Odisha news

ଡେରାବିଶରେ ସପ୍ତାହକ ଭିତରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ : ଡେରାବିଶରେ ଆତଙ୍କ

0

ଡେରାବିଶ : ଡେରାବିଶରେ ସପ୍ତାହକ ଭିତରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଗୋଲରାହାଟ ଗ୍ରାମପଂଚାୟତ ତିଲକପୁର ଗ୍ରାମର ମାମୁଘରେ ଆସି ରହିଥିବା କେନ୍ଦ୍ରାପଡ଼ାର ଜଣେ ଯୁବକ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଛତାସ୍ଥିତ କୋଭିଡ଼୍ ହସପିଟାଲ୍ରେ ଭର୍ତି କରାଯାଇଛି । ଏହି ଖବର ପ୍ରଚାରିତ ହେବାପରେ ଡେରାବିଶ ଅଂଚଳରେ ଆତଙ୍କ ଖେଳିଯାଇଛି । ସଂକ୍ରମଣରେ ରୋକ ଲଗାଇବା ପାଇଁ ମାମୁଁ ଘରେ ଥିବା ସମ୍ପୂର୍ଣ୍ଣ ପରିବାରକୁ ଘରୁ ନବାହାରିବା ପାଇଁ ତାଗିଦ୍ କରାଯାଇଛି । କେନ୍ଦ୍ରାପଡ଼ା ଇଚ୍ଛାପୁର ଅଂଚଳର ଜଣେ ଯୁବକ ହାଇଦ୍ରାବାଦରୁ ଫେରି ଆଳି ବ୍ଳକରେ ଥିବା ସଙ୍ଗରୋଧ କେନ୍ଦ୍ରରେ ମେ ୨୫ ତାରିଖରୁ ୧୪ ଦିନ କ୍ୱାରେନ୍ଟାଇନ୍ ରହିବା ପରେ ଘରକୁ ଫେରିଥିଲେ । ଘରେ ମଧ୍ୟ ହୋମ୍ କ୍ୱାରେନ୍ଟାଇନ୍ରେ ୭ ଦିନ ବିତାଇଥିଲେ ।

ଗତ ସୋମବାର କେନ୍ଦ୍ରାପଡ଼ା ବ୍ଳକ କଳପଡ଼ା ପଂଚାୟତରେ ଏକ କରୋନା ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ଏହି କେନ୍ଦ୍ରରେ ଯୁବକ ଜଣକ ନିଜର ସ୍ୱାବ ପରୀକ୍ଷା ପାଇଁ ନମୁନା ଦେଇଥିଲେ । ସ୍ୱାବ୍ ପରୀକ୍ଷା ଫଳ ନଆସିବା ପର୍ଯ୍ୟନ୍ତ ଘରେ ରହିବାକୁ ଉକ୍ତ ସଂସ୍ଥା ଆକଟ କରିଥିଲେ । ହେଲେ ଉକ୍ତ ଯୁବକ ସେହିଦିନ ସନ୍ଧ୍ୟାରେହିଁ ଡେରାବିଶରେ ଥିବା ତାଙ୍କ ମାମୁ ଘରକୁ ବୁଲିବାକୁ ଆସିଥିଲେ । ଏଠାରେ ରହିବା ଭିତରେ ଉକ୍ତ ଯୁବକ କେନ୍ଦ୍ରାପଡ଼ା ସ୍ଥିତ ଶ୍ୟାମସୁନ୍ଦରପୁର ଗ୍ରାମରେ ଥିବା ତାଙ୍କ ମାଉସୀଙ୍କ ଝିଅ ବାହାଘରରେ ଯୋଗ ଦେଇଥିଲେ । ତାଙ୍କ ମାଉସୀଙ୍କ ଝିଅ ବାହାଘର ଯାଜପୁର ଜିଲ୍ଲା ଓଳାଶୁଣୀ ପାହାଡ଼ରେ ସମ୍ପନ୍ନ ହୋଇଥିଲା । ଗତକାଲି ମଧ୍ୟ ମାମୁଙ୍କ ଝିଅ ନିର୍ବନ୍ଧ ହୋଇଥିଲା । ଉକ୍ତ ଯୁବକ ବନ୍ଧୁବାନ୍ଧବଙ୍କ ସହିତ ମିଶିବା ସହିତ ବନ୍ଧୁବାନ୍ଧବଙ୍କୁ ଖାଦ୍ୟ ମଧ୍ୟ ପରଶିଥିଲେ । ଖାଲିସେତିକି ନୁହେଁ ଡେରାବିଶ ହାଟରେ ଥିବା ମାମୁଁଙ୍କ ଜଳଖିଆ ଦୋକନରେ ବସି ବିକ୍ରିବଟା ମଧ୍ୟ କରିଥିଲେ । ଆଜି ସକାଳ ୯ଟା ପର୍ଯ୍ୟନ୍ତ ସେ ଦୋକନରେ ରହି ବିକ୍ରି କରୁଥିଲେ । ସେପଟେ ସେ ଦେଇଥିବା ନମୁନା ପଜେିଟିଭ୍ ଆସିଛି ବୋଲି ଜଣାପଡ଼ିଥିଲା ।

ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୋନ୍ ଯୋଗେ ମାମୁଁଙ୍କ ଘରେ ରହିବାକୁ କୁହାଯାଇଥିଲା । ମାମୁଁଙ୍କ ଘରୁ ହିଁ ଆଜି ସକାଳ ୧୧ ବେଳେ ଡେରାବିଶ ବିଡ଼ିଓ ଗୋପବନ୍ଧୁ ଭୋସାଗର, ଏବିଡ଼ିଓ ଭଞ୍ଜକିଶୋର ନାୟକ,  ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମହାନ୍ତି, ହେରାବିଶ ଥାନା ଅଧିକାରୀ ଉମାକାନ୍ତ ନାୟକ ଓ ଡେରାବିଶ କୋଭିଡ଼୍ ହସପିଟାଲ୍ ଟିମ୍ ପହଂଚି ଉକ୍ତ ଯୁବକଙ୍କୁ କୋଭିଡ଼୍ ହସପିଟାଲ୍କୁ ନେଇଥିଲେ । ଯୁବକଙ୍କ ମାମୁଁ ଘରର ସମସ୍ତ ପରିବାରଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେବା ସହ ଆସନ୍ତା କାଲି ସେମାନଙ୍କର ସ୍ୱାବ୍ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯିବ ବୋଲି କହିଥିଲେ । ଏଥିସହିତ ସମ୍ପୂର୍ଣ୍ଣ ଗ୍ରାମକୁ ଡେରାବିଶ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଥିଲା । ଯୁବକ ଜଣକ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ତାଙ୍କ ସ୍ୱାବ୍ ଟେଷ୍ଟ ନେଗେଟିଭ୍ ଆସିଥିଲା । ଏବଂ ଏବେ ମଧ୍ୟ ଯୁବକଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିବାରୁ ଗ୍ରାମକୁ ସଟ୍ଡାଉନ୍ କିମ୍ବା କାଂଟନ୍ମେଂଟ୍ ଜୋନ୍ ଭାବେ ଘୋଷଣା କରାଯାଇନାହିଁ । ତେବେ ପରେ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ କଂଟାକ୍ଟ ଟ୍ରେସିଂ ସହିତ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ ।

Nalco

Leave A Reply