ବାରିପଦା : ମୟୂରଭଞ୍ଜ ଛଉନୃତ୍ୟ ପ୍ରତିଷ୍ଠାନ, ବାରିପଦା ତଥା ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ତଥା ସଂଗ୍ରହାଳୟ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କ ପୌରହିତ୍ୟରେ ମୟୂରଭଞ୍ଜ ଛଉନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା ନେଇ ଏକବର୍ଷିଆ ଛଉନୃତ୍ୟ ଓ ବାଦ୍ୟର ପାଠ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ଏକ ୫ଦିନିଆ କର୍ମଶାଳାର ଉଦ୍ଘାଟନ ହୋଇଯାଇଛି । ଉକ୍ତ କର୍ମଶାଳାରେ ବହୁ ପୂରାତନ ବର୍ଷିଆନ୍ ଛଉନୃତ୍ୟ ଗୁରୁ ଶିବପ୍ରସାଦ ଦାସଙ୍କ ସହିତ ଉତ୍ତରସାହି ଓ ଦକ୍ଷିଣସାହି ବାରିପଦା ଗୁରୁ, ଉସ୍ତାଦ, ବାଦ୍ୟଗୁରୁ, ବାଦ୍ୟକାର, କଳାକାରଙ୍କ ସହିତ କର୍ମକର୍ତ୍ତାବୃନ୍ଦ ତତ୍ସହିତ ମୟୂରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳ ଯେମିତିକି ଚିତ୍ରଡା ଓ ରାଇରଙ୍ଗପୁର ସବ୍ଡିଭିଜନରୁ ବହୁ ପୂରାତନ କଳାକାର, ଗୁରୁ, ବାଦ୍ୟକାର ତଥା କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ରହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି, ଯାହାକି ଚଳିତମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ । ଉକ୍ତ କର୍ମଶାଳା ମାଧ୍ୟମରେ ଏକବର୍ଷ ସମୟ ଅବଧି ମଧ୍ୟରେ ନୂତନ ନୃତ୍ୟ ଓ ବାଦ୍ୟ ଶିକ୍ଷାବିତ୍ମାନେ କେଉଁଭଳି ପାଠ୍ୟ ଖସଡା ଅନୁଯାୟୀ ଶିକ୍ଷାଲାଭ କରିବେ ତା’ଉପରେ ଗଭୀର ଆଲୋକପାତ କରି ବହୁ ପୂରାତନ ଗୁରୁ, ଉସ୍ତାଦ ଓ ଆଗଧାଡିର କଳାକାରମାନଙ୍କ ମତାମତ, ଆଲୋଚନା, ପର୍ଯ୍ୟାଲୋଚନା କରାଯାଇ ତାହାକୁ ବାସ୍ତବିକ କ୍ରିୟାତ୍ମକ ଚକ୍ରରେ ଉପସ୍ଥାପନା କରାଯାଇ ଲିପିବଦ୍ଧ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଅଛି ଏବଂ ଉକ୍ତ ପାଠ୍ୟ ଖସଡା ଅନୁଯାୟୀ ଶିକ୍ଷାବିତ୍ମାନେ ଶିକ୍ଷାଲାଭ କରିବେ ଏବଂ ଉକ୍ତ ପାଠ୍ୟଖସଡା ସର୍ବସମ୍ମତି କ୍ରମେ ପ୍ରସ୍ତୁତ ହେବାପରେ ଜିଲ୍ଲାପ୍ରଶାସନ ତଥା ମୟୂରଭଞ୍ଜ ଛଉନୃତ୍ୟ ପ୍ରତିଷ୍ଠାନ ଜରିଆରେ ରାଜ୍ୟ ସଂସ୍କୃତି ବିଭାଗ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱରଙ୍କୁ ପ୍ରେରଣ କରାଯିବା ସହ ତାଲିମ କେନ୍ଦ୍ରର ଶୁଭାରମ୍ଭ ହେବ । ଉକ୍ତ କର୍ମଶାଳା ପ୍ରତ୍ୟେକ ଦିନ ୯ଟା ୩୦ମିନିଟ୍ ଠାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଆଗାମୀ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ ସୂଚନା ଦେବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।
