Odisha news

ପୈତୃକ ସମ୍ପର୍ତିରେ କନ୍ୟା ସନ୍ତାନର ହକ୍

0

ନଗେନ୍ଦ୍ର ନାଥ ପଟ୍ଟନାୟକ : ଏଇ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ମହିଳାଙ୍କ ଅଧିକାର କ୍ଷେତ୍ରରେ ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି । ଏହି ମହତ୍ୱପୂର୍ଣ୍ଣ ରାୟକୁ ସ୍ୱାଗତ ଜଣାଇ ଦେଶବ୍ୟାପୀ ଖୁସିର ଲହରି ଖେଲିଯାଇଛି । ଶୀର୍ଷ ଅଦାଲତ ଦର୍ଶାଇଛନ୍ତି ଯେ ପୈତୃକ ସମ୍ପର୍ତି ଉପରେ ପୁତ୍ରଙ୍କ ଭଳି କନ୍ୟାର ମଧ୍ୟ ସମାନ ଅଧିକାର ରହିଛି,ସେଥିରୁ ଟିକିଏ ବି କମ୍ ନୁହେଁ । ଏଥିସହିତ ସୁପ୍ରିମକୋର୍ଟ ମଧ୍ୟ ପରିଷ୍କାର ଭାବେ ସୂଚାଇଛନ୍ତି ଯେ,କନ୍ୟାଟିଏ ଜନ୍ମ ହେବାମାତ୍ରେ ପୈତୃକ ସମ୍ପର୍ତିର ଦାବିଦାର ପାଲଟିଯାଏ । ମୁଖ୍ୟ ନ୍ୟାୟାଧୀଶ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କର ଏଭଳି ଏକ ଐତିହାସିକ ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟ ନିଜର ଏହି ଗୁରୁତ୍ୱପୂର୍ଣ୍ଣ ରାୟରେ ହିନ୍ଦୁ ଉତରାଧିକାରୀ ଅଧିନୀୟମକୁ ବ୍ୟାଖ୍ୟାନ କରି କହିଛନ୍ତି କୌଣସି କନ୍ୟାସନ୍ତାନକୁ ପୈତୃକ ସମ୍ପର୍ତିରୁ ବଂଚିତ କରାଯାଇ ପାରିବ ନାହିଁ । ହିନ୍ଦୁ ଉତରାଧିକାରୀ କାନୁନ,୧୯୫୬ର ସଂଶୋଧନ ପୂର୍ବରୁ କନ୍ୟାଟିଏ ଜନ୍ମ ହେଉ କି ପରେ ପୁତ୍ରସନ୍ତାନ ପରି ପୈତୃତ ସମ୍ପର୍ତି ଉପରେ ତାର ବି ବରାବର ହକ୍ ରହିଛି । ତେବେ ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ମହିଳାମାନେ ସାମାଜିକ ସମ୍ପର୍କକୁ ଧ୍ୟାନରେ ରଖି ନିଜ ପିତାଙ୍କ ସମ୍ପର୍ତିରୁ ନ୍ୟାଯ୍ୟ ଭାଗ ଦାବି କରିଥାନ୍ତି । ଯାହାଫଳରେ ହିନ୍ଦୁ ଉତରାଧିକାରୀ ସଂଶୋଧନ ଆଇନ ୨୦୦୫ ଅନେକ ମହିଳାଙ୍କ ପାଇଁ ବଡ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଖାସ୍ ଏଥିଯୋଗୁଁ ବିଗତ ପନ୍ଦରବର୍ଷ ଧରି ଅଧିକାଂଶ ମହିଳାଙ୍କୁ ନିଜ ପୈତୃକ ସଂପର୍ତିର ଅଧିକାରରୁ ବଂଚିତ ହେବାର ଦେଖିବାକୁ ମିଳିଥିଲା ।

