ଯାଜ୍ଞସେନୀ ସାହୁ ,ସେମିଳିଗୁଡା : ମଥାରେ ସିନ୍ଦୂରକୁ ବିବାହିତା ତଥା ସଧବା ନାରୀର ପରିଚୟ ବୋଲି କୁହାଯାଏ। ଖାସ୍ କରି ବିଶେଷ କିଛି ଧର୍ମରେ।ବାହାଘର ପରେ ନାରୀ ମଥାରେ ସିନ୍ଦୂର ଅନିବାର୍ଯ୍ୟ ବୋଲି ସମାଜିକ ଚଳଣୀରୁ ଜଣାଯାଏ।ନାରୀମାନେ ଭିନ୍ନ ଭିନ୍ନ ଲାଲରଙ୍ଗର ସିନ୍ଦୂର ଭିନ୍ନ ଶୈଳୀରେ ଲଗାନ୍ତି।କିଏ ଫିକାଲାଲ୍ କିଏ ଗାଢଲାଲ୍ କିଏ ହଳଦିଆ ତ କିଏ କମଳା ରଙ୍ଗର।କିଏ ସିନ୍ଥି ମଝିରେ ତ କିଏ ସିନ୍ଥିର ବାମ ବା ଡାହାଣ କଡକୁ ଲଗାଏ,କିଏ ମେଞ୍ଚାଏ ମୋଟାକରି ତ କିଏ ସରୁ କରି ଲଗାଏ।କିନ୍ତୁ ଆଜିକାଲି ଏକ ନୂଆ ଘଟଣା ଦେଖିବାକୁ ମିଳୁଛି।ସିନ୍ଦୂର ଲଗାଇବା ଏବେ ଇଚ୍ଛାଧୀନ ଓ ବ୍ୟକ୍ତିଗତ ସଉକ ପାଲଟିଯାଇଛି।ତଥାପି ପରିସ୍ଥିତିରେ ପଡି କିଏ ବାଳ ମଝିରେ ଲୁଚାଇ ଲଗାଉଛି ତ କିଏ ଜମାରୁ ଲଗାଉନାହିଁ।ଯେହେତୁ ତଥାକଥିତ ସମାଜ ସିନ୍ଦୂର ଲଗାଇବା ନାରୀ ଦେଖି ସଂସ୍କାରୀ,ପତିବ୍ରତା,ସମର୍ପିତା, ଆଦର୍ଶପତ୍ନୀ ଆଦିର ଟିପ୍ପଣୀ ଦିଏ ତେଣୁ ୟାକୁ ନେଇ ଏବେ ଦମ୍ପତି ମଧ୍ଯରେ ମନୋମାଳିନ୍ଯ ,ପରିବାରରେ ଓ ସମାଜରେ ଅରାଜକତା ଦେଖାଦେଉଛି ।ବିଷୟଟି ନଗଣ୍ଯ ହେଲେବି ଆଲୋଚନା କରିବାର ଆବଶ୍ୟକତା ରହିଛି । ସିନ୍ଦୂର ପିନ୍ଧିବାକୁ ଯଦି କେବଳ ପାରମ୍ପରିକ ପ୍ରଥା ବୋଲି ଧରାଯାଏ, ତେବେ ନାରୀମାନଙ୍କ ପାଇଁ ଯେ ଏହା ବାଧ୍ୟତାମୂଳକ ତାହା ନୁହଁ।ଏହାକୁ ବିରୋଧକରି ନାନା ନିନ୍ଦା ଅପବାଦ ଆସିଲେ ବି ଏହା ଅସାମ୍ବିଧାନିକ ଓ ଅପରାଧ ବି ନୁହଁ।ତଥାପି କିଛି ଧାର୍ମିକ ଓ ବୈଦିକ କାରଣ ଦେଇ ନାରୀକୁ ଅହରହ ଋଢିବାଦତାର ପରିସୀମାରେ ବନ୍ଦୀ କରିବାରେ ସମାଜ ଅଗ୍ରଣୀ ଭୂମିକା ଧାରଣ କରିଛି।ସେଥିରୁ କିଛିଟାର ଆଲୋଚନା କରିବା ସହ ବ୍ୟତିକ୍ରମ ମଧ୍ଯ ଦେଖିବା।
