Odisha news

ଜଳବନ୍ଦୀ ପ୍ରପିଡ଼ିତଙ୍କ ଦୁର୍ଦ୍ଦଶା ବଢ଼ୁଛି : ୩୦୦୦ ଲୋକ ଏବେବି ପାଣି ଘେରରେ , ବହୁ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ

0

ଡେରାବିଶ : ଡେରାବିଶ ବ୍ଳକ ଅଧୀନ ବିରୂପା ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବେଣୀପୁର ଗ୍ରାମର ୫ଟି ୱାର୍ଡ଼ରେ ୩୦୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଜଳବନ୍ଦୀ ମଧ୍ୟରେ ରହିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଜଳବନ୍ଦୀ ଭିତରେ ଥିବା ପ୍ରପିଡ଼ିତଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଏବେବି ଜାରି ରହିଛି ।

ତେବେ ଗତ ତିନିଦିନ ମଧ୍ୟରେ ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ପ୍ରଶାସନ ପକ୍ଷରୁ ପ୍ରପିଡ଼ିତ ମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏପରିକି ଗୃହପାଳିତ ଗାଈ ଗୋରୁ ଓ ଛେଳି ମେଣ୍ଢାମାନଙ୍କୁ ରବିବାର ପ୍ରଶାସନ ପକ୍ଷରୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି । ତେବେ ବିରୁପା ନଦୀରେ ବନ୍ୟା ପାଣି କମିନଥିଲା ବେଳେ ଜଳସ୍ତର ସ୍ଥିର ରହିଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ ସୂଚନା ଦେଇଛନ୍ତି । ସେ କହିଛନ୍ତି ମହାନଦୀ ସିଷ୍ଟମରେ ଆସୁଥିବା ବନ୍ୟାଜଳକୁ ଅପେକ୍ଷା କରାଯାଇଛି ।

ଯଦି ଏହି ବନ୍ୟାଜଳ ବିରୂପା ନଦୀଦେଇ ଅତିକ୍ରମ କରେ ତାହେଲେ ଜଳସ୍ତର ବୃଦ୍ଧିପାଇବାର ଆଶଙ୍କା ରହିଛି । ତେବେ ଆଜିସୁଦ୍ଧା ଗ୍ରାମରେ ଥିବା ବହୁ ଏକମହଲା ବିଶିଷ୍ଟ କୋଠାଘର ପାଣିରେ ବୁଡ଼ି ରହିଥିବା ବେଳେ ବହୁ ପରିବାର ଗ୍ରାମରେ ଥିବା ଉଚ୍ଚା ଛାତଘର ଉପରେ ଏବେବି ଆଶ୍ରୟ ନେଇଛନ୍ତି । ବନ୍ୟାଜଳରେ ଭାସିଯାଇ ନିଖୋଜ ହୋଇଥିବା ଏକ ଘରୋଇ ମୋବାଇଲ୍ ସଂସ୍ଥାର କର୍ମଚାରୀଙ୍କର ଏବେବି କୌଣସି ପତା ମିଳିନାହିଁ । ବେଣୀପୁର ଗ୍ରାମଦେଇ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ୍ ବନ୍ଧରେ ଆଶ୍ରୟ ନେଇଥିବା ବନ୍ୟାପ୍ରପିଡ଼ିତ ମାନଙ୍କୁ ଆଜି ସାମାଜିକ କର୍ମୀ ପ୍ରାଧ୍ୟାପକ ଅଜୟ କୁମାର ରାୁତ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । ତେବେ ସମସ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଡ଼ିଓ ଗୋପବନ୍ଧୁ ଭୋସାଗର, ଏବିଡ଼ିଓ ଭଞ୍ଜ କିଶୋର ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି

Leave A Reply