ଏହି ସଦ୍ୟତମ ମାମଲାର ଶୁଣାଣିି କଲାବେଳେ ଦୁଇଟି ରାୟ ଯଥା-ପ୍ରକାଶ ବନାମ ଫୁମତି ( ୨୦୧୬) ଓ ଦନାମ୍ମା ଓରଫ ସମନ ସରପୁର ବନାମ ଅମନ ( ୨୦୧୮) କ୍ଷେତ୍ରରେ ବିରୋଧଭାଷ ପରିଦୃଷ୍ଟ ହେବାରୁ ସୁପ୍ରିମକୋର୍ଟ କାନୁନ ବ୍ୟବସ୍ଥାକୁ ନିର୍ଦ୍ଧାରଣ କରିବା ସକାଶେ ସ୍ପର୍ଶକାତର ମାମଲାଟିକୁ ତିନି ବିଚାରପତିଙ୍କୁ ହସ୍ତାନ୍ତର କରିଥିଲେ । ବିଚାରପତି ଅରୁଣ ମିଶ୍ର, ଏସ.ଅବଦୁଲ ନଜିର ଓ ଏମ,ଆର ଶାହାକୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ ଯେହେତୁ କନ୍ୟାସନ୍ତାନ ଜନ୍ମରୁ ପୈତୃକ ସମ୍ପର୍ତି ଉପରେ ଅଧିକାର ପ୍ରାପ୍ତ କରିସାରିଛି ତେଣୁ ସଂଶୋଧନ କାନୁନ ଲାଗୁହେବା ଦିନଠାରୁ ପିତା ଜୀବିତ ରହିବା କଥାର କୌଣସି ଆବଶ୍ୟକତା ନାହିଁ । ବିଶେଷକରି ତିନିଜଣିଆ ଖଣ୍ଡପୀଠର ଅଧ୍ୟକ୍ଷ ନ୍ୟାୟାଧୀଶ ଅରୁଣ ମିଶ୍ର ଏକଥା ବି ଦୋହରାଇଛନ୍ତି ଯେ ପୁତ୍ରସନ୍ତାନ ସେଯାଏଁ ପୁତ୍ର ହୋଇ ରହେ ଯେପର୍ଯ୍ୟନ୍ତ ତାକୁ ପତ୍ନୀ ମିଳିନଥାନ୍ତି , ପରନ୍ତୁ କନ୍ୟାସନ୍ତାନ ଜୀବନତମାମ କନ୍ୟାଟିଏ ହୋଇ ରହିଥାଏ । ôସେମାନଙ୍କ ମତାନୁସାରେ ପିତାମାତାଙ୍କ ପ୍ରତି କନ୍ୟାଟିର ଆଜୀବନ ଅତୁଟ ସ୍ନେହ-ମମତା ଓ ଆଦରଭାବ ପ୍ରକଟିତ ହୋଇଥାଏ । ସୁତରାଂ ପ୍ରୋକ୍ତ ରାୟରୁ ଗୋଟିଏ କଥା ସ୍ପ୍ମୃଷ୍ଟଭାବେ ଜଣାପଡେ ଯେ କନ୍ୟାସନ୍ତାନମାନେ ପୁତ୍ରସନ୍ତାନ ତୁଳନାରେ ନିଜର ପିତାମାତା ପ୍ରତି ଭାବଗତ ଭାବେ ଯୋଡିହୋଇ ରହିଥାନ୍ତି । ସେମାନଙ୍କର ଏହି ଟିପ୍ପଣୀରେ ଅବଶ୍ୟ ଅତିଶୟୋକ୍ତି ତଥା ଅପବାଦର ସ୍ୱର ନିହିତ ଥାଇପାରେ । ତଥାପି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଏକ ନ୍ୟାୟିକ ସୁଧାର ଆଣିପାରିଛନ୍ତି ,ଯାହାକି କନ୍ୟାସନ୍ତାନମାନଙ୍କୁ ପୁତ୍ରସନ୍ତାଙ୍କ ପରି ପୈତ୍ରୁକ ସମ୍ପର୍ତି ନ୍ୟାଯ୍ୟ ଅଧିକାର ପ୍ରଦାନ କରିଛି ତାହା ନୁହେଁ, ବରଂ ଲିଙ୍ଗଗତ ନ୍ୟାୟକୁ ମଧ୍ୟ ଅଭିନବ ଢଂଗରେ ପରିଭାଷିତ କରିପାରିଛି ।

