ଧାମନଗର : ଜୀବନଥିଲେ ଅନେକ ରଜ ଆସିବ । ରାଜ୍ୟ ସରକାର ଓଡ଼ିଶାର ଜନସାଧାରଣଙ୍କୁ ଏହି ସନେ୍ଦଶ ଦେଇ ମହାମାରୀ କରୋନା ସହିତ ଲଢିବାପାଇଁ ଆହ୍ୱାନ ଦେଇଥିବାବେଳେ ଲୋକେ ଏହାକୁ କର୍ଣ୍ଣପାତ କରିନାହାନ୍ତି । ଭାରତରେ କରୋନା ସଂକ୍ରମଣ ବିପଦ ଜନକ ସ୍ଥିତିରେ ପହଂଚି ଥିବାବେଳେ ଓଡ଼ିଶାରେ ଏହାର ସ୍ଥିତି ମଧ୍ୟ ଚିନ୍ତା ଜନକ ଅବସ୍ଥାରେ ପହଂଚିଛି ।
ଏପରି ସ୍ଥଳେ ଲୋକେ ସାମାଜିକ ଦୂରତ୍ୱ ରକ୍ଷା ନକରି ରଜ ବଜାରକୁ ଆଶାତିତ ଭିଡ଼କରି ନିଜକୁ ବିପଦ ଭିତରକୁ ଟାଣି ଆଣିବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି । ଶନିବାର ଓ ରବିବାର ଦୁଇଦିନ ସଟ୍ଡ଼ାଉନ୍ ଥିବାରୁ ରଜ ଉସôବକୁ ଧୁମଧାମରେ ପାଳନ କରିବାପାଇଁ ଧାମନଗର ଅଞ୍ଚଳର ଲୋକେ ଶୁକ୍ରବାର ଦିନସାରା ଧାମନଗର ବଜାରକୁ ଭିଡ଼ କରି ରଖିଥିଲେ । ଧାମନଗର ଏନ୍ଏସିରେ ଥିବା ମୁଖ୍ୟବଜାରରେ ଆଜି ହଜାର ହଜାର ସଂଖ୍ୟାରେ ଲୋକେ ରଜସାମଗ୍ରୀ କିଣୁଥିବାବେଳେ ଘଣ୍ଟା ଘଣ୍ଟା ଧରି ଧାମନଗରର ମୁଖ୍ୟରାସ୍ତା ଅଚଳ ହୋଇପଡ଼ିଥିଲା ।
ସ୍ଥାନୀୟ ପୋଲିସ ଟ୍ରାଫିକ୍ ସମସ୍ୟାକୁ ସୁଧାରିବାପାଇଁ ନାକେଦମ୍ ହୋଇଥିଲା । ରଜ ସଉଦା ସହ ଘରକୁ କରୋନା ନଆଣିବାକୁ ଓଡ଼ିଶା ସରକାରଙ୍କ କୋଭିଡ଼ ମୁଖପାତ୍ର ସୁବ୍ରତ ବାଗ୍ଚୀ ଜନସାଧାରଣଙ୍କୁ ନିବେଦନ କରିଥିବାବେଳେ ବ୍ୟବସାୟୀ, ଗ୍ରାହକଙ୍କୁ ମାସ୍କ ଓ ଗ୍ଲୋଭସ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଲୋକେ ସରକାରଙ୍କ ଏହି ଅନୁରୋଧ ଓ ନିଦେ୍ର୍ଦଶକୁ ଖୋଲା ଖୋଲି ଭାବେ ଉଲଙ୍ଘନ କରିଥିଲେ । ଧାମନଗର ସାନବାଜର ଓ ବଡ଼ବଜାରରେ ଥିବା ଲୁଗା ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ହୋଇଥିବାବେଳେ ମିଠା ଓ ଫଳ ଦୋକାନରେ ନାହିଁ ନଥିବା ଭିଡ଼ ଦେଖାଦେଇଥିଲା । ୫ଦିନର ସାହାଣ ମେଳାପରେ ଦୁଇଦିନ ସଟ୍ଡ଼ାଉନ୍ ଲୋକଙ୍କ ଜୀବନକୁ କେତେ ସୁରକ୍ଷା ଦେବ ସେ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି । ତେବେ ସ୍ଥାନୀୟ ପୋଲିସ ପ୍ରଶାସନ ସରକାରୀ ନିୟମକୁ କଢା କଢିଭାବେ ପାଳନ କରିବାପାଇଁ ଦାବି ହେଉଛି ।