ପହିଲେ କରୋନା ଟୀକାକୁ ନେଇ ଭାରତରେ ରାଜନୀତି ଜୋର ଧରିଥିବାବେଳେ ଏବେ ଭେକ୍ସିନ ଅର୍ଥାତ ଟୀକାକରଣକୁ ନେଇ ରାଜନୀତି ସରଗରମ ହୋଇଉଠିଛି । କରୋନା ଜନିତ ସଂକଟକୁ ମୁକାବିଲା କରୁଥିବା ଦେଶକୁ ନୂତନ ବର୍ଷ ଆରମ୍ଭରେ ଯେତେବେଳେ ଦୁଇଟି ଭେକସିନର ଉପହାର ପ୍ରଦାନ କରାଗଲା ପ୍ରଥମେ ଅଖିଲେଶ ଯାଦବ ଏହାକୁ ଭାଜାପା ଟିକା କହି ସମାଲୋଚନା କରିଥିଲେ ଏବଂ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ସଫାସଫା ମନାକରିଦେଲେ । ତାଙ୍କର କଟାକ୍ଷ ହେଉଛି କେନ୍ଦ୍ର ସରକାର ତ ତାଳି ଥାଳି ବଜାଉଥିଲେ, ଏବେ ଟିକାକରଣ ପାଇଁ ଏତେ ବ୍ୟାକୁଳ ହେଉଛନ୍ତି କାହିଁକି ? ତାଳି ମାରି ଓ ଥାଳି ଢାଉଁ ଢାଉଁ ପିଟି ତ ସରକାର କରୋନାକୁ ଖେଦିଥିଲେ । ତେଣେ ଅନୁରୂପ ଭାବେ ବିପକ୍ଷ କଂଗ୍ରସ ଦଳର ଦୁଇଜଣ ଦିଗଜ ରାଜନେତା ଯଥା ଜୟରାମ ରମେଶ ଓ ଶଶି ଥରୁର ଭେକସିନ ବା ଟିକାକରଣକୁ ନେଇ ପ୍ରଶ୍ନ ଛିଡା କରେଇଛନ୍ତି । କୋଭିକସନ ତୃତୀୟ ଚରଣ ପରୀକ୍ଷଣ ସମାପ୍ତ ନ ହେବା ଆଗରୁ ଏହାକୁ ଅନୁମତି ପ୍ରଦାନ କରିବାଟା ବିପଦକୁ ଡାକିବା ଛଡା ଆଉ କିଛି ନୁହେଁ ବୋଲି ରୋକଠୋକ ଶୁଣେଇ ଦେଇଛନ୍ତି ।
ଯେତେ ମୁହଁ ସେତେ କଥା । ଥୋକେ ରାଜନୈତିକ ଦଳ ଟିକାକରଣକୁ ନେଇ ସଂଶୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛନ୍ତି । ନିଜ ଶାସନକୁ ଚମକପ୍ରଦ କରିବା ଅଭିସନ୍ଧିରେ ଏମାନେ ଦେଶଭକ୍ତି ପ୍ରତି କେତେ ଯେ କ୍ଷତି କରୁଛନ୍ତି ସେ କଥା କେହି ବି ନିଘା ରଖୁନାହାଁନ୍ତି । ଖୁବ୍ କମ ସମୟ ମଧ୍ୟରେ ଭେକସିନ ପ୍ରସ୍ତୁତ କରିଥିବା ବୈଜ୍ଞାନୀକଙ୍କ ଉପଲବ୍ଧିକୁ ନେଇ ଆମେ ସଭିଏଁ ଛାତି ଫୁଲେଇ ଗର୍ବ ଅନୁଭବ କରିବା ଉଚିତ । ଅଥଚ ପ୍ରମୁଖ ବିରୋଧୀ ଦଳ ନିଜନିଜର ଢୋଲ ପିଟି ନିଜସ୍ୱ ରାଗ ସ୍ୱର ଓ ତାଳରେ କରୋନା ଗୀତ ବଜେଇ ଚାଲିଛନ୍ତି ।
