Odisha news

ଭୁବନେଶ୍ୱରରେ ନିରାଡମ୍ବର ଦୁର୍ଗା ପୂଜା , ଲାଗିବନି ଆଲୋକମାଳା: ହେବନି ରୋସଣୀ , କମିଶନରେଟ୍ ପୋଲିସ-ପୂଜା କମିଟି ବୈଠକ, କଟକ ବାଲୁବଜାରକୁ ଅନୁମତି

0

ଭୁବନେଶ୍ୱର,(ନି.ପ୍ର): କୋଭିଡ୍ ଗାଇଡ୍ଲାଇନ୍ରେ ପୋଲିସ ସେବା ଭବନଠାରେ ସୋମବାର ପୂଜା କମିଟି କର୍ମକର୍ତ୍ତା ଓ କମିଶନରେଟ୍ ପୋଲିସର ଅଧିକାରୀଙ୍କ ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ମହାମାରୀ କୋଭିଡ୍-୧୯ ପାଇଁ ଚଳିତବର୍ଷ ଦୁର୍ଗାପୂଜା ନିରାଡମ୍ବରେ ହେବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ କହିବାନୁଯାୟୀ, ଆବଦ୍ଧ ଦୁର୍ଗାପୂଜା ହେବ । ଆଲୋକ ମାଳାରେ ମଣ୍ଡପ ସଜ୍ଜିତ ହେବ ନାହିଁ କିମ୍ବା ତୋରଣ ହେବ ନାହିଁ ।

ରାବଣ ପୋଡି, ଭସାଣ, ରୋସଣୀ ମଧ୍ୟ ମନା । ଭସାଣ ସମୟରେ ଟ୍ରକ, ଟ୍ରାକ୍ଟର ବିଭିନ୍ନ ଶୋଭାଯାତ୍ରାକୁ ବାରଣ କରାଯାଇଛି । ସେହିପରି ପୂଜା କିମିଟି କର୍ମକର୍ତ୍ତାଙ୍କ ସୂଚନାରୁ ଜଣାପଡିଛି ମା’ଙ୍କ ପୂଜାର ସର୍ବନିମ୍ନ ଆବଶ୍ୟକତାକୁ ଆଧାର କରି ଚଳିତବର୍ଷ ଦୂର୍ଗା ପୁଜା ଅନୁଷ୍ଠିତ ହେବ । ଯାହାବି ହେଲେ ପୂଜା ପାଖରେ କୋଭିଡ୍ର ସମସ୍ତ ଗାଇଡ୍ଲାଇନ୍ ମାନିବାକୁ ହେବ । ଗଣେଶ ପୂଜା ଭଳି କାଳେ ଦୁର୍ଗା ପୂଜା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସେଥିପାଇଁ ବ୍ୟସ୍ତ ହୋଇ ପଡିଥିଲେ ପୂଜା କମିଟି କର୍ମକର୍ତ୍ତିା । ସୋମବାର ବୈଠକ ପରେ ପୂଜା କିମଟି କର୍ମକର୍ତ୍ତା ଆଶ୍ୱସ୍ତ ହୋଇଛନ୍ତି ।

ପ୍ରସ୍ତୁତି ବୈଠକରେ ପୋଲିସ କମିଶନର ଶ୍ରୀ ଷଡଙ୍ଗୀ ଅଧ୍ୟକ୍ଷତା କରିଥିବାବେଳେ ଆବଶ୍ୟକୀୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଅନୁରୂପ ଭାବେ ଭୁବନେଶ୍ୱରର ପ୍ରମୁଖ ପୂଜା କମିଟି, କର୍ମକର୍ତ୍ତା ଓ ଭସାଣ କମିଟିର କର୍ମକର୍ତ୍ତା ବୈଠକରେ ଯୋଗ ଦେଇ ତାଙ୍କ ମତ ରଖିଥିଲେ । ପୋଲିସ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲା ନରିଡାମ୍ବରରେ ଆବଦ୍ଧ ପୂଜା ଅନୁଷ୍ଠିତ ହେବ । ସାମାଜିକ ଦୂରତ୍ୱ ଓ ମାକ୍ସକୁ ବାଧ୍ୟତାମୂଳକ ରଖାଯାଇଛି । ଏହି ବୈଠକ ପୂର୍ବରୁ କମିଶନରେଟ୍ ପୋଲିସ କଟକ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଆବଦ୍ଧ ପୂଜା କରିବାକୁ ଅନୁମତି ଦେଇଥିଲା ।

ଅନ୍ୟପକ୍ଷରେ ଦୁର୍ଗାପୂଜା ଅନୁଷ୍ଠିତ ନିମନ୍ତେ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ମଣ୍ଡପରେ ପୂଜା କରିବାକୁ ତାଙ୍କୁ ଅନୁମତି ମିଳିଛି । ଚଳିତବର୍ଷ ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ଦୁର୍ଗାପୂଜା ସେପରି ଜାକ ଜମକରେ ହେବନାହିଁ । ପୂଜାର ସର୍ବନିମ୍ନ ଆବଶ୍ୟକତାକୁ ପାଳନ କରାଯିବ ବୋଲି ଦୁଇଟି ବୈଠକପରେ ସର୍ବସମ୍ମର୍ତ୍ତ ନିଷ୍ପତ୍ତି ହୋଇଛି । କଟକରେ ହୋଇଥିବା ନିଷ୍ପତ୍ତି ଅନୂଯାୟୀ ଅନୁରୁପ ଭାବେ ଭୁବନେଶ୍ୱରରେ ସମାନ ନିଷ୍ପତ୍ତି ହୋଇଛି ଯେ, ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ । ପୂଜାରେ କୌଣସି ପ୍ରକାର ଆଡମ୍ୱର ହେବନାହିଁ କି ଡାକବାଜି ଯନ୍ତ୍ରର ବ୍ୟବହାର ହୋଇପାରିବନି ।

ପୂଜାରେ ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି । ସେହିପରି କମିଟି ପକ୍ଷରୁ ପୂଜା ପାଇଁ ଲୋକଙ୍କ ଠାରୁ ଘର ଘର ବୁଲି ଚାନ୍ଦା ଆଦାୟ କରାଯାଇପାରିବନି । ଯଦି କେହି ସ୍ୱଇଚ୍ଛାରେ ପୂଜା ପାଇଁ ଚାନ୍ଦା ଦେଉଥାନ୍ତି ତାହା ଗ୍ରହଣ କରାଯାଇପାରିବ । ସେହିପରି କୌଣସି ପ୍ରକାର ଭସାଣ ଉତ୍ସବକୁ ମଧ୍ୟ ଅନୁମତି ମିଳିବନାହିଁ । କେବଳ ମୂର୍ତ୍ତି ବିସର୍ଜନ କରିବାକୁ ଅନୁମତି ଦିଆଯିବ ବୋଲି ପୋଲିସ କମିଶନର ଶ୍ରୀ ଷଡଙ୍ଗୀ କହିଛନ୍ତି ।

IEC 2 years
Leave A Reply