ଦାନଗଦି, ତା ୧୯/୪ : ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନେଇ ଜଣେ ମୃତ ବ୍ୟକ୍ତିଙ୍କ ପୁଅ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଦାନଗଦି ଡ଼ାକ୍ତରଖାନାର ଜଣେ ଡାକ୍ତର ।
ସୂଚନା ମୁତାବକ ସୁକିନ୍ଦା ବ୍ଲକ ଗିରିଙ୍ଗାମାଳି ଗ୍ରାମର ବିକାଶ ମହାନ୍ତଙ୍କ ବାପା ଦୁଃଖବନ୍ଧୁ ଙ୍କ ବଜ୍ରପାତରେ ଗତ ମାସରେ ମୃତ୍ୟୁ ଘଟିଥିଲା l ଉକ୍ତଦିନ ବଜ୍ରପାତ ମୃତ୍ୟୁ ର ଶବ ବ୍ୟବଚ୍ଛେଦ କରିଥିବା ଦାନଗଦି ମେଡିକାଲ ଡାକ୍ତର ପବିତ୍ର ମୋହନ ସେଠୀ ବଜ୍ରପାତ ମୃତ୍ୟୁ ପ୍ରମାଣପତ୍ର ବଦଳରେ ଦୁଃଖ ବନ୍ଧୁ ଙ୍କ ପୁଅ ବିକାଶ ଙ୍କୁ ୨୦ ହଜାର ଟଙ୍କା ଉତ୍କୋଚ ଦାବି କରିଥିଲେ l ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେବା ପରେ ବିକାଶ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ l ବୁଧବାର ଭିଜିଲାନ୍ସ ଦଳ ମେଡିକାଲ ରେ ପହଞ୍ଚି ଯୋଜନାବଦ୍ଧ ଭାବେ ଡାକ୍ତର ଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ l ଲାଞ୍ଚ ନେବା ଘଟଣାରେ ମଧ୍ୟସ୍ଥତା କରୁଥିବା ଡାକ୍ତରଖାନାରେ କାର୍ଯ୍ୟରତ ଘରୋଇ ସଂସ୍ଥାର ସୁରକ୍ଷା କର୍ମୀ ଅଭିରାମ କାଣ୍ଡି ଙ୍କୁ ମଧ୍ୟ ଗିରଫ କରାଯାଇଛି l
ଚଢାଉ ଦଳରେ ଭିଜିଲାନ୍ସ ଡିଏସପି ସୁଶିଲ କୁମାର ଏକ୍କା, ଇନିସପେକ୍ଟର ଅନୁସୂୟା ସେନାପତି, ବି.କେ ସେଠୀ, ଜ୍ୟୋତି ଶଙ୍କର ସାହୁ, ଏସ. କେ କହଁର ଓ ଏ.ଏସ.ଆଇ ଶ୍ରୀକାନ୍ତ ନାୟକ ପ୍ରମୂଖ ସାମିଲ ରହିଥିଲେ l ପରେ ଡାକ୍ତର ସେଠୀ ଙ୍କ ଘର ଧର୍ମଶାଳା ଥାନା ଥନୁଆଲ ଗାଁ ରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣା ପଡ଼ିଛି।