Odisha news

୭ ବଖରା ଜଳିଗଲା, ୮ ଛେଳି ଜୀବନ୍ତ ଦଗ୍ଧ : ୪ ପରିବାର ବାସହରା

ଡେରାବିଶ  – ଡେରାବିଶ ବ୍ଳକ ହରିଅଙ୍କ ପଂଚାୟତ ଅନ୍ତର୍ଗତ ହରିଅଙ୍କ ଗ୍ରାମର ଯେନାସାହିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ବଖରା ବାସଗୃହ ଓ ୨ ବଖରା ଗୁହାଳ ସମ୍ପୂର୍ଣ୍ଣ ଜଳିଯିବା ସହିତ ୮ଟି ଛେଳି ଜୀବନ୍ତ ଦଗ୍ଧହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ ହରିଅଙ୍କ ଯେନାସାହିର ଯଦୁନାଥ ଯେନା, ଗୋଲଖ ଯେନା, ଅଲେଖ ଯେନା ଓ ରାଜକିଶୋର ଯେନାଙ୍କ ଘରକୁ ଲାଗି ଦୁଇ ବଖରା ଗୁହାଳ ରହିଛି । ସେ ଗୁହାଳଘରେ ଶୁଖିଲାଜାଳ ପତ୍ର ରହିଥିବା ବେଳେ ସେମାନଙ୍କର ଛେଳି ସେ ଗୁହାଳରେ ରୁହନ୍ତି । ଗତକାଲି ମଧ୍ୟ ରାତିରେ ଛେଳି ଗୁହାଳେ ଦିଆଯାଇଥିବା ଧୂଆଁରୁ ନିଆଁଲାଗି ନିଆଁ ଗୁହାଳର ଚାଳକୁ ଉଠିଯାଇଥିଲା । ଯାହା ଫଳରେ ସମ୍ପୂର୍ଣ୍ଣ ଛପରଟି ଭାଙ୍ଗିପଡ଼ିଥିଲା ।

ସେଥିରେ ଥିବା ୮ଟିଛେଳି ଏହି ଛପରତଳେ ରହି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହା ପରେ ନିଆଁ ସେମାନଙ୍କ ବାସଗୃହକୁ ବ୍ୟାପୀ ଯାଇଥିଲା । ସମସ୍ତ ୪ ପରିବାର ଶୋଇଥିବା ବେଳେ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣି ପାରିନଥିଲେ । ପଡ଼ୋଶୀଘର କୋଠାଘର ଉପରେ ଶୋଇଥିବା ଜଣେ ବ୍ୟକ୍ତି ଘରଗୁଡ଼ିକ ଜଳୁଥିବା ଦେଖି ଡାକ ପକାଇଥିଲେ । ଫଳରେ ୪ ପରିବାରର ସଦସ୍ୟମାନେ ଜୀବନ ବିକଳରେ ପଦାକୁ ବାହାରି ଆସିଥିଲେ । ନିଆଁର ପ୍ରକୋପ ଏତେଥିଲା ଯେ, ସେମାନଙ୍କ ଘରେ ଥିବା ସମସ୍ତ ଧାନ ଚାଉଳ, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ବିପନ୍ନ ପରିବାରଙ୍କ ପିନ୍ଧା ବସ୍ତ୍ର ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ପୋଡ଼ି ଯାଇଛି । ଖବର ପାଇ ପାଟକୁରାରୁ ଅଗ୍ନିଶମ ଗାଡ଼ିଆସି ନିଆଁକୁ ଲିଭାଇଥିଲା ।

ଖବର ପାଇ ସ୍ଥାନୀୟ ସରପଂଚ ଯୁଗଳ କିଶୋର ଘଟଣାସ୍ଥଳରେ ପହଂଚିଥିଲେ । ପୂର୍ବତନ ସରପଂଚ ସୁଖଦାନନ୍ଦ ପ୍ରଧାନ ବିପନ୍ନ ପରିବାରଙ୍କୁ ସକାଳ ଖାଦ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଡେରାବିଶ ତହସିଲର ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମହାନ୍ତି ଘଟଣା ସ୍ଥଳରେ ପହଂଚି ବାସହରା ପରିବାର ବର୍ଗଙ୍କୁ ୪ଟି ପାଲ ପ୍ରଦାନ କରିବା ସହ ସେମାନଙ୍କର କ୍ଷୟକ୍ଷତି ଆକଳନ କରି ଫେରିଥିଲେ । ପରେ ଖବର ପାଇ ପାଟକୁରା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ ରାଉତ ବିପନ୍ନଙ୍କ ନିକଟରେ ପହଂଚି ପାଲ, ରାଶନ ସାମଗ୍ରୀ ଓ ଆଥିକ ସହାୟତା ପ୍ରଦାନ କରିଥିଲେ । ବିପନ୍ନମାନେ ଦଳିତ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥିବାରୁ ସେମାନଙ୍କ ଥଇଥାନ ପାଇଁ ତୁରନ୍ତ ସରକାରୀ ସାହାଯ୍ୟ ପହଂଚାଇବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

Comments are closed.