Odisha news

ଉଚ୍ଚଶିକ୍ଷିତା ଦିବ୍ୟାଙ୍ଗ ଯୁବତୀ ଗୀତାଞ୍ଜଳିଙ୍କ ଦୁଃଖ ଶୁଣିବ କିଏ?

0

ଧର୍ମଶାଳା : ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦମପାଳ ଗ୍ରାମର ଯୁବତୀ ଗୀତାଞ୍ଜଳି । ପିଲାଟି ବେଳୁ ଦିବ୍ୟାଙ୍ଗ । ପୋଲିଓରେ ଆକ୍ରାନ୍ତ ହେବା ଯୋଗୁଁ ତାଙ୍କର ଦୁଇଟି ଗୋଡ ଅଚଳ ହୋଇପଡିଛି । ହେଲେ ସେ ଜୀବନ ଯୁଦ୍ଧରେ ହାରି ଯାଇ ନାହାନ୍ତି । ସ୍କୁଲ ଶିକ୍ଷା ସମାପ୍ତ କରି କଲେଜରେ ପାଠ ପଢି ଗ୍ରାଜୁଏସନ ଶେଷ କରିବା ସହିତ ସିଟି ପାସ କରିଛନ୍ତି । ହେଲେ ଚାକିରି ନମିଳିବାରୁ ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢାଇ ଦୁଇ ପଇସା ରୋଜଗାର କରୁଥିଲେ । ତେବେ କରୋନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଛନ୍ତି ସରକାର ।

ଏବେ ବାଧ୍ୟ ହୋଇ ଗାଁ ପିଲାଙ୍କୁ ଟୁ୍ୟସନ ପଢାଇ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ପ୍ରତିପୋଷଣ ହେଉଛି । ପୂର୍ବରୁ ଏକ ସଡକ ଦୁର୍ଘଟଣାରେ ଗୀତାଂଜଳିଙ୍କ ବଡଭାଇ ଆରପାରିକି ଚାଲିଯାଇଥିବା ବେଳେ ଲକଡାଉନ ସମୟରେ ଦିନ ମଜୁରିଆ ବାପା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି । ଘରେ ଏବେ ରୋଗୀଣା ମା ସହ ଝିଅ ଗୀତାଞ୍ଜଳି ବହୁ କଷ୍ଟରେ ଦିନ କାଟୁଛନ୍ତି ।

ପିଲାଙ୍କୁ ଟୁ୍ୟସନ ପଢାଇବା ଲାଗି ଗୀତାଞ୍ଜଳିଙ୍କୁ ପ୍ରତ୍ୟେକ ଦିନ ଘରୁ ତିନି କିଲୋମିଟର ଦୂର ଉଦୟନଗର ଗାଁକୁ ଯିବାକୁ ପଡୁଛି । ଗୀତାଞ୍ଜଳିଙ୍କ ସମ୍ପର୍କର୍ୀୟ ଭାଇ ତାଙ୍କୁ ସ୍କୁଟିରେ ବସାଇ ନେବା ଆଣିବା କରୁଛନ୍ତି । ଗୀତାଞ୍ଜଳି ମାସିକ ୭ଶହ ଟଙ୍କା ଭିନ୍ନକ୍ଷମ ଭତା ପାଉଥିବା ବେଳେ ମାଙ୍କୁ ରାସନ କାର୍ଡରେ ମିଳୁଛି ଚାଉଳ । ଗୀତାଂଜଳିଙ୍କ ମା କିଡନୀ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କ ଔଷଧ ପତ୍ରରେ ଅନେକ ଟଙ୍କା ଖର୍ଚ୍ଚ ହେଉଛି । ଯାହା ଫଳରେ ପରିବାର ଚଳିବା କଷ୍ଟକର ହୋଇପଡୁଛି ।

ଗୀତାଞ୍ଜଳିଙ୍କୁ ସରକାର ଚାକିରିଟିଏ ଯୋଗାଇଦେଲେ ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ପ୍ରତିପୋଷଣ କରିପାରନ୍ତେ । ତେବେ ଏଭଳି ଜଣେ ଶିକ୍ଷିତ ଅସହାୟ ଦିବ୍ୟାଙ୍ଗକୁ ସରକାରୀ ଚାକିରୀଟିଏ ଯୋଗାଇ ଦେବା ଲାଗି ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Ad2
Leave A Reply