ଡେରାବିଶ, ୨୪ା୮ –ଗତ ସପ୍ତାହରେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ଡେରବିଶ ବ୍ଲକ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥବର୍ମା ସୋମବାର ବ୍ଲକ ଅଧୀନ ନୋଳପାଟ ଅଂଚଳ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଛୋଟି ସରପଂଚ କୁମାର ଚନ୍ଦ୍ର ବଳଙ୍କ ସମେତ କ୍ଷତିଗ୍ରସ୍ତ ସମ୍ପୃକ୍ତ ୫ଟି ପଂଚାୟତର ବହୁ ଚାଷୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଶାସନିକ ସହାୟତା ଯୋଗାଇଦେବାକୁ ଜିଳ୍ଲାପାଳଙ୍କ ନିକଟରେ ନିବଦେନ କରିଥିଲେ । ଏହି ପାଟରେ ଥିବା ୩୦୦୦ ହେକ୍ଟର ଚାଷଜମି ଗତ ସପ୍ତାହେ ହେବ ଲଘୁଚାପ ଜନିତ ବର୍ଷାଜଳ ଓ ଗୋବରୀ ନଦୀର ବନ୍ୟାପାଣିରେ ବୁଡ଼ି ରହିଛି । ବ୍ଲକ ଅଧୀନ ରଘୁଦେଇପୁର, ବେଣୀପୁର, ଛୋଟି, କୁରୁଜଙ୍ଗା ଓ ମଙ୍ଗଳପୁର ପଂଚାୟତର ଶତାଧିକ ଚାଷୀମାନେ ଏହି ଚାଷଜମି ଉପରେ ନିର୍ଭରଶୀଳ ।
ମାତ୍ର ଦୀର୍ଘ ସପ୍ତାହେ ହେବ ବର୍ଷା ଜଳ ନିଷ୍କାସିତ ହୋଇନଥିବା ବେଳେ ଚାଷଜମିରେ ସଦ୍ୟ ରୁଆଯାଇଥିବା ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ତେବେ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପଂଚାୟତ ସମିତି ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଏହି ପାଟରେ ଥିବା ଚାଷଜମି ଉପରେ ନିର୍ଭରଶୀଳ ଚାଷୀଙ୍କ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ଛତା ଜଳସମ୍ପଦ ଉପଖଣ୍ଡ ସହକାରୀ ଯନ୍ତ୍ରୀ, ମାର୍ଶାଘାଇ ଡ୍ରେନେଜ୍ ଉପଖଣ୍ଡ ସହକାରୀ ଯନ୍ତ୍ରୀଙ୍କ ସହିତ କୃଷି ବିଭାଗର ଅଧିକାରୀମାନେ ପରିଦର୍ଶନ ସମୟରେ ଉପସ୍ଥିତ ରହିଥିଲେ । ଖୁବ୍ ଶିଘ୍ର ଏହି ଚାଷ ଜମିରୁ ଜଳନିଷ୍କାସନ ପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବବୋଲି ଜିଲ୍ଲାପାଳ ପ୍ରତିଶ୍ରୁତିଦେଇଥିଲେ ।