ବିଗତ ୨୦୦ରେ ବିଧି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ସୂଚାଇ ଦେଇକ୍ତି ଯେ ସାଧାରଣ ବ୍ୟକ୍ତିବିଶେଷଙ୍କ ଫାଇଦା ସକାଶେ ସବୁ ପ୍ରକାର ଆଇନ-କାନୁନ ପ୍ରଣୟନ ,ନୀତି-ନିୟମ ନିର୍ଦ୍ଧାରଣ ହେବା ବାଂଛନୀୟ କାରଣ ସମ୍ପର୍ତିର ଅଧିକାର ମନୁଷ୍ୟର ସ୍ୱାଧୀନତା ଓ ବିକାଶ ଲାଗି ଖୁବ୍ ମହତ୍ୱପୂର୍ଣ୍ଣ । ବିଧି ଆୟୋଗ ଏହି ଆଇନକୁ ବଦଳାଇବାକୁ ପରାମର୍ଶ ଦେଇଥିଲେ , କାହିଁକିନା ଏହି ଆଇନ ହିନ୍ଦୁ ଅବିଭାଜିତ ଯୌଥ ପରିବାରରେ ମହିଳାମାନଙ୍କୁ ସହ-ଉତରାଧିକାରିଣୀ ହେବାକୁ ରୋକୁଥିଲା । ଆଉ ସେତେବେଳେ ପର୍ଯ୍ୟନ୍ତ ଏହି ଅଧିକାର ପୁରୁଷ ବଂଶଜ,ସେମାନଙ୍କର ମାତା,ପତ୍ନୀ ଓ ଅବିବାହିତ କନ୍ୟାଙ୍କ ହାତମୁଠାରେ ରହୁଥିଲା । ତେବେ ସେ ଯାହାହେଉ,୨୦୦୫ରେ ବିଧି ଆୟୋଗ ଦ୍ୱାରା ଉପସ୍ଥାପିତ ରିପୋର୍ଟକୁ ସଂସଦରେ ତର୍ଜମା କରାଯାଇଥିଲା ଏବଂ ପରିଶେଷରେ ସେଇ ରିପୋର୍ଟକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇ ହିନ୍ଦୁ ଉତରାଧିକାରୀ ଆଇନ,୧୯୫୬ରେ ଆବଶ୍ୟକ ସଂଶୋଧନ ଅଣାଯାଇଥିଲା ।

ତେବେ ପୈତୃକ ସମ୍ପର୍ତିରେ କେତେକ ମହିଳାଙ୍କୁ ସମାନ ଭାଗିଦାରୀ ରୂପେ ସ୍ୱୀକାର କରାଯାଇଥିଲେ ମଧ୍ୟ ତହିିଁରେ କିଛିଟା ଅଡୁଆ ତଥା ଗଳାବାଟ ରହିଯାଇଥିଲା । ସଂଶୋଧିତ ଆଇନ ମୁତାବକ ଯଦି ୯ ସେପ୍ଟେମ୍ବର ୨୦୦୫ ବେଳକୁ କନ୍ୟାର ପିତା ଜୀବିତ ଥିବେ ତାହାହେଲେ ଏଇ ଆଇନ ଲାଗୁହେବ । ଅପରପଟେ ପିତା ଦିବଂଗତ ହୋଇଥିଲେ କନ୍ୟା ପୈତୃକ ସମ୍ପର୍ତିରୁ ବଂଚିତ ରହିବ । ବର୍ତମାନ ସର୍ବୋଚ୍ଚ ନ୍ୟାୟାଳର ତିନିଜଣ ବିଚାରପତିଙ୍କ ଖଣ୍ଡପୀଠ ସବୁ ପ୍ରକାର ଭୁଲ-ଭଟକା, ପ୍ରତିକୂଳତା ତଥା ସମ୍ଭାବ୍ୟ ପ୍ରଶ୍ନଗୁଡିରେ ପୂର୍ଣ୍ଣଛେଦ ଟାଣିସାରିଛନ୍ତି । ସଦ୍ୟ ପ୍ରକାଶିତ ରାୟ ଅନୁସାରେ ପୈତୃକ ସମ୍ପର୍ତିରେ ସହ-ଭାଗିଦାରୀ ହିନ୍ଦୁ ମହିଳାଙ୍କ ଜନ୍ମରୁ ହିଁ ଉଚିତ ହକ ରହିଛି,ଯାହାକୁ କସ୍ମିନକାଳେ ଅସ୍ୱୀକାର କରାଯାଇ ପାରିବ ନାହିଁ । ଯଦି ଇଛାପତ୍ର ବା ଉଇଲ ଲେଖିବା ଆଗରୁ ପିତାଙ୍କ ଦେହାନ୍ତ ହୁଏ ତେବେ ଆଇନତଃ ସମସ୍ତ ଉତ୍ତରାଧିକାରୀଙ୍କୁ ତାଙ୍କ ସମ୍ପର୍ତି ଉପରେ ସମାନ ଅଧିକାର ରହିବ ।