ସେ ଯାହାହେଉ,ବର୍ତମାନ ଭାରତରେ ବିଶ୍ୱର ସବୁଠାରୁ ବଡ ଧରଣର ଟିକାକରଣ ଅଭି ଯାନ ସଫଳତାପୂର୍ବକ ଚାଲୁରହିଛି । ଆମ ଦେଶର ବୃହତ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବିରୋଧୀ ଦଳଗୁଡିକଙ୍କର ପ୍ରଶ୍ନ ଉଠେଇବାର ନ୍ୟାଯ୍ୟ ଅଧିକାର ରହିଛି । ନିକଟରେ ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ରପଦେଶ, ଓଡିଶା, ପଂଜାବ ଛତିଶଗଡ ଇତ୍ୟାଦି ରାଜ୍ୟଗୁଡିକରେ ଭେକସିନର ଘୋର ଅଭାବ ପରିଲକ୍ଷିତ ହେବାରୁ ହୋ-ହଲ୍ଲା,ପାଟିତୁଣ୍ଡ ଓ ହଟ୍ଟଗୋଳ ଆରମ୍ଭ ହୋଇଗଲାଣି । ସେପଟେ କେନ୍ଦ୍ର ସରକାରଙ୍କ କହିବା କଥା ହେଲା, ଉକ୍ତ ରାଜ୍ୟଗୁଡିକରେ ହାରାହାରୀ ଅପେକ୍ଷା ଖୁବ୍ କମ ଟିକାକରଣ ହେଉଛି । ଏ ବାବଦରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଟିକାକରଣ ଅଭିଯାନ ପ୍ରକ୍ରିୟାକୁ ସୁଧାରିବା ଲାଗି ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ମହାରାଷ୍ଟ୍ର କ୍ଷେତ୍ରରେ ଦେଖିଲେ ସେଠି ଏଯାଏ ୭୬ ପ୍ରତିଶତ ଲୋକଙ୍କୁ ଭେକସିନର ପ୍ରଥମ ଡୋଜ ଦିଆଯାଇଚି । ସେମିତି ବରିଷ୍ଠ ନାଗରୀକଙ୍କୁ କଥା ଦେଖିଲେ ମହାରାଷ୍ଟ୍ରରେ କେବଳ ୨୫ ପ୍ରତିଶତ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି । ସେହିଭଳି ଛତିଶଗଡ ସରକାର କୋଭିକସିନ ବ୍ୟବହାର କରିବାକୁ ରୋକଠୋକ ମନା କରିଦେଇଛନ୍ତି । ରାଜ୍ୟ ସରକାର କେବଳ ଶାସନ ଚଳେଇଛନ୍ତି ସିନା ହେଲେ କୌଣସି ରାଜ୍ୟ ସରକାର କୋରନା ସଂକ୍ରମଣକୁ ରୋକିବା ଲାଗି ଉପଯୁକ୍ତ ତଥା ଠୋସ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବଦ୍ଧନ ଆପତି ଉଠେଇଛନ୍ତି ।
ଅଧିକାଂଶ ରାଜ୍ୟରେ ଅଣ ଭାଜପା ସରକାର ରାଜ୍ୟ ଶାସନ କରୁଛନ୍ତି । ତେବେ ଏକଥା ସତ ଯେ କେତେକ ରାଜ୍ୟରେ ଟେଷ୍ଟି ବା ପରୀକ୍ଷା କଂଟ୍ରାକଟ୍ ଟ୍ରେସିଂ କାମ ସଠିକ ଭାବେ ହୋଇପାରୁ ନାହିଁ । ଏସବୁ ରାଜ୍ୟ ନିଜର ବିଫଳତାକୁ ଘୋଡେଇବା ଲାଗି ଦାୟିତ୍ୱହୀନ ବୟାନ ଦେବାରେ ଲାଗିପଡିଛନ୍ତି । ପୁଣି ଏହା ବି ନିରାତ ସତ ଯେ ଦେଶରେ ଭେକ୍ସିନ ବା ଟିକା ପରିମାଣ ପର୍ଯ୍ୟାପ୍ତ ନୁହେଁ । ଭେକସିନ ବା ଟୀକାର ଚାହିଦା ଓ ଯୋଗାଣର ସୂଚନା ରାଜ୍ୟ ସରକାରଙ୍କୁ ପରିଷ୍କାର ଭାବେ ପଠେଇ ଦିଆଯାଉଛି । ରିଅଲ ଟାଇମ ବ୍ରେସିସ ଉପରେ ତୀକ୍ଷଣ ନଜର ରଖାଯାଉଛି ।
