Odisha news

ନିଳାଚଳ କାରଖାନାରୁ ଲୁଟ ଉଦ୍ୟମ ବିଫଳ : ସୁରକ୍ଷା କର୍ମୀଙ୍କ ପକ୍ଷରୁ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା

ଦାନଗଦି : କଳିଙ୍ଗନଗର ଶିଳ୍ପାଂଚଳ ଏକ ମାତ୍ର ରାଷ୍ଟ୍ରାୟୋତ ଉଦ୍ୟୋଗ ନିଳାଚଳ ଇଷ୍ପାତ କାରଖାନାରୁ ଗତ ଶନିବାର ସନ୍ଧ୍ୟା ଠାରୁ ବିଦୁ୍ୟତ ସେବା ବନ୍ଦ ହେବା ଫଳରେ ଚୋରୀ ବୃଦ୍ଧି ପାଇଛି । ଗତକାଲି ବିଳମ୍ଭିତ ରାତିରେ କାରଖାନାର ସାରଙ୍ଗପୁର,ବାରଗାଡିଆ,ଗୋଡିଗୋଠ ଓ ନୁଆଗାଁ ସାଇଡରୁ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଲୁଟେରା ମାନେ ହାତରେ ମାରଣାସ୍ତ୍ର ଓ ମେସିନ ସବୁଧରି ବିଭିନ୍ନ ଉପାୟରେ କାରଖାନା ପାଚେରୀ ଡେଇଁ ଭିତରକୁ ପଶିଥିଲେ । କାରଖାନା ପରିସରରେ ଥିବା ପ୍ରାୟ ୧୨ ଟା ବିଦୁ୍ୟତ ଟ୍ରାନ୍ସଫରମରକୁ କଟର ମେସିନ,ରେଞି,ହାତୁଡି ଆଦି ଯନ୍ତ୍ରାନ୍ସ ସାହାଯ୍ୟରେ କାଟିବା ପରେ ଅଏଲ ସବୁକୁ ବାହାରେ ଢାଳିଦେଇ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଦାମି ତମ୍ଭା କଏଲ ସବୁକୁ ଲୁଟ କରିବାକୁ ଯୋଜନା କରିଥିଲେ । ଏହି ସମୟରେ କାରଖାନାର ସୁରକ୍ଷା ଦାୟୀତ୍ୱରେ ଥିବା ଆସାଇନମେଂଟ ମ୍ୟାନେଜର ପ୍ରତାପ କୁମାର ସାମଲ ଓ ସୁପର ଭାଇଜର ସନ୍ତୋଷ କୁମାର ସଖୁଆ ସଦଳବଳେ ପେଟ୍ରୋଲିଂ କରୁଥିବାବେଳେ ଠିକ ନିଳାଚଳ ହାଉସ ପଛପଟେ ଲୁଟେରାଙ୍କ ସହ ମୁହାଁ-ମୁହିଁ ହୋଇଥିଲେ ।

ଯାହାଫଳରେ ଲୁଟେରା ମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଟେକା-ପଥର ମାରିବା ସହ କତା ଧରି ହାଣି ଦେବାକୁ ଗୋଡାଇ ଥିଲେ । ଦିର୍ଘ ୪ ଘଂଟାରୁ ଉଦ୍ଧ୍ୱର୍ ସମୟଧରି ଉଭୟଙ୍କ ମଧ୍ୟରେ ଛକ୍କା-ପଂଜା ଚାଲିଥିଲା । ଶେଷରେ ପରିସ୍ଥିତି ଏମିତି ହୋଇଥିଲା ଯେ ଆକ୍ରମଣକାରୀଙ୍କୁ ଘଉଡେଇବା ପାଇଁ ସୁରକ୍ଷା କର୍ମୀ ମାନେ ବାଧ୍ୟ ହୋଇ ତିନି ରାଉଣ୍ଡ ଫାଙ୍କା ଗୁଳିଚଳାଇ ଥିଲେ । ବନ୍ଧୁକ ସବ୍ଦ ଶୁଣି ଲୁଟେରା ମାନେ ଜୀବନ ବିକଳେ ଜାଗା ଛାଡି ପାଚେରୀ ଡେଇଁ ବାହାରକୁ ପଳାଇ ଥିଲେ । ଫଳରେ ଲୁଟ ଉଦ୍ୟମ ବିଫଳ ହୋଇଥିଲା । ପରେ ସୁରକ୍ଷା କର୍ମୀ ମାନେ ଘଟଣା ସ୍ଥଳରୁ ବହୁ କଟର ମେସିନ,ସ୍ଲାଇରେଂଚି,ପ୍ଲାସ ଆଦି ସାମଗି୍ର ସବୁକୁ ଜବତ କରିଥିଲେ । ଘଟଣା ସମ୍ପର୍କରେ କାରଖାନା କତୃପକ୍ଷ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ହେଲେ ଘଟଣାରେ କାହାକୁ ଗିରଫ କରିପାରିନାହିଁ । ତେବେ କାରଖାନାରେ ବିଦୁ୍ୟତ କାଟ ଫଳରେ ସୁରକ୍ଷା କର୍ମୀ ମାନେ ଅସହାୟ ହୋଇ ପଡିଛନ୍ତି । କେତେବେଳେ କୋଉ ମୁହୁର୍ତରେ କଣ ଯେ ଅଘଟଣ ଘଟିବ ତାହା କିଛି କହି ହେଉନାହିଁ । ତେଣୁ ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି

Comments are closed.