ପ୍ରଥମ ଜନମତଟି ହେଲା, ସିନ୍ଦୂରର ଲାଲରଙ୍ଗ ଧ୍ୟାନ ଆକର୍ଷଣର ରଙ୍ଗ ଓ ଏହାକୁ ବିପଦ ସଂକେତର ରଙ୍ଗ ଭାବେ ଜଣାଯାଏ।ତେଣୁ ବିବାହିତା ନାରୀ କାଳେ ଏହାକୁ ବିବାହର ପ୍ରତୀକଭାବେ ବ୍ୟବହାର କରି ସୂଚାଇଦିଏ ଯେ, “ହେ ସମାଜ ମୁଁ ଏବେ ଆଉ କୁଆଁରୀ ହେଇ ରହିନାହିଁ।ମୁଁ ଏବେ ଜଣଙ୍କର ପତ୍ନୀ।ତୁମେ ମୋତେ ଆଉ ଦୁର୍ବଳ ମାନସିକତାରେ ଦେଖିପାରିବ ନାହିଁ କି ମୋର କ୍ଷତି କରିପାରିବ ନାହିଁ।”ଏହା ବିପକ୍ଷରେ ମନ୍ତବ୍ଯ ରଖାଯାଇପାରେ ଯେ,ଆମ ଚାରିପାଖ ସମାଜ କଣ ଏତେ ସଂକୀର୍ଣ୍ଣମୁହାଁ ହେଇଯାଇଛି ଯେ ନାରୀ ନିଜକୁ ସୁରକ୍ଷିତ ବୋଲି ସିନ୍ଦୂର ମାଧ୍ୟମରେ ଚେତେଇ ଦେଉଛି, ଏ କିଭଳି ସଂକେତ ଯେ କୁଆଁରୀ ଝିଅମାନେ ସବୁବେଳେ ଭୋଗ୍ୟା ,ସିନ୍ଦୂର ଛଡା କ’ଣ ଆଉ କିଛି ଉପାୟ ନାହିଁ ନିରାପଦତାର ; ଏମିତି ଅନେକ ପ୍ରଶ୍ନ।ପୁଣି ସମାଜରେ ଏବେ ଅପରାଧ ବିବାହିତା, ଅବିବାହିତା, ବାଳିକା,ବୃଦ୍ଧା ନିର୍ବିଶେଷରେ ନିଜ ସୀମା ଟପି ସାରିଛି।ମାନେ ଏଭଳି ଜନମତ କଦ୍ୟପି ପୂରା ଗ୍ରହଣଯୋଗ୍ୟ ନୁହେଁ।
ଏବେ ଦେଖିବା ପର ମତଟି।ଭାରତୀୟ ସଂସ୍କୃତିର ପ୍ରଥାଗୁଡିକ ପଛରେ ବୈଜ୍ଞାନିକ ତତ୍ତ୍ବ ରହିଛି ବୋଲି ଅନେକଙ୍କ ମତ।ସିନ୍ଦୂର ପିନ୍ଧିବା ବି ଏହାର ଅନ୍ତର୍ଗତ। କୁହାଯାଏ କପାଳର ଦୁଇ ଭ୍ରୁଲତାର ମଝିଜାଗାରେ ଏକ ବ୍ରହ୍ମରନ୍ଧ୍ର ରହିଛି।ଏହା ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ସିନ୍ଦୂର ଲଗାଇବା ଦ୍ବାରା ସେଥିରେ ଥିବା ପାରା ନାମକ ଧାତୁ ପ୍ରଭାବରେ ମସ୍ତିଷ୍କ ଥଣ୍ଡା ରହେ ଓ ନାରୀ ସାଂସାରିକ କଳହ ଓ ଚାପରୁ ମୁକ୍ତ ରହେ।ତତ୍ ସହିତ ସିନ୍ଦୂର କାଳେ ରକ୍ତଚାପରୁ ମୁକ୍ତ ରଖିବା ସହ ସ୍ନାୟୁ ଜାଗ୍ରତ କରିବାରେ ଓ ଇନ୍ଦ୍ରିୟ ସଂଯମ ରଖିବାରେ ସହାୟକ ହୋଇଥାଏ।