Odisha news

ଦୁର୍ନୀତି ନିରାକରଣ ପାଇଁ ଦିନଟିଏ : ଡିସେମ୍ବର ୯ ତାରିଖ ବିଶ୍ୱ ଦୁର୍ନୀତି ନିରାକରଣ ଦିବସ ଉପଲକ୍ଷେ…….

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଆଜି ଡିସେମ୍ବର ୯ ତାରିଖ । ବିଶ୍ୱ ଦୁର୍ନୀତି ନିରାକରଣ ଦିବସ । ସାରା ବିଶ୍ୱରୁ ଦୁର୍ନୀତି ହଟାଇବା ପାଇଁ ଚିନ୍ତା କରିବାର ଦିନଟିଏ । ସମ୍ପ୍ରତି ଦୁର୍ନୀତି ସମଗ୍ର ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ସମସ୍ୟା ରୂପେ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ମିଳିତ ଜାତି ସଂଘର ସାଧାରଣ ପରିଷଦ ୨୦୦୩ ମସିହା ଅକ୍ଟୋବର ୩୧ତାରିଖରେ ଏକ ପ୍ରସ୍ତାବ ଗ୍ରହଣ କରିଥିଲା । ତଦନୁଯାୟୀ ୨୦୦୫ ମସିହାରୁ ଡିସେମ୍ବର ୯ ତାରିଖକୁ ବିଶ୍ୱ ଦୁର୍ନୀତି ନିରାକରଣ ଦିବସ ରୂପେ ପାଳନ କରାଯାଉଛି ।

ଏହାର ଉଦେ୍ଦଶ୍ୟ ହେଲା ଯେ, ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏହାର ସାମାଜିକ, ରାଜନୈତିକ ଓ ସର୍ବୋପରି ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ଅବଗତ କରାଇବା । ଏଠାରେ ସୂଚନାଯୋଗ୍ୟ ଯେ, କୈାଣସି ଦେଶ ଯେତେ ଉନ୍ନତ ହେଉନା କାହିଁକି ଦୁର୍ନୀତି ନହଟିଲେ ଏହା ସମାଜରେ ଅର୍ଥନୈତିକ ବୈଷମ୍ୟ ସୃଷ୍ଟି କରିଥାଏ ଏବଂ ଏହାର ପ୍ରଭାବ ଅର୍ଥନୀତି ଉପରେ ଯଥେଷ୍ଟ ପରିଲକ୍ଷିତ ହୋଇଥାଏ । ସେହିପରି ଅନୁନତ ଓ ବିକାଶମୁଖୀ ଦେଶମାନଙ୍କ କଥା ନ କହିଲେ ଭଲ । କାରଣ ଏହି ଅର୍ଥନୈତିକ ବୈଷମ୍ୟ ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଦୁର୍ନୀତି ରାକ୍ଷସର କୁପ୍ରଭାବ ଅନେକ । ବିଶ୍ୱର ଦୁର୍ନୀତି ସୂଚକାଙ୍କ ଉପରେ ଆଖି ପକାଇଲେ ଜଣାପଡେ ଯେ, ବିଶ୍ୱର ସର୍ବାଧିକ ଦୁର୍ନୀତିଯୁକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ କଲମ୍ବିଆ, ମେକ୍ସିକୋ, ଘାନା, ମିଅାଁମାର ଓ ସାଉଦିଆରବ ରହିଛି । ସେହିପରି ଶ୍ରେଷ୍ଠ ପାଞ୍ଚଟି କମ୍ ଦୁର୍ନୀତି ହେଉଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ସୁଇଜରଲ୍ୟାଣ୍ଡ, ଜାପାନ, କାନାଡା, ଜର୍ମାନୀ ଓ ଗ୍ରେଟ ବ୍ରିଟେନ ରହିଛି । ଦୁର୍ନୀତି ନିରାକରଣରେ ଶିକ୍ଷାର ଏକ ବଡ ଯୋଗଦାନ ରହିଛି । ଏହି ଦୃଷ୍ଟିରୁ ଦେଖିଲେ ଏବେବି ବିଶ୍ୱରେ ସାକ୍ଷରତା ହାର ଅଧିକ ଥିବା ଦେଶମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟବ୍ରିଟେନ, ସୋଭିଏତ୍ ଋଷ, ସୁଇଡେନ, କାନାଡା ପ୍ରଭୃତି ଦେଶରେ ସାକ୍ଷରତା ହାର ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ, ୯୯.୬ ପ୍ରତିଶତ, ୯୯ ପ୍ରତିଶତ ରହିଛି ।

