ଧର୍ମଶାଳା : ଧର୍ମଶାଳା ବ୍ଲକରେ ରାସନ କାର୍ଡ କେଳାଙ୍କାରୀ ଚରମ ସୀମାରେ ପହଁଚିଛି । ଥିଲାବାଲା ଲୋକଙ୍କ ରାସନ କାର୍ଡ ରହିଥିବା ବେଳେ ମିଥ୍ୟା ତଥ୍ୟ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ କରାଯାଉଥିବା ଭଳି ଏକାଧିକ ଘଟଣା ନଜରକୁ ଆସିଛି । ଏଭଳି ଏକ ଘଟଣାର ତନ୍ତରେ ଯାଇଥିବା ଧର୍ମଶାଳା ବ୍ଲକର ଯୋଗାଣ ଅଧିକାରୀ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଛନ୍ତି । ଏହି ବ୍ଲକ ମହିଶରା ପଂଚାୟତର ରମ୍ପେଇ ଗ୍ରାମକୁ ରାସନ କାର୍ଡରୁ ବାଦ ପଡିଥିବା ଜଣେ ଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ ତଦନ୍ତ କରିବାକୁ ଯାଇ ଗ୍ରାମବାସୀଙ୍କ ଦ୍ୱାରା ଅଟକଥିବା ବ୍ଲକ ଯୋଗାଣ ଅଧିକାରୀଙ୍କୁ ପୁଲିସ ଉଦ୍ଧାର କରିଛି । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା ନେଇ ହାଇକୋର୍ଟରେ ଜନସ୍ୱାର୍ତ ମାମଲା ରୁଜୁ ହୋଇଥିଲା ।
ମାନ୍ୟବର ହାଇକୋର୍ଟ ଏସମ୍ପର୍କରେ ଧର୍ମଶାଳା ବିଡିଓଙ୍କ ଠାରୁ କଇଫିଅତ ତଲବ କରିଥିଲେ । ତେବେ ବିଡିଓ ଝାଟିମାଟି ଘରେ ରହୁଥିବା ପରିବାରଙ୍କ କୋଠାଘର ଓ ବିଦ୍ୟୁତ ସଂଯୋଗ ହୋଇ ନଥିବା ପରିବାରର ଅତ୍ୟଧିକ ବିଦୁ୍ୟତ ବିଲ ଆସିଥିବା ଦର୍ଶାଇ ରାସନ କାର୍ଡରୁ ନାମ କଟିଥିବା ହାଇ କୋର୍ଟକୁ ମିଥ୍ୟାସତ୍ୟ ପାଠ ଦେଇଥିଲେ । ଏହା ଏକ ମିଥ୍ୟା ସତ୍ୟପାଠ ଜଣାପଡିବା ପରେ ଏହି ଘଟଣାର ତଦନ୍ତ ଲାଗି ବିଡିଓ ସ୍ମିତା ରଥ ବ୍ଲକର ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ଅନ୍ୟ ଜଣେ ପିଇଓଙ୍କୁ ରାସନ କାର୍ଡରୁ ବାଦ ପଡିଥିବା ରମ୍ପେଇ ଗ୍ରାମର ସ୍ୱର୍ଣ୍ଣଲତା ବିଶ୍ୱାଳଙ୍କ ଘରକୁ ପଠାଇଥିଲେ । ଆଜି ପୁର୍ବାହ୍ନରେ ଯୋଗାଣ ଅଧିକାରୀ ଶ୍ରୀ ଦାସ ସେଠାରେ ପହଁଚିବା ସମୟରେ ଗ୍ରାମବାସୀମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଏକ କୁଡିଆ ଘରେ ନିଜ ପରିବାର ସହିତ ରହୁଥିବା ଶ୍ରୀମତୀ ବିଶ୍ୱାଳଙ୍କ ୬ ବଖରା କୋଠା ଘର ରହିଛି ବୋଲି ଦର୍ଶାଯାଇ ତାଙ୍କର ରାସନ କାର୍ଡ କାଟି ଦିଆଯାଇଛି ବୋଲି ବିଡିଓ ସତ୍ୟପାଠରେ କିଭଳି ଦର୍ଶାଇଲେ ଏହାକୁ ନେଇ ଲୋକେ ଯୋଗାଣ ଅଧରକାରୀଙ୍କ ସହିତ ଯୁକ୍ତି ତର୍କ କରିବା ସହ ତାଙ୍କୁ ଅଟକ ରଖିଥିଲେ ।
ହାଇକୋର୍ଟକୁ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ସମ୍ପୃକ୍ତ ବିଡିଓ ଘଟଣା ସ୍ଥଳକୁ ନଆସିବା ଯାଏ ତାଙ୍କୁ ଛଡା ଯିବ ନାହିଁ ବୋଲି ଲୋକେ ଅଡି ବସିଥିଲେ । ଯୋଗାଣ ଅଧିକାରୀ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହିଥିବା ଖବର ପାଇ ଜେନାପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାସ ସେଠାରେ ପହଁଚି ତାଙ୍କୁ ଉଦ୍ଧାର କରିଥିଲେ । ତେବେ ପ୍ରକୃତରେ ସ୍ୱର୍ଣ୍ଣଲତାଙ୍କ ଏକ ଝାଟିମାଟି ଘର ରହିଛି କମ୍ପ୍ୟୁଟରରେ ଭୁଲ ବସତ ତାଙ୍କର ୬ ବଖରା କୋଠା ଘର ରହିଛି ବୋଲି ଚଡିଯାଇଥିବାରୁ ସେ ରାସନ କାର୍ଡରୁ ବାଦ ପଡିଛନ୍ତି । କିନ୍ତୁ ପ୍ରକୃତପେକ୍ଷ ତାଙ୍କର କୋଠାଘର ଆଦୌଁ ନାହିଁ ସେ ଏକ ଚାଳ ଛପର ଘରେ ରହୁଛନ୍ତି ବୋଲି ତଦନ୍ତ କରିବାକୁ ଯାଇଥିବା ଯୋଗାଣ ଅଧରକାରୀ ଶ୍ରୀ ଦାସ କହିଛନ୍ତି । ହେଲେ ବିଡିଓ କାହା ପ୍ରରୋଚନାରେ ପଡି ମାନ୍ୟବାର ହାଇକୋର୍ଟକୁ ଏଭଳି ମିଥ୍ୟା ସତ୍ୟପାଠ ଦେଇଛନ୍ତି ତାହାକୁ ନେଇ ନାନାଦି ଆଲୋଚନା ହେଉଛି । ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।