ଯୌନ ଉତ୍ତେଜନା ହ୍ରାସ କରିବା ସହ ଚେହେରାକୁ ଚର୍ମକୁଞ୍ଚନରୁ ରକ୍ଷା କରେ। ଏସବୁକୁ ବି ନିତିଦିନିଆ ସର୍ବେକ୍ଷଣରୁ ଦେଖିଲେ ବ୍ୟତିକ୍ରମ ପ୍ରତୀତ ହୁଏ।ସିନ୍ଦୂର ପିନ୍ଧୁଥିବା ମହିଳାମାନେ ପାରିବାରିକ ଜୀବନରେ କଳହମୁକ୍ତ, ଚାପମୁକ୍ତ ଓ ନିର୍ଯାତିତ ନୁହଁ ବୋଲି ସିଦ୍ଧାନ୍ତ ଦେବା କଷ୍ଟସାଧ୍ୟ ।ବିପରୀତରେ ସିନ୍ଦୂର ବ୍ୟବହାର ନ କରୁଥିବା ତମାମ ମହିଳାସମାଜ ଯେ ଅପ୍ରୀତିକର ପରିସ୍ଥିତିରେ ରୁହନ୍ତି ଏହା ବି ଅଯୌକ୍ତିକର।ତା’ଛଡା ଦାମ୍ପତ୍ଯ ଜୀବନକୁ ସନ୍ତୁଳିତ ରଖିବାର ପ୍ରତିବଦ୍ଧତା ଏକପାଖିଆ ନ ହୋଇ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଉପରେ ନ୍ୟସ୍ତ ରହିବା ଜରୁରୀ। ଇନ୍ଦ୍ରିୟ ସଂଯମ, ଉତ୍ତେଜନା ହ୍ରାସ କ୍ଷେତ୍ରରେ ମଧ୍ଯ ଏହା କେତେ ଭିତ୍ତିହୀନ ସମୀକ୍ଷା କଲେ ଜାଣିପାରିବା।
ତୃତୀୟ ମତଟି ହେଉଛି ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଓ ଗୁରୁ ବିଷୟ।ଏକ ପିତୃତନ୍ତ୍ରର ନିଦର୍ଶନ କହିଲେ ବି ଅତ୍ୟୁକ୍ତି ହେବ ନାହିଁ ଯାହାକୁ ପରୋକ୍ଷରେ ସତୀତ୍ୱ ଓ ସମର୍ପଣଭାବ ସହ ଯୋଡାଯାଇଛି। ଆମେ ଦେଖୁ ସ୍ୱାମୀ ମୃତ୍ଯୁ ପରେ ସ୍ତ୍ରୀ ମଥାରୁ ସିନ୍ଦୂର ପୋଛାଯାଏ। ମତାନୁଯାୟୀ , ନାରୀ ମଥାରେ ସିନ୍ଦୂର କେବଳ ସ୍ୱାମୀର ଆୟୁ,ଧନ,ଯଶ,କୀର୍ତ୍ତି ବଢାଇବା ପାଇଁ ଉଦ୍ଦିଷ୍ଟ।ଏଭଳି ପ୍ରଥାକୁ ଅଧିକ ଆକର୍ଷିତ ଓ ଅତିରଞ୍ଜିତ କରିବା ଆଳରେ ପୁନଃ ଭାଗଭାଗ କରାଯାଇଛି। ଯେପରିକି ଦୁଇ ଆଖି ମଝି ଜାଗାରେ ସିନ୍ଦୂର ଲଗାଇବା ଜଣଙ୍କ ଅଧିକୃତ ପତ୍ନୀର ପରିଚୟ ଦର୍ଶାଉଥିବା ବେଳେ, ମଥା ଉପରେ ସିନ୍ଦୂର ପିନ୍ଧିବାକୁ ସତୀତ୍ୱ ନଷ୍ଟ ହେଲେ ମଥାରୁ ସିନ୍ଦୂର ଆଣି ଖାଇ ମରିବାକୁ ଦର୍ଶାଏ।