ଏପରିକି କାନାଡା, ନିଉଜିଲ୍ୟାଣ୍ଡ ଓ ବର୍ମା ପ୍ରଭୃତି ଦେଶରେ ସାକ୍ଷରତା ହାର ହେଉଛି ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ ଓ ୮୯ ପ୍ରତିଶତ । ଖାଲି ସେତିକି ନୁହେଁ ବିଶ୍ୱରେ ନିରକ୍ଷରଙ୍କ ସଂଖ୍ୟା ପ୍ରାୟ ୭୫ କୋଟିରୁ ଉଦ୍ଧ୍ୱର୍ । ପ୍ରତି ପାଞ୍ଚଜଣ ପ୍ରାପ୍ତ ବୟସ୍କ ଲୋକଙ୍କ ମଧ୍ୟରେ ଜଣେ ନିରକ୍ଷର । ଅନୁ୍ୟନ ୭କୋଟି ଶିଶୁ ନିମ୍ନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ । କେତେ ଶିଶୁ ପ୍ରାଥମିକ ସ୍ତରରୁ ହିଁ ଶିକ୍ଷା ଛାଡୁଛନ୍ତି ତାହାର କୌଣସି ହିସାବ ନାହିଁ । ପରିସଂଖ୍ୟାନ ତଥ୍ୟରୁ ଜଣାପଡେ ଦକ୍ଷିଣ ଓ ପଶ୍ଚିମ ଏସିଆରେ ପ୍ରାପ୍ତ ବୟସ୍କ ନିରକ୍ଷରଙ୍କ ସଂଖ୍ୟା ସର୍ବାଧିକ । ଏହା ପଛକୁ ଅଛନ୍ତି ଆରବ ଓ ଆଫ୍ରିକାନ୍ ରାଷ୍ଟ୍ରସମୂହ ।

ବର୍କିନା ଫାସୋ, ନିଗର ଓ ମାଲିରେ ସାକ୍ଷରତା ହାର ବିଶ୍ୱରେ ସବୁଠାରୁ କମ୍ ଯଥାକ୍ରମେ ୧୨.୮ ପ୍ରତିଶତ, ୧୪.୪ ପ୍ରତିଶତ ଓ ୧୯ ପ୍ରତିଶତ । ସେ ଦୃଷ୍ଟିରୁ ଦେଖିଲେ କମ୍ ସାକ୍ଷରତା ଥିବା ଦେଶରେ ସଚେତନତା ଅଭାବରୁ ଦୁର୍ନୀତିର ମାତ୍ରା ଅଧିକ । ଏହି ପରିପ୍ରେକ୍ଷୀରେ ଆମ ଦେଶକଥା ବିଚାରକୁ ନେଲେ ୨୦୧୧ ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ୭୪.୦୪ ପ୍ରତିଶତ । ଏଥିରୁ ଅନୁମେୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତର ନିରକ୍ଷରତା ସମସ୍ୟା ଉକ୍ରଟତର ।

ଏକ ସର୍ବେକ୍ଷଣରୁ ଜଣାପଡିଛି ଭାରତରେ ଦୁର୍ନୀତିର ମାନ ଦିନକୁ ଦିନ ବଢିବାରେ ଲାଗିଛି । ୧୮୦ଟି ଦେଶରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଦେଶରେ ଜଣାପଡିଛି ଯେ, ପ୍ରାୟ ୫୦ପ୍ରତିଶତ ଭାରତୀୟ ପ୍ରାୟ ପ୍ରଥମ ଥର ଲାଞ୍ଚଦେଇଥାନ୍ତି । ଏବଂ ଦୁର୍ନୀତି ସୂଚକାଙ୍କ ଅନୁସାରେ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୮୦ । ଏଥିରୁ ସ୍ପଷ୍ଟ ଅନୁମେୟ ଭାରତରେ ଦୁର୍ନୀତି ତାର କାୟା ବିସ୍ତାର କରି ଚାଲଛି । ଆମ ଦେଶର ରାଜ୍ୟମାନଙ୍କ ମଧ୍ୟରୁ ରାଜସ୍ଥାନ ଓ ବିହାରରେ ଦୁର୍ନୀତି ସୂଚକାଙ୍କ ଅଧିକଥିବା ବେଳେ ଦିଲ୍ଲୀ ଓ ଓଡିଶାରେ ଏହା କମ୍ ରହିଛି । ଏସବୁ ସତ୍ତ୍ୱେ ଆମ ଦେଶରେ ସ୍ୱାଧୀନତାର ପରବର୍ତ୍ତୀ କଥା ଚିନ୍ତା କଲେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ଏକ ଲମ୍ବା ତାଲିକା । ୧୯୪୮ମସିହା ଜିପ୍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ୧୯୯୬ ରେ ହ୍ୱାଓଲା ଓ ଗେଖାଦ୍ୟ ,୨୦୦୮ରେ ସେୟାର ବଜାର ,୨୦୧୦ରେ କମନେଓଲ୍ଥ ଗେମ୍ ,୨୦୧୧ ମସିହା ଆଦର୍ଶ ହାଉସିଂ ଓ ୨୦୧୨ ରେ ଟେଲିକମ ଦୁର୍ନୀତି ଏହାର ଗୋଟିଏ ଗୋଟିଏ ଉଦାହରଣ ।

