Odisha news

ନକଲି ଡାକ୍ତର ରମେଶ ମାମଲା , ୫ଦିନ ରିମାଣ୍ଡରେ ଯିବେ କମଳା

0

ଭୁବନେଶ୍ୱର,(ନି.ପ୍ର): ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳା ତିର୍କୀଙ୍କୁ ମହିଳା ଥାନା ପୋଲିସ ୫ଦିନିଆ ରିମାଣ୍ଡରେ ନେବ । ପୋଲିସ ୭ଦିନ ପାଇଁ ନେବାକୁ ଆବେଦନ କରିଥିଲା । ହେଲେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ୫ଦିନ ଅନୁମତି ଦେଇଛନ୍ତି । ଅନ୍ୟପକ୍ଷେ ରମେଶଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇନାହାନ୍ତି । ପୂର୍ବରୁ ରମେଶ ୪ଥର ରିମାଣ୍ଡରେ ଆସିଛନ୍ତି । ଏହି ଦିଗକୁ ଧ୍ୟାନଦେଇ ରିମାଣ୍ଡ ଅନୁମତି ମିଳିନଥିବା ଜଣାପଡ଼ିଛି ।

ସେପଟେ ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହୋଇଥିବାର ପ୍ରମାଣ ପୋଲିସ ହାତରେ ଲାଗିଛି । ରମେଶଙ୍କୁ ଜାମିନ୍ରେ ବାହାର କରିବାକୁ କମଳା ପୁରା ପ୍ରସ୍ତୁତି କରିଥିଲେ । ଜଣେ ଓକିଲଙ୍କୁ ଯୋଗାଡ଼ କରିବା ସହ ସମସ୍ତ ଟଙ୍କା ନିଜେ ବହନ କରୁଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଠକେଇରୁ ଉପାର୍ଜିତ ଅର୍ଥ କେଉଁଠାରେ ରଖିଛନ୍ତି, ସେହି ଟଙ୍କାରେ କେଉଁଠାରେ ସବୁ ସମ୍ପତି କିଣିଛନ୍ତି, ସେ ସର୍ମ୍ପକରେ କମଳାଙ୍କୁ ପଚରାଉଚରା କରାଯିବ । ରାଜ୍ୟ ବାହାରେ ରମେଶଙ୍କ ସମ୍ପତି ଥିବା କୁହାଯାଉଥିବାରୁ ସେ ଦିଗରେ ମଧ୍ୟ ଖୋଳତାଡ୍ ହେବ । ଦ୍ୱିତୀୟ ପତ୍ନି କମଳା ଓ ଗିରଫ ହୋଇ ଜେଲ୍ରେ ଥିବା ରମେଶଙ୍କ ଭଉଣୀ ସମସ୍ତ ଠକେଇରେ ରମେଶଙ୍କ ସହଯୋଗ କରୁଥିଲେ । ବାହାଘରରେ ବରଯାତ୍ରୀ ହେବା ଠାରୁ ଭଉଣୀ ଦାୟିତ୍ୱ ମଧ୍ୟ ତୁଲାଉଥିଲେ । ଗିରଫଦାରୀକୁ ଭୟ କରି କମଳା ଫେରାର ହୋଇ ଝାରଖଣ୍ଡରେ ଥିଲା । ପରେ ପୋଲିସ ଝାରଖଣ୍ଡର ରାଞ୍ଚିରୁ କମଳାଙ୍କୁ ଗିରଫ କରିଥିଲା ।

Leave A Reply