କାନରେ ସିନ୍ଦୂର ଲଗାଇବା ସ୍ବାମୀ ପବିତ୍ରତା ଆଚରଣ କରି ପର ନାରୀକୁ ପାପଦୃଷ୍ଟିରେ ଦେଖିବାରୁ ବଞ୍ଚିବାକୁ ଦର୍ଶାଏ, କଣ୍ଠରେ ସିନ୍ଦୂର ଲଗାଇବା ସର୍ବଦା ଶିବ ପାର୍ବତୀଙ୍କୁ ଭଲପାଇବା ଭଳି ସ୍ବାମୀଠୁ ପ୍ରେମ ଆଶାରେ ହୋଇଥିବା ବେଳେ, ଶେଷରେ ଶଙ୍ଖାରେ ସିନ୍ଦୂର ଲଗାଇବା ସଧବା ଅବସ୍ଥାରେ ମୃତ୍ଯୁ କାମନା କରିବାକୁ ଦର୍ଶାଏ। ମୋଟାମୋଟି ଭାବେ କହିବାକୁ ଗଲେ ସିନ୍ଦୂର ସହ କେବଳ ପୁରୁଷର ଉତ୍ତୋରତ୍ତର ଉନ୍ନତି ତଥା ନାରୀର ତ୍ଯାଗ ସମର୍ପଣଭାବ ଅଙ୍ଗାଙ୍ଗୀଭାବେ ଜଡିତ।ଏସବୁ ନିୟମାବଳୀ ନାରୀପ୍ରତି ହେୟ ମନୋଭାବ ଆଣୁଥିବା ବେଳେ ନାରୀକୁ ଭୟଭୀତ କରାଇ ସ୍ୱାମୀ ବିନା ସେ ଅସହାୟ ଓ ମୂଲ୍ଯହୀନା ଭାବିନେଉ ବୋଲି ଛଳନାପୂର୍ଣ୍ଣ ରଚନା ଦ୍ବାରା ବାଧ୍ଯ କରାଯାଉଛି ।
ସମାଜର ଆଉ କିଛି କଠୋରପନ୍ଥୀ ମଧ୍ଯ ସିନ୍ଦୂର ପ୍ରଥାକୁ ଏକ ନିନ୍ଦନୀୟ ଚିନ୍ତାଧାରା ସହ ଯୋଡି ହୀନ ମାନସିକତାର ପରିଚୟ ଦେବାକୁ ପଛାନ୍ତି ନାହିଁ।ସେମାନଙ୍କ ମତରେ, ପ୍ରତ୍ୟେକ ନାରୀ ଭିତରେ ଅନ୍ତର୍ନିହିତ ଅଭିଳାଷ ଥାଏ ଯେ ସେ ସଧବା ହେଇ ସ୍ବାମୀ ଆଗରୁ ମୃତ୍ଯୁଲାଭ କରନ୍ତୁ। ଯେହେତୁ ସିନ୍ଦୂରରେ କିଛି ରସାୟନିକ ବିଷକାରକ ମିଶି ରହିଥାଏ ତେଣୁ ତା ପ୍ରଭାବରେ ନାରୀର ଆୟୁ କ୍ଷୁର୍ଣ୍ଣ ହୁଏ ଓ ସେ ସ୍ୱାମୀ ଆଗରୁ ଦେହତ୍ୟାଗ କରେ।କେବଳ ସେତିକି ନୁହେଁ ଏଭଳି କାରଣ ନେଇ ଭିନ୍ନ ଭିନ୍ନ ଶୈଳୀରେ ଲୋକକଥାମାନ ପ୍ରଚଳିତ।ଅହ୍ୟ ସୁଲକ୍ଷଣୀ ଭବଃ, ସଦା ସୁହାଗନ୍ ରହୋ, ପାଚିଲା ବାଳରେ ସିନ୍ଦୂର ନା, ହାତ କାଚ ବଜ୍ର ହେଉ ଭଳି ଆଶୀର୍ବାଦ। ଏସବୁ ଶ୍ରୁତିମଧୁର ହେଲେ ମଧ୍ଯ ଗଭୀର ବ୍ୟାଖ୍ୟା କଲେ ବାସ୍ତବତା ଆଉ କିଛି ମନେ ହୁଏ। ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀକୁ ଆଗୁଆ ମରିବାକୁ କୁହାଯିବା ଭଳି ପ୍ରରୋଚନା। ଅତୀତ ଇତିହାସର ସ୍ୱାମୀ ମରିଯିବା ପରେ ସେଇ ଯୂଇରେ ସ୍ତ୍ରୀର ଜୀବନ୍ତ ଦଗ୍ଧ ହେବା ଅବା ବିଧବା ଜୀବନ ଉତ୍ପୀଡନରେ ବିତେଇବା ପ୍ରଥା ମଧ୍ଯ ଏସବୁ ଉକ୍ତିର ଲକ୍ଷ୍ୟସାଧନ କରୁଛି ।ଅତୀତ ସହ ବର୍ତ୍ତମାନ ପରିସ୍ଥିତିରେ ବି ସିନ୍ଦୂର ପ୍ରଥାକୁ ସ୍ଥାନେ ସ୍ଥାନେ ଧ୍ୟାନକୈନ୍ଦ୍ରିକ କରାଯାଏ।ଆମ ଚାରିକଡ ଦୁନିଆରେ ହେଉ କି ଡିଜିଟାଲ୍ ମିଡିଆର ଅନେକ ଯାତ୍ରା, ନାଟକ,ଚଳଚ୍ଚିତ୍ର,ସଙ୍ଗୀତରେ ସିନ୍ଦୂରକୁ ନେଇ ଅନେକ ଦୃଶ୍ଯ ଓ ସଂଳାପ ମଧ୍ଯ ନାରୀକୁ ଭାବବିହ୍ବଳତା ଓ ଅହେତୁକ ଭୟ ଆଡକୁ ଠେଲିଦିଏ ।ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଡାଏଲଗ୍ “ଏକ୍ ଚୁଟକି ସିନ୍ଦୂର୍ କି କିମତ୍ ତୁମ୍ କ୍ୟା ଜାନୋ….” ଆଜି ମଧ୍ଯ ଜନମାନସରେ ଝଙ୍କାରି ଉଠେ।
ନିକଟ ଅତୀତର ଏକ ଜ୍ବଳନ୍ତ ଉଦାହରଣ ନେବା।ଜନୈକା ସ୍ତ୍ରୀ ସିନ୍ଦୂର ପିନ୍ଧିବାକୁ ଅରାଜି ହେବାରୁ ସ୍ବାମୀଙ୍କ ଅଭିଯୋଗ ଆଧାରରେ ଗୌହାଟୀ ହାଇକୋର୍ଟ ମହିଳାଙ୍କ ଉପରେ ବିରୋଧାଭାସ ଟିପ୍ପଣୀ ରଖି ଛାଡପତ୍ର କରାଇଥିଲେ। କୋର୍ଟର ମତ ଥିଲା ଯେ,ହିନ୍ଦୁ ରୀତିନୀତିରେ ବିବାହ କରିବା ପରେ ସିନ୍ଦୂର ପିନ୍ଧିବାକୁ ମନା କଲେ ଏହା ମାନିନିଆଯିବ ଯେ ମହିଳାଙ୍କୁ ବିବାହ ମଞ୍ଜୁର ନୁହେଁ କାରଣ ବିନା ସିନ୍ଦୂରରେ ତାହା କୁଆଁରୀ ଅବସ୍ଥାକୁ ଦର୍ଶାଏ। ଉଲ୍ଲିଖିତ ସମସ୍ତ ପ୍ରସଙ୍ଗର ସାରାଂଶ ଏହା ଯେ, କେବଳ ସ୍ତ୍ରୀ ର ଦାୟିତ୍ବ ନୁହଁ ବିବାହର ଚିହ୍ନ ବଜାୟ ରଖିବାକୁ।