ଫୁଲବାଣୀ,୦୮/୧୦, କନ୍ଧମାଳ ଜିଲ୍ଲା ରାଇକିଆରେ ତୁରନ୍ତ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ରାଇକିଆ ନାଗରିକ ମଂଚ ପକ୍ଷରୁ ଦାବୀ କରାଯିବା ସହିତ ବିଗତ ଦିନରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ କୋର୍ଟ ସ୍ଥାପନ ବିଳମ୍ବ ହେଉଥିବାରୁ ଏହାକୁ ନେଇ ଦିନକୁ ଦିନ ସେହି ଅଂଚଳରେ ବଢୁଛି ଜନ ଅସନ୍ତୋଷ । ଏପରିକି ଆଗାମୀ ଦିନରେ ବିଭିନ୍ନ ସଂଗଠନ ମାନେ ଏହି ଦାବୀରେ ଆନେ୍ଦାଳନ ପାଇଁ ନିଷ୍ପତି ନେଇଥିବାର ଜଣାଯାଇଛି । ରାଇକିଆରେ ଏହି କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଗତ ୨୦୧୭ ରେ ବିଜ୍ଞପ୍ତି ଜାରୀ କରିଛନ୍ତି ।
ଈତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିବା ଯୋଗୁଁ ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ମଧ୍ୟ ବଢିବାରେ ଲାଗିଛି । ବୁଧବାର ରାଇକିଆ ନାଗରିକ ମକ୍ଟକ୍ସର କର୍ମକର୍ତ୍ତା ଏବଂ ବଣିକ ସଂଘର ସଭାପତି ସତ୍ୟବାନ ପାତ୍ର , ସାଂସତ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ ଓ ଅନ୍ୟମାନେ ବି.ଡ଼ି.ଓ ଏବଂ ତହସିଲ୍ଦାରଙ୍କ ସାକ୍ଷାତ କରି ଆଲେଚାନା ମଧ୍ୟ କରିଛନ୍ତି । ଉଭୟ ପ୍ରଶାସନିକ ଅଧିକାରୀ କୋର୍ଟ ସ୍ଥାପନ ପାଇଁ ଅସ୍ଥାୟୀ ଗୃହ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶୃତି ଦେଇଥିବାର ଜଣାଯାଇଛି । ଖୁବ୍ ଶିଘ୍ରଏନେଇ ଜିଲାପାଳଙ୍କ ସହିତ ମଧ୍ୟ ଆଲେଚାନା କରାଯିବ ବୋଲି ମଧ୍ୟ କର୍ମକର୍ତ୍ତା ମାନେ ନିଷ୍ପତି ନେଇଛନ୍ତି ।
ଜିଲ୍ଲାରେ ୩ଟି ନୁତନ କୋର୍ଟ ସ୍ଥାପନ ପାଇଁ ଚଳିଳ ବର୍ଷ ଅଗଷ୍ଟ ମାସ ୭ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ଭିତିଭୁମି ପାଇଁ ଚିଠି ପ୍ରକାଶ ପାଇଥିଲା । ଏହି ତାଲିକାରେ ରାଇକିଆର ନାମ ରହିଥିବାରୁ ଏହାକୁ ଖୁବ ଶିଘ୍ର କାର୍ଯ୍ୟକାରୀ କରିବାକୁ ରାଇକିଆ ନାଗରିକ ମଂଚ ଦାବୀ କରିଛି । ଦୀର୍ଘ ବର୍ଷହେଲା ରାଇକିଆରେ କୋର୍ଟ ସ୍ଥାପନ ପାଇଁ ଦାବୀ ହୋଇଆସୁଥିଲେ ମଧ୍ୟ ଏହା ବିଭିନ୍ନ କାରଣରୁ ହୋଇପାରୁନଥିଲା । ବିଶେଷ କରି ସମସ୍ତ ଭିତିଭୁମିର ସୁବିଧା ଥିବା ସତ୍ୱେ କୋର୍ଟ ସ୍ଥାପନା ହେଉନଥିବାରୁ ସେଠାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗତ ଦିନରେ ମଧ୍ୟ ଏକାଧିକ ଥର ରାଇକିଆ ନାଗରିକ ମଂଚ ତରଫରୁ ଏକ ଦାବୀପତ୍ର ତହସିଲଦାରଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି ।
ଚଳିତ ବର୍ଷ ଜାନୁୟାରୀ ମାସରେ ମଂଚ ତରଫରୁ ହାଇକୋର୍ଟ ବିଚାରପତିଙ୍କୁ ମଧ୍ୟ ସାକ୍ଷାତ କରି ରାଇକିଆଠାରେ କୋର୍ଟ ସ୍ଥାପନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଏଠାରେ ସୁଚନା ଯୋଗ୍ୟ ରାଇକିଆ ବ୍ଳକର ୬୦ ହଜାରରୁ ଉଦ୍ଧ୍ୱର୍ ଲୋକ ଘୁ.ଉଦୟଗିରି କୋର୍ଟ ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ମାଲିମକଦ୍ଧମାରେ ସେମାନଙ୍କୁ ଘୁ.ଉଦୟଗିରକୁ ଦୌଡିବାକୁ ପଡୁଛି । ରାଇକିଆ ଥାନା ଅଧିନରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୦୦ ମାମଲା ଜି.ଉଦୟଗିରି କୋର୍ଟରେ ବିଚାରଧିନ ରହିଥିବା ମଧ୍ୟ ମଂଚ ପକ୍ଷରୁ କୁହାଯାଇଛି ।