ଏବେ ପୁଣି ଚର୍ଚ୍ଚାକୁ ଆସିଛି ହତ୍ୟାକାରି ବ୍ୟାପମ୍ ଦୁର୍ନୀତି । ସ୍ୱିସ୍ ବ୍ୟାଙ୍କରେ ଥିବା କଳାଧନର ପରିମାଣ ୭ହଜାରକୋଟି ଟଙ୍କାକୁ ଟପିସାରିଲାଣି । ଏହି ଦୁର୍ନୀତି ହିଁ ଆମ ପ୍ରଗତିର ପ୍ରଧାନ ପ୍ରତିବନ୍ଧକ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ । ସମ୍ପ୍ରତି ପ୍ରାୟ ୧୩୪ କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି । ୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ । ୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତୁ୍ୟବରଣ କରିଥାନ୍ତି । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି ।

ଏବେ ଚିନ୍ତା କରିବାର ସମୟ ଆସିଛି । ତୃଣମୂଳସ୍ତରରୁ ଏଥିପାଇଁ ବ୍ୟାପକ ସଚେତନତା ଲୋଡା । ଏଥିପାଇଁ କେବଳ ଡିଗ୍ରୀ ବା ପ୍ରମାଣପତ୍ର ଶିକ୍ଷା ନୁହେଁ ନୈତିକ ଓ ମୁଲ୍ୟବୋଧ ଯୁକ୍ତ ଶିକ୍ଷାର ଆବଶ୍ୟକତା ରହିଛି । ଏହି କଥା ପ୍ରଥମେ ନିଜ ଘରୁ ଆରମ୍ଭ କରିବାକୁ ହେବ ସେହିପରି ପ୍ରଶାସନିକ ସ୍ତରରେ ମଧ୍ୟ ସବୁଠି ସ୍ୱଚ୍ଛତା ଅବଲମ୍ବନକରିବା ବିଧେୟ । କାରଣ ‘ମହାଜନ ଜେନ ଗତସ୍ୟ ପନ୍ଥା’ ନ୍ୟାୟରେ ବଡମାନେ ଯାହା କରିବେ ସାନମାନେ ତାହା ଅନୁକରଣ କରିବେ ।

ଏଇଠି ମନେ ପଡେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ପାଠପଢା ବେଳର କଥା ଗୁରୁଜୀ ତାଙ୍କୁ ପାଖ ପିଲାଠାରୁ ଦେଖି ସଠିକ୍ ଶବ୍ଦଟି ଲେଖିବା ପାଇଁ ପ୍ରବର୍ତ୍ତାଇଥିଲେ । ମାତ୍ର ସେ ଗୁରୁଙ୍କ କଥାକୁ ଟାଳି ଦେଇଥିଲେ । ପରେ ଗୁରୁଜୀ ଲତାଙ୍କୁ ପଚାରିବାରୁ ସେ ଉତ୍ତରରେ ଯାହା କହିଥିଲେ ତାହା ହେଉଛି ଯେ, ‘ବିନୟେ କହିଲା ପିଲାଟି କପି କରିବା ପରା. ଅନ୍ୟାୟ ଭିତରେ ଗୁରୁଜୀ ବଡ ଅନ୍ୟାୟ ପରା- କରିଥାନ୍ତି ଅବା କିଭଳି ଏଡେ ଅନୀତି କାମ, ଅସତ ପଥରେ ଚଳିକି କିଏ ଅରଜେ ନାମ ।

ଅରଜିଲା ନାମ ଦିନେ ସେ ଢାଳି ଆଲୋକ ଧାରା- ବାପୁଜୀ ନାମରେ ମୋହିଲା ସେତ ଜଗତ ସାରା’ । ସେଥିପାଇଁ ତ ସେ ମହାତ୍ମା । ଏହି ଆଦର୍ଶ ବୋଧର ମୂଲ୍ୟବୋଧ ଉପରେ ଆମେ ଠିଆ ହେଲେ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ । ମୁ ନିଜେ ଦୁର୍ନୀତି କରିବି ନାହିଁ କି ଦୁର୍ନୀତିକି ପ୍ରଶୟ ଦେବିନାହିଁ । ଏହି ଭାବ ମନରେ ଉଦ୍ରେକ ହେଲେ ଆପେ ଆପେ ଦୁର୍ନୀତିର ନିରାକରଣ ହୋଇପାରିବ । ଏହାହିଁ ଆଜିର ଅନୁଚିନ୍ତା । ସଭାପତି

Leave A Reply