ହିନ୍ଦୁ ଉତ୍ତରାଧିକାରୀ ଆଇନରେ ପୁରୁଷ ଉତରାଧିକାରୀଙ୍କୁ ଚାରୋଟି ଶ୍ରେଣୀରେ ବର୍ଗୀକୃତ କରାଯାଇଥାଏ । ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ପିତାଙ୍କ ସମ୍ପର୍ତି ଉପରେ ପହିଲେ ପ୍ରଥମଶ୍ରେଣୀର ଉତରାଧିକାରୀଙ୍କ ହକ୍ ଥାଏ । ଏଥିରେ ବିଧବା, କନ୍ୟାସନ୍ତାନ, ପୁତ୍ରଙ୍କ ସାଙ୍ଗକୁ ଅନ୍ୟ ଲୋକଙ୍କ ଅନ୍ତର୍ଭୁକ୍ତ ହୋଇଥାନ୍ତି । ପ୍ରତ୍ୟେକ ଉତରାଧିକାରୀଙ୍କର ସମ୍ପର୍ତି ଉପରେ ସମାନ ଅଧିକାର ଥାଏ । ସୁତରାଂ କନ୍ୟାସନ୍ତାନଙ୍କର ତାଙ୍କ ପିତାଙ୍କ ସମ୍ପର୍ତିରେ ପୂରା ହକ୍ ସାବ୍ୟସ୍ତ କରିବାର ପ୍ରାବଧାନ ଥାଏ । ତେବେ ଏଥିରେ ଦ୍ୱିରୁ୍କ୍ତି ନାହିଁ ଯେ ପରିବର୍ତିତ ପରିସ୍ଥିତିରେ ଆମ ଦେଶରେ କନ୍ୟାସନ୍ତାନଙ୍କୁ ଆପଣାର ପରିବର୍ତେ ପରଘରର ବୋଲି ବିବେଚନା କରାଯାଏ । ଖାସ ଏଇଥିପାଇଁ ସେମାନଙ୍କୁ ଘରଲୋକେ ନିଜ ସଂପର୍ତିର ଭାଗିଦାରୀ ବୋଲି ଅସ୍ୱୀକାର କରି ସେହି ସମ୍ପର୍ତିସବୁକୁ ପୁତ୍ର ନାମରେ କରିଦିଅନ୍ତି । ସଂପ୍ରତି ସୁପ୍ରିମକୋର୍ଟ କନ୍ୟାମାନଙ୍କୁ ନିଜ ପିତାଙ୍କ ସମ୍ପର୍ଚିରେ ପୁତ୍ରସନ୍ତାନଙ୍କ ଭଳି ସମାନ ଭାଗିଦାରୀ ହେବା ଲାଗି ଏକ ଚମକ୍ରାର ରାୟ ଶୁଣାଇ ଦେଇଛନ୍ତି ।

ହେଲେ ଆମ ଦେଶରେ କନ୍ୟାମାନେ ମାତାପିତାଙ୍କ ସମ୍ପର୍ତି ଉପରେ ହକ ଜାହିର କରିବା ଲାଗି କେବେ ବି ଆଗରୁ ପ୍ରୟାସ କରିନଥିଲେ । ଅବଶ୍ୟ କେତେକ କନ୍ୟାସନ୍ତାନ ବିବାହ ହେବା ଉତାରେ ଯଉତୁକ ଲୋଭର ବଶବର୍ତୀ ହୋଇ ନିଜର ପିତାଙ୍କ ସମ୍ପର୍ତିରୁ ଭାଗ ଦାବି କରୁଥିବା ଦେଖିବାକୁ ମିଳୁଥିଲା । ମୋଟାମୋଟି ଭାବେ ଦେଖିବାକୁ ଗଲେ ବର୍ତମାନର ସର୍ବୋଚ୍ଚ ନ୍ୟାୟଳୟର ଏହି ଯୁଗାନ୍ତକାରୀ ରାୟ ଫଳରେ ସେହି କନ୍ୟାସନ୍ତାନମାନେ ବିଶେଷ ଭାବେ ଆଶ୍ୱସ୍ତି ଲାଭ କରିଥିବା ମନେହୁଏ ।

Leave A Reply