Odisha news

ଅସଂଗଠିତ ଶ୍ରମିକଙ୍କୁ ୩ ମାସର ଦରମା ଦିଆଯାଉ –ସିପିଆଇ

0

ଭୁୁବନେଶ୍ୱର : ଲକ୍ ଡାଉନ୍ ଯୋଗୁଁ ଜୀବିକା ହରାଇଥିବା ଶ୍ରମିକ ମାନଙ୍କୁ ମାସକୁ ୭୫୦୦ ଟଙ୍କା ଲେଖାଏଁ ତିନି ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ସିପିଆଇ ଦାବି କରିଛି ।  ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ କହିଛନ୍ତି ଯେ ଲକ୍‌ଡ଼ାଉନ୍ ଗୋଷଣା ପରେ ରାଜ୍ୟର ଶ୍ରମିକ, ଚାଷୀ ଓ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କର ଅବସ୍ଥା ଦୁର୍ବିସହ ହୋଇପଡ଼ିଛି । ସମସ୍ତ ଶ୍ରମିକଙ୍କୁ ଏକମାସର ଦରମା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରି ନାହିଁ । ଅଳ୍ପ କେତେକ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୧୫୦୦ଟଙ୍କା ପାଇଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପରି । ବର୍ତମାନ ରାଜ୍ୟରେ ପ୍ରାୟ ଏକକୋଟି ସଂଗଠିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକ ଓ ଦିନ ମଜୁରିଆ ତାଙ୍କର ଜୀବନ ଜୀବିକା ହରେଇ ସାରିଲେଣି । ଅପର ପକ୍ଷରେ ଚାଷୀ ତାର ଉତ୍ପାଦିତ ସାମଗ୍ରୀ ବିକ୍ରୀ କରିନପାରି ପ୍ରତ୍ୟେକ ଦିନ କ୍ଷତି ସହିଚାଲିଛି । ବହୁ ପୂର୍ବରୁ ପରିସ୍ଥିତି ଓ କରୋନାର ମୁକାବିଲା ସହିତ ଆଗାମୀ ଦିନର ଭୟଙ୍କର ଅର୍ଥନୈତିକ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିବା ନିମନ୍ତେ ସିପିଆଇ ଦେଇଥିବା ପ୍ରସ୍ତାବକୁ ସରକାର କାର୍ଯ୍ୟକାରୀ କରିବାକୁ ଦାବି କରୁଛି । କରୋନା ମୁକାବିଲାର ସମ୍ମୁଖ ଭାଗରେ ସେବାରତ ପ୍ରତ୍ୟେକ ଆଶା ଓ ଅଙ୍ଗନୱାଡ଼ି କର୍ମୀ ସମେତ ସମସ୍ତଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇବା ସୁନିଶ୍ଚିତ କରାଯାଉ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଶ୍ରମିକ ମାନଙ୍କୁ ମାସକୁ ୭୫୦୦ ଟଙ୍କା ଲେଖାଏଁ ତିନି ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ସିପିଆଇ ଦାବି କରୁଛି । ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବାରୁ ସେମାନେ କରିଥିବା ରେଜିଷ୍ଟ୍ରେସନ ଅନୁସାରେ ସମସ୍ତଙ୍କ ଆକାଉଂଟରେ ୭୫୦୦ଟଙ୍କା ପ୍ରଦାନ କରାଯିବା ସହିତ ପ୍ରବାସୀ ଶ୍ରମିକ ଆଇନ–୧୯୭୯କୁ ସମୃଦ୍ଧ କରାଯାଇ ସେମାନଙ୍କ ହିତକୁ ପ୍ରାଧାନ୍ୟ ଦିଆଯାଉ; ଆୟକର ପୈଠକରୁଥିବା ବ୍ୟକ୍ତିଙ୍କୁ ବାଦଦେଇ ରାଜ୍ୟ ସରକାର ସମସ୍ତ ଲୋକଙ୍କୁ ରାସନ ଯୋଗାଇ ଦିଅନ୍ତୁ ଏବଂ ସମସ୍ତ ନାଗରିକଙ୍କ କରୋନା ଟେଷ୍ଟ ତୁରନ୍ତ କରାଯିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଼ଦାବି କରାଯାଇଛି ।

Nalco

Leave A Reply