Odisha news

ଆଲୋକର ପର୍ବ ଦୀପାବଳୀ ଓ ଏହାର ମହତ୍ୱ

ଦୀପାବଳୀ ହିନ୍ଦୁ ଧର୍ମରେ ଗୋଟିଏ ଲୋକପ୍ରିୟ ଓ ପ୍ରସିଦ୍ଧ ପର୍ବ ଅଟେ l ଯାହାକୁ ଉତ୍ସାହ ଓ ଉଦ୍ଧିପନା ମଧ୍ୟରେ ପାଳନ କରାଯାଇଥାଏ l ଦୀପାବଳୀ ହେଉଛି ଆଲୋକର ପର୍ବ l ଦୀପାବଳୀର ମହତ୍ୱ ପୁରାଣ ଯୁଗରୁ ରହି ଆସିଛି l ଏହି ପର୍ବଟିକୁ କାର୍ତିକ ମାସର ଅମାବାସ୍ୟା ଦିନ ପାଳନ କରାଯାଏ l ଉତ୍ତର ଭାରତର ଲୋକମାନଙ୍କର ଏହା ଗୋଟିଏ ବଡ ପର୍ବ ଅଟେ ,ଏହା ବ୍ୟତୀତ ବିଶ୍ୱରେ ବିଭିନ୍ନ ଦେଶରେ ଦୀପାବଳୀକୁ ପାଳନ କରି ଥାଆନ୍ତି l  ଭାରତ ବ୍ୟତୀତ ନେପାଳ,ସିଙ୍ଗାପୁର,ମାଲେସିୟା,ଶ୍ରୀଲଙ୍କା,ଇଣ୍ଡୋନେସିଆ,ମରିସସ,ସୁରିନାମ,ତ୍ରିନିଦାନ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଦୀପାବଳୀ ପାଳନ କରାଯାଇଥାଏ l

ହିନ୍ଦୁ ମାନ୍ୟତା ଅନୁସାରେ ଦୀପାବଳୀ ଦିନ ଭଗବାନ ରାମ ୧୪ ବର୍ଷର ବନବାସ ପରେ ମା ସୀତା,ଭାଇ ଲକ୍ଷ୍ମଣ ଓ ଭକ୍ତ ହନୁମାନଙ୍କ ସହିତ ଅଯୋଧ୍ୟାରୁ ଫେରିଥିଲେ l ଅମାବାସ୍ୟା କାରଣରୁ ଖୁବ ଅନ୍ଧାର ହୋଇଥିଲା l ଏହାପରେ ଅଯୋଧ୍ୟା ବାସୀ ସମଗ୍ର ଅଯୋଧ୍ୟାକୁ ଫୁଲ ଓ ଦୀପ ରେ ସଜାଇ ତାଙ୍କର ରାଜା ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ୱାଗତ କରିଥିଲେ l ସେହି ଦିନ ଠାରୁ ଦୀପାବଳୀ ଦିନ ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳୀ ପାଳନ ହୋଇ ଆସୁଛି l ଆହୁରି ଏହିଦିନ ଶ୍ରୀକୃଷ୍ନ ନରକ ଅସୁର କୁ ବଧ କରିଥିଲେ l

ଆମ ଓଡ଼ିଶାର ସଂସ୍କୃତି ଜଗନ୍ନାଥ ସଂକୃତି ସହିତ ଜଡିତ l ଓଡ଼ିଶାରେ ଦୀପାବଳୀ ଦିନ ନିଜର ପୂର୍ବ ପୁରୁଷଙ୍କୁ ମନେ ପକାଇ ବଡ଼ବଡ଼ୁଆ ଡାକ ଦିଆଯାଏ l କାରଣ ଓଡ଼ିଆ ଘରର ପରମ୍ପରା ଅନୁସାରେ କୁହାଯାଏ ଯେ ଦୀପାବଳୀ ଦିନ ଅମାବାସ୍ୟା ହୋଇଥିବା କାରଣରୁ ଆମ ଓଡ଼ିଆ ଘରେ ସନ୍ଧ୍ୟା ସମୟରେ କାଉଁରିଆ କାଠି ଜାଳି ନିଜର ପୂର୍ବଜ ଙ୍କ ସ୍ମରଣରେ ପୂଜା କରାଯିବାର ପରମ୍ପରା ରହିଛି, କୁହାଯାଏ ଯେ ଏହାଦ୍ୱାରା ପୂର୍ବ ପୁରୁଷ ମୋକ୍ଷ ପ୍ରାପ୍ତି କରି ଥାଆନ୍ତି l  ତେଣୁ ଏହିଦିନ ସନ୍ଧ୍ୟା ସମୟରେ ଘର ଅଗଣାକୁ ଗୋବରରେ ଲିପା ହୋଇଥାଏ ଓ ଝୋଟି ପକା ଯାଇଥାଏ l ସେଠାରେ ଗୋଟିଏ କଳସ ସ୍ଥାପନା କରାଯାଇଥାଏ l ଏଠାରେ ଭୋଗ ଦୀପ ସବୁ ଏକାଠି କରି ରଖାଯାଏ l ଏହାପରେ ଘରର ସଦସ୍ୟ ମାନେ ଏକାଠି ହୋଇ ଥାଆନ୍ତି l ବ୍ରାହ୍ମଣଙ୍କ ଉପସ୍ଥିତି ରେ ପ୍ରସାଦ ଅର୍ପଣ କରାଯାଇ ଦୀପ ଜଳାଇ ପୂଜା ଅର୍ଚନା କରାଯାଇ ଥାଏ l

ଏହାପରେ ଘରର ପୁରୁଷ ମାନେ ଏକାଠି ହୋଇ ସେହି ଦୀପ ଆଲୋକରେ କାଉଁରିଆ କାଠି ଜଳାଇ ଆକାଶକୁ ଟେକି ଥାଆନ୍ତି ଓ କହି ଥାଆନ୍ତି “ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ, ବାଇଶି ପାହାଚ ରେ ଗଡଗଡଉ ଥାଅ l’

ଉତର ଭାରତରେ ଦୀପାବଳୀ ଉତ୍ସବକୁ ବିଶେଷ ଭାବରେ ୫ଦିନ ଧରି ପାଳନ କରାହୁଏ l ଉତର ଭାରତର ଲୋକମାନେ ପ୍ରଥମ ଦିନକୁ ଧନତେରସ,ଦ୍ୱିତୀୟ ଦିନକୁ ନରକ ଚତୁର୍ଦଶୀ, ତୃତୀୟ ଦିନକୁ ଦୀପାବଳୀ,ଚତୁର୍ଥ ଦିନକୁ ଗୋବର୍ଧନ ପୂଜା ଓ ଶେଷ ଦିନ ଭାଇ ଦୂଯ ଭାବରେ ପାଳନ କରି ଥାଆନ୍ତି l ବିଶେଷ କରି ଦୀପାବଳୀରେ ମାତା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ l ମାନ୍ୟତା ରହିଛି ଯେ ଏହିଦିନ ଲକ୍ଷ୍ମୀ ଗଣେଶଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଗଲେ ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ l

Comments are closed.