି ବିଲଡିଂର ସବୁଠୁ ଉଚ୍ଚସ୍ଥାନରେ ଲାଇଟନିଂ ଆରେଷ୍ଟର ଲଗାଯିବା ଉଚିତ । ସେଠାରୁ ତାର ମାଧ୍ୟମରେ ଆର୍ଥିଙ୍ଗ କରିବା ଦରକାର ଯାହାଦ୍ୱାରା ଲାଇଟନିଂ ସମୟରେ ବିଦ୍ୟୁତ ପ୍ରବାହ ସହଜରେ ମାଟିକୁ ପ୍ରବେଶ କରିପାରେ ଏବଂ ଘରର କୌଣସି କ୍ଷତି କରିପାରେନି । ବିଲଡିଂରେ ବି କୌଣସି ଫାଟ ହୁଏନାହିଁ ।

ଲାଇଟନିଂର ଭୋଲଟେଜ ବହୁତ ହୋଇଥିବାରୁ ଆରେଷ୍ଟରରୁ ଆର୍ଥ ପଏଣ୍ଟ ଉପରେ ଧ୍ୟାନ ଦେଇ ସଠିକ ଭାବେ ଆର୍ଥିଙ୍ଗ କରାଯିବା ଆବଶ୍ୟକ । ବିଲ୍‌ଡିଂ ଯଦି ବେଶୀ ଜାଗାରେ ଓ ବହୁତ ବଡ଼ ହୋଇଥିବ ତେବେ ବିଭିନ୍ନ ଜାଗାରେ ଆର୍ଥିଙ୍ଗ କରିବାକୁ ହୁଏ । ଅତି ପୁରୁଣା ମନ୍ଦିର ବା ଐତିହ୍ୟଗୁଡ଼ିକ ଉପରେ ଲାଇଟନିଂର ବିପଦ ବେଶୀ । ଏଣୁ ଏହି ଉପାୟରେ ସେଠାରେ ଆରେଷ୍ଟର ଲଗାଇ ସଠିକ ଭାବେ ଆର୍ଥିଙ୍ଗ କରିବା ଜରୁରୀ ।
କଳାହାଣ୍ଡିଆ ମେଘ ତଳକୁ ଆସିବା ବେଶୀ ବିପଦ : ଲାଇଟନିଂର ଷ୍ଟାଟିକ ଇଲେକ୍‌ଟ୍ରିସିଟି ପୁରା ପଜିଟିଭ ଓ ଏହା ସବୁବେଳେ ମୋଟି ନେଗେଟିଭ ଚାର୍ଜ ଆଡ଼କୁ ପ୍ରବେଶ କରିବା ଲାଗି ଚାହେଁ । ପଜିଟିଭିରୁ ନେଗେଟିଭ ଆଡ଼କୁ ଅତି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଆସିବାକୁ ଚାହିଁବାରୁ ଏହାର ପରିମାଣ ଅତ୍ୟଧିକ ବଢ଼ିଯାଏ ଓ ମାଟି ମଧ୍ୟରେ ପ୍ରବେଶ କରିବାକୁ କମ୍ ଦୂରତା ଆବଶ୍ୟକ କରେ ।

ଏହି କାରଣରୁ ମାଟିରୁ ଉଚ୍ଚକୁ ଉଠିଥିବା ତାଳ ଓ ନଡିଆ ଗଛ, ବଡ଼ ବଡ଼ ଗଛ, ଉଚ୍ଚକୋଠା, ଟାୱାର ଆଦିକୁ ଟାର୍ଗେଟ କରେ ଓ ସେହି ମାଧ୍ୟମ ଦେଇ ବିଦ୍ୟୁତ ମାଟିକୁ ପ୍ରବେଶ କରିଯାଏ । ଦେଖିବେ ମେଘ ଆକାଶରେ ଯଦି କଳାହାଣ୍ଡିଆ ଆକାର ନେଇ ତଳକୁ ଆସୁଛି ତେବେ ସେ କ୍ଷେତ୍ରରେ କୌଣସି ସୁରକ୍ଷିତ ଜାଗାକୁ ଚାଲିଯିବା ଉଚିତ । ବଜ୍ରାଘାତରୁ ଘରକୁ ସୁରକ୍ଷିତ ରଖିବା ଲାଗି ଗାଲଭାନାଇଜ ଆଇରନ ଦ୍ୱାରା ଆର୍ଥିଙ୍ଗ କରିବା ଉଚିତ । ଆର୍ଥିଙ୍ଗରେ ଚାରକୋଲ, ସଲ୍ଟ କିମ୍ବା ବେଟନାଇଟ ଆର୍ଥ ବ୍ୟବହାର କରନ୍ତୁ । ଏ କ୍ଷେତ୍ରରେ ଆର୍ଥ ଭାଲ୍ୟୁ କମ୍ ରହିବ । ଏବେ ଅନିୟମିତ ମୌସୁମୀ ଓ ଲଘୁଚାପ ପ୍ରଭାବରୁ ମେଘର ସ୍ଥିତି ଠିକ୍ ନରହିବା ଯୋଗୁ ବେଶୀ ବଜ୍ରପାତ ହେଉଛି ବୋଲି କୁହାଯାଇପାରେ ।

Leave A Reply

Your email address will not be published.