ଡେରାବିଶ : ଡେରାବିଶ ବ୍ଳକ ଦାନପୁର ପଂଚାୟତ ଅନ୍ତର୍ଗତ କେଶରପୁର ଗହିର ଚାଷଜମିର ମୁକୁନ୍ଦପୁର ପଟରେ ଅତ୍ୟଧିକ ପାଣି ରହିଥିବା ବେଳେ ଢ଼ିଅସାହି ଗହିରରେ ପାଣିନଥିବାରୁ ଚାଷକାର୍ଯ୍ୟ ଆଗେଇ ପାରୁନଥିବା ଦେଖାଯାଇଛି । ଏଥିପାଇଁ ଆର. ଆଣ୍ଡ ବି. ବିଭାଗର ଦାୟିତ୍ୱହିନତା ପାଇଁ ଦୁଇ ବର୍ଷ ହେଲା ଏପରି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଘଟଣାରୁ ପ୍ରକାଶ ଏ ବର୍ଷ ପ୍ରକୃତି ଦାଉ ସାଧିଛି । ଶ୍ରାବଣ ମାସ ସରିଲା ତଥାପି ଏ ଅଂଚଳରେ ବର୍ଷାର ଦେଖାନାହିଁ । ଅପରପକ୍ଷରେ କେନାଲ୍ ପାଣିକୁ ଭରସା କରିଥିବା ଦାନପୁର ପଂଚାୟତର କେଶରପୁର ଗ୍ରାମର ଚାଷୀମାନେ ଢ଼ିଅସାହି ଗହୀରକୁ କେନାଲ୍ ପାଣି ଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ୧୨ ନଂ କେନାଲ୍ର ଶାଖାନାଳଟି ଏହିଗହୀରକୁ ଜଳସେଚିତ କରିଥାଏ । ଏହି ଶାଖାନାଳର ଶେଷ ଭାଗର ୧୫୦ ଫୁଟ ଉପରକୁ ଚାନେ୍ଦାଳ-ଦାନପୁର ସଡ଼କ ଏହି ନାଳକୁ ଅତିକ୍ରମ କରିଛି । ଏହି ନାଳକୁ ଅତିକ୍ରମ କରିଥିବା ସ୍ଥାନରେ ନାଳରେ ଶୋଠ ବସାଯାଇ ପୋଲିଆ ନିର୍ମାଣ କରାଯାଇଥିଲା ।
ଲୁଣାନଦୀର ଦାନପୁର ବାଲିଘାଟରୁ ଦୈନିକ ଶହଶହ ଭାରୀଯାନ ଦ୍ୱାରା ବାଲି ଚାଲାଣ ସମୟରେ ଏହି ପୋଲିଆଟି ସମ୍ପୂର୍ଣ୍ଣ ଦବି ଯାଇଥିଲା । ହେଲେ ଆର. ଆଣ୍ଡ ବି. ଅଧୀନରେ ଥିବା ଏହି ରାସ୍ତାକୁ ନିର୍ମାଣ ସମୟରେ ବିଭାଗୀୟ କତୃପକ୍ଷ ପୋଲଟି ନିର୍ମାଣ ନକରି ରାସ୍ତା ତିଆରି ଦେଇଥିବା ଫଳରେ ଚାଷ ପାଇଁ କେନାଲ୍ରେ ପାଣିଆସିବାରୁ ନାଳର ଶେଷ ଭାଗକୁ ପାଣି ନଯାଇ ଭଙ୍ଗା ପୋଲ ଉପର ମୁଣ୍ଡରେ ପାଣି ବନ୍ଧବୁଡ଼ି ଚାଷଜମିକୁ ଜଳାର୍ଣ୍ଣବ କରୁଛି । ଦୀର୍ଘ ଦୁଇ ବର୍ଷ ହେଲା ଚାଷ ସମୟରେ ଚାଷୀମାନଙ୍କର ଏହି ଅସୁବିଧା ହେଉଥିଲେବି ଆର. ଆଣ୍ଡ ବି. କତୃପକ୍ଷ ନିଦାବିଷ୍ଣୁ ହୋଇ ବସିଛି । କେବଳ ବାଲି ମାଫିଆଙ୍କୁ ସୁହେଇଲା ଭଳି ବର୍ଷକୁ ୫ ଥର ରାସ୍ତାକୁ ମରାମତି ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ କରିବାରେ ଲାଗିଛନ୍ତି । ହେଲେ ଦୁଇବର୍ଷ କେନାଲ୍ ତଳମୁଣ୍ଡର ଚାଷୀମାନେ କେନାଲ୍ ପାଣି ନପାଇ ଜଳକର ଖଜଣା ଦେଉଥିଲେବି ଚାଷ ପାଇଁ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । ଏ ବର୍ଷ ପରିସ୍ଥିତିରେ ସୁଧାର ଆଣିନଥିବାରୁ ଜଳପାଉନଥିବା ତଳମୁଣ୍ଡର ଚାଷୀ ଏବଂ ଆବଶ୍ୟକତା ଠାରୁ ଅôଧକ ଜଳ ଜମା ହେଉଥିବା ଜମିର ଚାଷୀମାନେ ଜଳକର ନଦେବା ପାଇଁ ନିଷ୍ପତି ନେବା ସହ କତୃପକ୍ଷଙ୍କ ବିରୋଧରେ ଆନେ୍ଦାଳନ କରିବେ ବୋଲି ସଜବାଜ ହେଉଛନ୍ତି ।