ଭୁବନେଶ୍ୱର:କ୍ୱାରେଣ୍ଟିନ ପରିଚାଳନା ପାଇଁ ସରପଞ୍ଚଙ୍କ ଅଧିନରେ ୫ ଜଣିଆ କମିଟି ହୋଇଛି। ବ୍ଲକ ସ୍ତରରେ ସୁପରିଚାଳନା ପାଇଁ ଷ୍ଟିୟରିଂ କମିଟି ହୋଇଛି। ଏହାର ମୁଖ୍ୟ ହେଉଛନ୍ତି ବିଡିଓ। କ୍ୱାରେଣ୍ଟିନ ସେଣ୍ଟରରେ ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିବା ପଞ୍ଚାୟତିରାଜ ବିଭାଗ ସଚିବ ସୂଚନା ଦେଇଛନ୍ତି।
ପ୍ରବାସ ଫେରନ୍ତାଙ୍କୁ କ୍ୱାରେଣ୍ଟିନରେ ରଖିବାକୁ ସବୁ ପଞ୍ଚାୟତରେ ବ୍ୟବସ୍ଥା ହୋଇଛି। ପ୍ରତି ପଞ୍ଚାୟତରେ ୧୨ ହଜାର ଅସ୍ଥାୟୀ ମେଡିକାଲ ସହ ୫ ଲକ୍ଷ ବେଡ୍ର ପ୍ରସ୍ତୁତ କରାଯାଇଥିବା କହିଛନ୍ତି ପଞ୍ଚାୟତିରାଜ ସଚିବ ଡିକେ ସିଂହ। ସେ ଆହୁରି କହିଛନ୍ତି ଯେ, କ୍ୱାରେଣ୍ଟିନରେ ରହୁଥିବା ସମସ୍ତଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦିଆଯାଇଛି।
ସେହିପରି ଗତ ମେ’ ୩ତାରିଖରୁ ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୭୪୫୧ଜଣ ଓଡ଼ିଶା ଫେରିଛନ୍ତି। ଏପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ଏପର୍ଯ୍ୟନ୍ତ ୩୫୫୪୦ଜଣ ଫେରିଛନ୍ତି। ସେମାନେ ବସ୍ , ଟ୍ରେନ ଓ ଅନ୍ୟ ଯାନବାହନରେ ଆସୁଛନ୍ତି। ଓଡ଼ିଶା ଫେରୁଥିବା ଲୋକମାନଙ୍କ ପାଇଁ ୧୪ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ।
ସୂଚନାଯୋଗ୍ୟ, ଅନ୍ୟ ରାଜ୍ୟରୁ ପ୍ରାୟ ୫ଲକ୍ଷ ଓଡ଼ିଆଙ୍କ ଘରବାହୁଡ଼ା ହୋଇପାରେ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଏଥିପାଇଁ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ବହୁଳ ସଂଖ୍ୟାରେ ସରକାରଙ୍କ ୱେବସାଇଟରେ ପଞ୍ଜିକରଣ କରୁଛନ୍ତି।