Odisha news

ଓଡ଼ିଶା କାରଖାନା ପାଇଁ କୋଲକାତାରେ କରାଯାଉଛି ଇଣ୍ଟରଭ୍ୟୁ : ଭିଡିଓ ଭାଇରାଲ ପରେ ଦୁଇଦିନ ହେବ କଳିଙ୍ଗନଗର ରେ ଚାଲିଛି ଇଣ୍ଟରଭ୍ୟୁ

0
ଦାନଗଦି, ତା ୨୮/୫  : ଚାକିରୀ ପାଇଁ କଲିକତା ରେ ଇଣ୍ଟର୍ଭିୟୁ କରି ଏବେ ହରଡ଼ ଘଣା ରେ ପଡ଼ିଛି କଳିଙ୍ଗନଗର ର ଏକ ବୃହତ ଶିଳ୍ପ ସଂସ୍ଥା ।  ଓଡ଼ିଆ ପିଲାଙ୍କ ସାର୍ଟିଫିକେଟ କୁ ଫିଙ୍ଗିଦେବା, ନିସ୍ତୁକ ମାଡମାରିବା ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସଂପୃକ୍ତ ଶିଳ୍ପସଂସ୍ଥା ଦୁଇଦିନ ହେଲା କଳିଙ୍ଗନଗର ରେ ଇଣ୍ଟରଭ୍ୟୁ କରୁଥିବା ଜଣା ପଡ଼ିଛି । ଯାହାକି ଜିଲ୍ଲା ପ୍ରଶାସନ ପାଖରେ ଏ ନେଇ କୌଣସି ଖବର ନାହିଁ । ଦୁଇ ଦିନ ରେ ପ୍ରାୟ ୧୪୦ ଜଣ ଓଡ଼ିଆ ପିଲା ଇଣ୍ଟରଭ୍ୟୁ ଦେଇଛନ୍ତି। ହେଲେ ସେମାନଙ୍କ ମଧ୍ୟରେ କେତେ ଜଣଙ୍କୁ ନିଯୁକ୍ତି ମିଳୁଛି ତାହା ଏବେ ଦେଖିବାର ଅଛି।
ପିଲାମାନଙ୍କ ଅଭିଯୋଗ ଅନୁସାରେ ଯେଉଁଠାରେ ଇଣ୍ଟରଭ୍ୟୁ ପାଇଁ ଡକା ଯାଇଥିଲା ସେଠାରେ କୌଣସି ଟେଣ୍ଟ୍ ଆଉ ପିଇବା ପାଣିର ବ୍ୟବସ୍ଥା କରାଯାଇନଥିଲା । ଆଶାୟୀମାନେ ସ୍କୁଲର ଗେଟ୍ ବାହାରେ ଖରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ଦୀର୍ଘ ସମୟ ପ୍ରତିକ୍ଷା କରିବା ପରେ ଜଣେ ହେଲେ ଓଡ଼ିଆ ଆଶାୟୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଭିତରକୁ ଡକାଯାଇନଥିଲା । ହଠାତ୍ ନିର୍ଦ୍ଦିଷ୍ଟ ପ୍ରାୟ ୪୦ ଜଣ ଅଣଓଡ଼ିଆ ଆଶାୟୀଙ୍କ ନାମ ଡକାଯାଇ ସେମାନଙ୍କୁ ଭିତରକୁ ଛଡାଯାଇଥିଲା । ଘଂଟା ଘଂଟା ଧରି ଖରାରେ ଛିଡାହେବା ପରେ କମ୍ପାନୀ କର୍ତ୍ତୃପକ୍ଷ ଜଣେ ହେଲେ ଓଡ଼ିଆଙ୍କୁ ନ ଡାକି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ମାନଙ୍କୁ ଭିତରକୁ ଡାକିବାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା । ସେମାନେ ଏହି ବାଛବିଚାର ଘଟଣାର ତୀବ୍ର ପ୍ରତିବାଦ କରିବା ସହିତ ପ୍ରବଳ ପାଟିତୁଣ୍ଡ ଆଉ ହୋହାଲ୍ଲା କରିଥିଲେ । ଫଳରେ ସେଠାରେ ପରିସ୍ଥିତି ଅଣାୟତ ହୋଇ ପଡିଥିବା ବେଳେ କର୍ତ୍ତୃପକ୍ଷ ଏହାକୁ ଆୟତକୁ ଆଣିବାକୁ ଉଦ୍ୟମ କରିବା ପରିବର୍ତ୍ତେ ସେମାନେ ଦେଇଥିବା ସାଟିଫିକେଟ୍ ଥିବା ବାୟୋଡାଟା ଗୁଡିକୁ ହଠାତ୍ ଗେଟ୍ ଉପରୁ ପଦାକୁ ଫୋପାଡି ଦେଇଥିଲେ । କର୍ତ୍ତୃପକ୍ଷଙ୍କ ଏପରି ଅମାନବୀୟ ବାଛବିଚାର ଘଟଣାକୁ ନେଇ ଓଡ଼ିଆ ଆଶାୟୀମାନେ ଉତ୍ତେଜିତ ହେବା ସହିତ ଗେଟ୍ ପାଖରେ ଠେଲାପେଲା ହୋଇ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ନିୟୋଜିତ କିଛି ସୁରକ୍ଷାକର୍ମୀଙ୍କ ସହିତ କିଛି ଅଣଓଡ଼ିଆ ଯୁବକ ପଦାକୁ ବାହାରି ଆସି ଠେଲାପେଲା ହେଉଥିବା ଓଡ଼ିଆ ଆଶାୟୀମାନଙ୍କୁ ନିସ୍ତୁକ ମାଡମାରିଥିଲେ ।
ଚାକିରି ପାଇଁ ଯାଇଥିବା ଓଡ଼ିଆ ଆଶାୟୀମାନେ ଶେଷରେ ମାଡ଼ଖାଇ ଓଡ଼ିଶା ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ସେମାନଙ୍କ କହିବା ଅନୁଯାୟୀ ଆମ ମାଟିରେ କାରଖାନା କରି ରୀତିମତ ଧୂଆଁଧୂଳି ଛାଡିବ ଏହି କାରଖାନା । କିନ୍ତୁ କୌଣସି ପଦବୀ ପାଇଁ ନିଯୁକ୍ତି କଥା ଉଠିଲେ ରାଜ୍ୟ ବାହାରେ ଇଣ୍ଟରଭ୍ୟୁ କରି ଅଣ ଓଡ଼ିଆଙ୍କୁ ନିଯୁକ୍ତି ଦବ । ଓଡ଼ିଆଙ୍କୁ ଚାକିରି ତ ମିଳିବନି ଓଲଟି ଇଣ୍ଟରଭ୍ୟୁ ଦେବାକୁ ଯାଇଥିବା ଓଡ଼ିଆମାନଙ୍କୁ ସେଠାରୁ ମାଡମାରି ବିଦା କରି ଦିଆଯିବ । ଏହି ପରିସ୍ଥିତିରେ ସବୁ ଇଣ୍ଟରଭ୍ୟୁ ଯାଜପୁର କଳିଙ୍ଗନଗରରେ କରାଯିବାକୁ ସେମାନେ ଦାବି କରିଥିଲେ  । ଘଟଣାକୁ ନେଇ ଶୁକ୍ରବାର ଯାଜପୁର ଜିଲ୍ଲା ବିଜେପି ଯୁବ ସଭାପତି ବିଶ୍ୱଜିତ୍ ରାଜ ଏକ ପ୍ରେସ ମିଟ କରି ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଏକ ମାସ ମଧ୍ୟରେ ଓଡ଼ିଆ ପିଆଙ୍କୁ ନିଯୁକ୍ତି ନ ମିଳିଲେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଆଜି ସୁକିନ୍ଦା ଯୁବ କଂଗ୍ରେସ ମଧ୍ୟ ଅନୁରୂପ ଭାବେ ଏହାକୁ ନିନ୍ଦା କରିବା ସହ ରାଜ ରାସ୍ତାକୁ ଓହ୍ଲାଇବ ବୋଲି କହିଛି।
Leave A Reply