Odisha news

ଦିଲ୍ଲୀ ନଗର ନିଗମ ପୁଣି ପାଲଟିଲା ରଣକ୍ଷେତ୍ର : ପରସ୍ପରକୁ ବିଧା, ଗୋଇଠା ମାରିଲେ ବି.ଯେ.ପି ଓ ଆପ କାଉନସିଲର

0

ନୂଆଦିଲ୍ଲୀ ୨୪।୨: ଦିଲ୍ଲୀ ନଗର ନିଗମ (ଏମସିଡି) ଶୁକ୍ରବାର ପୁଣି ଥରେ ମାରପିଟର ଆଖଡ଼ା ପାଲଟିଛି। ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ ନେଇ ଭୋଟିଂ ହୋଇଥିଲା। ତେବେ ପରିସ୍ଥିତି ଏପରି ହୋଇଥିଲା ଯେ ବିଜେପି ଓ ଆମଆଦମୀ ପାର୍ଟି କାଉନସିଲରଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା। କାଉନସିଲରମାନେ ଦ୍ୱିତୀୟବାର ଭୋଟଗଣନା ଦାବିରେ ପରସ୍ପର ସହ ଲଢିଯାଇଥିଲେ। ଏଥିରେ ମହିଳା କାଉନସିଲରଙ୍କୁ ମଧ୍ୟ ଆକ୍ରମକ ହୋଇଉଠିଥିବା ଦେଖାଯାଇଛି।

ଏହା ପୂର୍ବରୁ ମଧ୍ୟ ଏମସିଡିରେ ବିଜେପିର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବିଜେପି କାଉନସିଲମାନେ ‘ମେୟର ତେରି ତାନାଶାହି ନେହିଁ ଚଲେଗି’ ନାରାବାଜି କରିଥିଲେ। ତେବେ ପରିସ୍ଥିତି ବେଶି ସମୟ ହୋ ହଲ୍ଲା ହଟ୍ଟଗୋଳରେ ସୀମିତ ରହିନଥିଲା। ଦେଖୁ ଦେଖୁ କାଉନସିଲରମାନେ ମାରପିଟକୁ ଓହ୍ଲାଇ ଆସିଥିଲେ। ବିଜେପି ଓ ଆପ କାଉନସିଲରମାନେ ପରସ୍ପରକୁ ବିଧା, ଗୋଇଠା ଓ ମୁଥମାରିବାରେ ଲାଗିଥିଲେ। ଫଳରେ ଏମସିଡି ରଣକ୍ଷେତ୍ରରେ ପରିଣତ ହୋଇଥିଲା।

ଦିନକ ପୂର୍ବରୁ ମଧ୍ୟ ଷ୍ଟାଣ୍ଡିଂ କମିଟି ନିର୍ବାଚନ କୁ ନେଇ ଏପରି ପରିସ୍ଥିତି ଉପୁଜିଥିଲା। କାଉନସିଲରମାନେ ପରସ୍ପର ଉପରକୁ ପାଣି ବୋତଲ ଫିଙ୍ଗିଥିଲେ। ସେତେବେଳେ ଅଭିଯୋଗ କରାଯାଇଥିଲା ଯେ ୫ ଜଣ କାଉନସିଲର ଭୋଟ ଦେବା ପାଇଁ ନେଇଥିବା ବାଲଟ ପେପର ଫେରାଇ ନାହାନ୍ତି। ସେତେବେଳେ ଆପ ଉପରେ ବିଜେପି ଦୁର୍ନୀତିର ଅଭିଯୋଗ ଆଣିଥିଲା। ସେଦିନ ମଧ୍ୟ ଉଭୟ ଦଳ ମୁହାଁ ମୁହିଁ ହେବା ସହ ମାରପିଟ ହୋଇଥିଲେ।

ଶୁକ୍ରବାର ଷ୍ଟାଣ୍ଡିଂ କମିଟି ନିର୍ବାଚନର ଭୋଟ ଗଣତି ବେଶ୍ ଶାନ୍ତିପୂର୍ଣ୍ଣ ଆରମ୍ଭ ହୋଇଥିଲା। ତେବେ ଯେତେବେଳେ ବିଜେପି ହାରୁଥିବାର ଜଣାପଡିଲା ସେତେବେଳେ ସେମାନେ ମାରପିଟ ଆରମ୍ଭ କରିବା ସହ ଆମ ମହିଳା ମେୟରଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ଆପ କାଉନସିଲର ସୌରଭ ଭରଦ୍ୱାଜ କହିଛନ୍ତି। ସେ ଏହାକୁ ବିଜେପିର ଗୁଣ୍ଡାଗର୍ଦ୍ଦି ବୋଲି କହିଛନ୍ତି। ସେମାନେ ନିଜର ହାର ସ୍ୱୀକାର କରିବା ବଦଳେ ମାରପିଟ କରିଛନ୍ତି। ପୁରୁଷ କାଉନସିଲର ଷ୍ଟେଜ୍ ଉପରକୁ ଉଠି ମହିଳା ମେୟରକୁ ମାଡମାରିବା ଘଟଣା ସାରା ଦେଶକୁ ଲଜ୍ଜିତ କରିଛି ବୋଲି ଭରଦ୍ୱାଜ କହିଛନ୍ତି।

ତେବେ ବିଜେପି ଓଲଟା ଅଭିଯୋଗ କରିଛି। ଆମ ଆଦମୀ ପାର୍ଟି ମାରପିଟ କରିଥିବା ବିଜେପି ଅଭିଯୋଗ କରିଛି। ବିଜେପି ମାମଲାରେ କୋର୍ଟଙ୍କ ଦଖଲ ଦାବି କରିଛି। ମାମଲାରେ କୋର୍ଟ ଦଖଲ ଦେଲେ ଉଚିତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ବିଜେପି ନେତାମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ଦିଲ୍ଲୀ ଏମସିଡିର ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନିର୍ବାଚନ ଲାଗି ଦ୍ୱିତୀୟବାର ଭୋଟିଂ ହୋଇଥିଲା। ଏହି ଭୋଟିଂକୁ ୮ ଜଣ କାଉନସିଲର ସାମିଲ ହୋଇନଥିଲେ। ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୨ ଜଣ ଭୋଟ ଦେଇଥିଲେ। ଆଜିର ଭୋଟିଂ ବେଳେ କାଉନସିଲରଙ୍କୁ ନିଜର ମୋବାଇଲ ଭିତରକୁ ନେବା ପାଇଁ ଅନୁମତି ମିଳିନଥିଲା।

Nalco
Leave A Reply