Odisha news

ଧର୍ମଶାଳାରେ ବିଭତ୍ସ ହତ୍ୟାକାଣ୍ଡ, ଶିକ୍ଷୟତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

0

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିେରେ କେହି ଦୁର୍ବୁତ ଆକ୍ରମଣ କରି ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅକୁ ଧାରୁଆ ଅସ୍ତ୍ରରେ ହାଣି ଲହୁଲୁହାଣ କରିଛନ୍ତି  । ମୃତକ ମହିଳା ହେଲେ ସ୍ଥାନୀୟ ମିର୍ଜାପୁରଗ୍ରାମସ୍ଥିତ ଅନନ୍ତ କୁମାରୀ ବାଳିକା ବିଦ୍ୟାଳୟର ଶିକ୍ଷୟତ୍ରୀ ତରୁଲତା ବିଶ୍ୱାଳ(୫୨) ଏବଂ ଆହତ ସ୍ୱାମୀ ନିତ୍ୟରଞ୍ଜନ ମଲିକ(୫୫) ଓ ଝିଅ ଜୟଶ୍ରୀ ମଲିକ (୧୭) ବୋଲି ଜଣାପଡିଛି । ସ୍ୱାମୀ ନିତ୍ୟରଞ୍ଜନ ଅନୁଗୁଳସ୍ଥିତ ଏକ କମ୍ପାନୀରେ ଇଂଜିନିଅର ଭାବେ କାର୍ଯ୍ୟ କରୁଥିବା ବେଳେ ଲକଡାଉନ ଯୋଗୁ ସେ ୩ମାସ ହେବ ଘରେ ରହୁଥିଲେ ।

ସେହିପରି ଝିଅ ଜୟଶ୍ରୀ କଟକସ୍ଥିତ ଏକ କଲେଜରେ +୨ ଦ୍ୱିଦୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ତରୁଲତା ଏଠାରେ ଶିକ୍ଷୟତ୍ରୀ ଚାକିରି କରିଥିବା ବେଳେ ଗତ ୨୫ ବର୍ଷ ହେବ ଏଠାରେ ଘର ଭଡା ନେଇ ପରିବାର ସହିତ ରହୁଥିଲେ । ତେବେ ପ୍ରତିଦିନ ପରି ଗତକାଲି ରାତିରେ ସେମାନେ ଖାଇ ସାରି ଶୋଇଥିଲେ । ହେଲେ ଘର ପଛପଟେ ତିନିଜଣ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଆଜି ସକାଳୁ ପଡୋଶୀ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ । ହେଲେ ତରୁଲତାଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ସ୍ୱାମୀ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲରେ ସ୍ଥାନାନ୍ତର କରାଯାଇଛି ।

ତେବେ ଏହା ଏକ ରହସ୍ୟ ଜନକ ହତ୍ୟାକାଣ୍ଡ ହୋଇଥିବାରୁ ଯାଜପୁର ଏସପି ଚରଣସିଂ ମୀନା ଓ ଯାଜପୁର ରୋଡ ଡିଏସପି ଚିନ୍ମୟ କୁମାର ନାୟକ ଘଟଣା ସ୍ଥଳରେ ପହଁଚି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ସହିତ ଆଲୋଚନା କରିବା ସହିତ ସନ୍ଧାନୀ କୁକୁର ଓ ସାଇନଟିଫିକ ଟିମ ସହାୟତାରେ ତଦନ୍ତ କରିଛନ୍ତି । ମୃତ ମହିଳାଙ୍କ ଶବକୁ ପୁଲିସ ଜବତ କରି ବ୍ୟବଛେଦ ଲାଗି ବଡଚଣା ମେଡିକାଲକୁ ପଠାଇଛି । ଏହି ହତ୍ୟାକଣ୍ଡ ଘଟଣାରେ କେଉଁମାନେ ସମ୍ପୃକ୍ତ ପୋଲିସ ସ୍ପଷ୍ଟ କରିନଥିବା ବେଳେ କିଛି ସୁରାକ ପାଇ ସ୍ଥାନୀୟ ଅଂଚଳର ୨ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି ।

Nalco
Leave A Reply