କରୋନା ଟିକାକରଣ କ୍ଷେତ୍ରରେ କେତେକ ରାଜନୈତିକ ଦଳ ସନେ୍ଦହାତ୍ମକ ବାତାବରଣ ସୃଷ୍ଟି କରିବାକୁ ପ୍ରଚେଷ୍ଟା କରୁଥିବା ଲକ୍ଷ କରାଯାଏ । ଏପରିକି କେତେକ ରାଜ୍ୟ ସରକାର ବୟସ ସର୍ବନିମ୍ନ ୧୮ ବର୍ଷକୁ ନିର୍ଦ୍ଧାରଣ କରିବାକୁ ଚାହିଁଛନ୍ତି । ଅତଏବ ଅଠର ବର୍ଷ ବୟସରୁ ଉଦ୍ଧ୍ୱ ସବୁ ଲୋକଙ୍କ ପାଇଁ ଭେକସିନ ବା ଟିକା ଦାବି କରିବା ଭୁଲନୁହେଁ । ମାତ୍ର ଏହି ଦାବୀର ଅର୍ଥ ହେଉଛି ଏସବୁ ରାଜ୍ୟ ପ୍ରଥମ ସବୁ ବର୍ଗଙ୍କୁ ସମ୍ପୂର୍ଣ୍ଣ ରୂପେ ଟିକାକରଣ ପରିସରଭୁକ୍ତ କରିଦେଇଛନ୍ତି ।
ତେବେ ଏକଥା ସତ ଯେ ପ୍ରଥମ ସବୁ ବର୍ଗଙ୍କ ମଧ୍ୟରେ ଟିକାକରଣ ସଂପୂର୍ଣ୍ଣ ହୋଇନାହିଁ । କାରଣ କରୋନା ଟିକା ସୀମିତ । ଏଥିପାଇଁ ଆୟୁ ବର୍ଗ ନିର୍ଦ୍ଧାରଣ କରିବା ବ୍ୟତୀତ ସରକାରଙ୍କ ପାଶେ ଅନ୍ୟ ବିକଳ୍ପ ନାହିଁ । ସୁତରାଂ ଦେଶବାସୀମାନେ ଯଥାଶୀଘ୍ର କରୋନା ଟିକା ନେଇଯାଆନ୍ତୁ ବୋଲି କେନ୍ଦ୍ର ସରକାର ଚାହୁଁଛନ୍ତି । ପହିଲେ ସେଇମାନେ ଟିକା ନେବା ଉଚିତ ଯେଉଁମାନଙ୍କର ନିହାତି ଆବଶ୍ୟକତା ରହିଛି । ଚଳିତ ମାସ ୧୧ ତାରିଖରୁ ସରକାରୀ ସଂସ୍ଥା ତଥା ଘରୋଇ କମ୍ପାନୀଗୁଡିକରେ କା ଯ୍ୟରତ କର୍ମଚାରୀଙ୍କ ଟୀକାକରଣ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିସାରେଲଣି । ଏବେ ସମସ୍ତ କର୍ମଚାରୀ ସେମାନଙ୍କ ଦପ୍ତରରେ ଟିକା ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ଅଭିଯାନକୁ ତ୍ୱରିତ ବେଗରେ ବ୍ୟାପକ କରିବା ଦିଗରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଚାରବିମର୍ଷ କରିଛନ୍ତି । ଏପରି ମହାଭିଯାନରେ ସମସ୍ତଙ୍କ ସକ୍ରିୟ ସହଯୋଗ ଯେ ନିହାତି ଜରୁରୀ ଏଥିରେ ଅତିଶୟୋକ୍ତି ନାହିଁ । ତେବେ ଅଦୃଶ୍ୟ ଦାନବ କରୋନାକୁ ହରାଇବାକୁ କ୍ଷମତାସୀନ ରାଜନୈତିକ ଦଳଙ୍କ ପକ୍ଷେ କାଠିକର ହୋଇପାରେ । ଖୁବ୍ ଭଲ ହୁଅନ୍ତା ଯଦି ଦଳଗତ ସ୍ୱାର୍ଥର ଉଦ୍ଧ୍ୱର୍କୁ ସବୁ ରାଜନୈତିକ କାନ୍ଧକୁ କାନ୍ଧ ମିଶାଇ ଉପାୟ ତଳାସନ୍ତେ ଏହି କରୋନା ମହାମାରୀରୁ ବର୍ତିବା ପାଇଁ ।