ୱେଲିଙ୍ଗଟନ(ନ୍ୟୁଜିଲ୍ୟାଣ୍ଡ): ଅନେକ ଦିନ ଧରି କରୋନା ସହ ଲଢ଼ିବା ପରେ ଶେଷରେ କରୋନା ମୁକ୍ତ ହୋଇଛି ନ୍ୟୁଜିଲ୍ୟାଣ୍ଡ | ଦେଶର ଅନ୍ତିମ ରୋଗୀଙ୍କ ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିବା ପରେ ନ୍ୟୁଜିଲ୍ୟାଣ୍ଡ କରୋନା ମୁକ୍ତ ହୋଇଛି | ଏ ନେଇ ସୂଚନା ଦେଇଛନ୍ତି ନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟ ଅଧିକାରୀ | ତେବେ ଦେଶରେ ଏବେ କୌଣସି ସକ୍ରିୟ ମାମଲା ନଥିବା ବେଳେ ଆଗକୁ ସାମାଜିକ ଦୂରତା ନିୟମ ହଟାଇଦିଆଯିବ ବୋଲି ଜଣା ପଡିଛି |
ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡନ ସୋମବାର କହିଛନ୍ତି ଯେ, ଭାଇରସକୁ ରୋକିବା ପାଇଁ କଡା ସୀମା ନିୟନ୍ତ୍ରଣ ବ୍ୟତୀତ ଲୋକ ଏବଂ ବ୍ୟବସାୟ ଉପରେ ଥିବା ସମସ୍ତ ପ୍ରତିବନ୍ଧକ ଆଜି ମଧ୍ୟରାତ୍ରିରେ ହଟାଯିବ ଏବଂ ସାଧାରଣ ଜୀବନ ଆରମ୍ଭ ହେବ। ଏହା ସହ ସାମାଜିକ ଦୂରତା ନିୟମ ମଧ୍ୟ ହଟାଇ ଦିଆଯିବ |
ଅନ୍ୟ ପକ୍ଷରେ ଦେଶ କରୋନା ମୁକ୍ତ ହେବାର ଖୁସିକୁ ଜାହିର କରିବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଆଶଲେ ବ୍ଲୁମଫିଲ୍ଡ କହିଛନ୍ତି ଯେ, ଆଜି ନ୍ୟୁଜିଲ୍ୟାଣ୍ଡ କରୋନା ମୁକ୍ତ ହୋଇଛି | ଫେବୃଆରୀ ୨୮ ଠାରୁ ଦେଶରେ ଲୋକ କରୋନା ମହାମାରୀ ସହ ଲଢ଼ି ଆସୁଥିବା ବେଳେ ଆଜି କରୋନା ଭୂତାଣୁକୁ ଆମେ ସଫଳତାର ସହ ହରାଇଛୁ | ତେବେ ଦେଶ କରୋନା ମୁକ୍ତ ହୋଇଥିଲେ ମଧ୍ୟ ପୁଣି ଥରେ ଯେମିତି ସଂକ୍ରମଣ ନହେଉ ସେ ନେଇ ଆମେ ଲୋକଙ୍କୁ ସତର୍କ ରହି କାମ କରିବାକୁ କହିଛୁ |