ସିନ୍ଦୂରକୁ କେବଳ ନାରୀ ଶ୍ରୀଙ୍ଗାରର ଏକ ଅଂଶ ତଥା ଶୋଭାବର୍ଦ୍ଧନକାରୀ ପ୍ରସାଧନ ରୂପେ ଗ୍ରହଣ କରିବା ହିଁ ଶ୍ରେୟସ୍କର ।ଟୋପାଏ ସିନ୍ଦୂର ଯେ ସ୍ୱାମୀ ସ୍ତ୍ରୀ ଭିତରର ପ୍ରେମ, ସହଯୋଗ, ବୁଝାମଣାକୁ ଯଥାର୍ଥ କରିବ ଏହା ଆଦୌ ସମୀଚୀନ ନୁହଁ।କି ନାରୀ ସିନ୍ଦୂର ନ ପିନ୍ଧିବା ବୈବାହିକ ଜୀବନରେ ଭଟ୍ଟା ପଡିଯିବା ସହ ସମାନ ହୋଇ ନପାରେ।କେତୋଟି ପ୍ରଥା ପରମ୍ପରା ହିଁ ଉତ୍ତମ ସଂପର୍କକୁ ଆଜୀବନ ତୁଲାଇବା କିମ୍ବା ଉତ୍ତମ ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାର କାରଣ ହେବ,ଏହା ସଭ୍ୟ ସମାଜପାଇଁ ଅଶୋଭନୀୟ ଭାବଧାରା।ତା ଛଡା ନିର୍ଦ୍ଦିଷ୍ଟ କିଛି ସମୁଦାୟକୁ ଛାଡି ଅନ୍ୟ ନାରୀମାନଙ୍କର ସିନ୍ଦୂର ନ ପିନ୍ଧିବା ଦ୍ବାରା ନା ସ୍ୱାମୀର ହାନି ହୁଏ ନା ସଂପର୍କରେ ଫାଟ ଆସେ।ନିଶ୍ଚିତ ଯେ ଯାହା ସାର୍ବଭୌମିକ ନୁ୍ହେଁ ତାହା ସତ୍ଯ ମଧ୍ଯ ନୁହେଁ।ବୈଚାରିକ ଦୃଷ୍ଟିକୋଣରୁ କହିବାକୁ ଗଲେ, ତ୍ଯାଗବଳିଦାନ ଡରଭୟକୁ ଉସୁକାଉଥିବା ଅନ୍ଧବିଶ୍ୱାସକୁ ହଟେଇ ସ୍ୱାମୀ-ସ୍ତ୍ରୀ ସଂପର୍କରେ ପୂଜାରୀ-ପୂଜନୀୟ, ଦାସ-ମାଲିକର ଅନୁଭବକୁ ସମୂଳେ ନାଶ କରିବା ଦରକାର।ସିନ୍ଦୂର ପିନ୍ଧିବା ପଛରେ ବ୍ୟକ୍ତିଗତ ଇଚ୍ଛା ରହିଥିବା ହେତୁ ଏହାକୁ ବର୍ଜିତ ନକରି କେବଳ ତା ପଛର ଅବୈଜ୍ଞାନିକ ଅମୂଳକ ବିଶ୍ବାସକୁ ହଟାଯାଉ।କିନ୍ତୁ ଯେଉଁମାନେ ପସନ୍ଦ କରୁନାହାନ୍ତି ସେମାନଙ୍କୁ ଛନ୍ଦିଦେବା ଏକପ୍ରକାର ଶୋଷଣ।ସାମ୍ବିଧାନିକ ରାଷ୍ଟ୍ରରେ ଏହାକୁ ସ୍ୱେଚ୍ଛାଚାରିତା ଓ ନାରୀର ଅତ୍ୟଧିକ ସ୍ୱାଧୀନତା କହି ଆକ୍ଷେପ କରିବା ଅମାନବୀୟ।ଏଭଳି ପଦକ୍ଷେପକୁ କିଛି ଲୋକ ଆଧୁନିକତା କହି କଟାକ୍ଷ କଲେ ସୁଧା, ସମାନତା ପାଇଁ ଏହା ଜରୁରୀ।
Comments are closed.