Odisha news

କରୋନା ପରବର୍ତ୍ତୀ ମାନସିକ ଦୁଶ୍ଚିନ୍ତା , ୭୪% ଭାରତୀୟ ମାନସିକ ଚାପର ଶିକାର

0

ଡାକ୍ତର ସମ୍ରାଟ କର (ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍) : କ୍ଲିନିକ୍ରୁ ଫେରି ମଧ୍ୟାହ୍ନ ଭୋଜନ କରିବାକୁ ଯାଉଛି ବନ୍ଧୁ ନିର୍ମଳ ଫୋନ କଲେ । ପ୍ରଥମେ ତାକୁ କହିଲି ମୁଁ ତୋତେ ପରବର୍ତ୍ତୀ ସମୟରେ ଫୋନ କରୁଛି । ସେ କିଛି ସମୟ ପରେ ଫୋନ କଲା । ତାର ବଡ଼ପ୍ରଶ୍ନଟି ହେଉଛି ଯେ “କରୋନା ମହାମାରୀ ସହଯେ ତ ଅନେକଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି । କେବଳ ବଡ଼ଲୋକ ନୁହଁନ୍ତି ମହିଳାଙ୍କ ଠାରୁ ଛୋଟପିଲା ସମସ୍ତେ ଏହାର ଶିକାର ପାଲଟିଛନ୍ତି । ମୁଁ ତୁମଠାରୁ କିଛି ଆଶ୍ୱସ୍ତିର ପରାମର୍ଶ ଟିକେ ଚାହୁଁଛି ।’ ମୁଁ ତାକୁ କହିଲି ଯେ ଦେଶରେ ମହାମାରୀ କୋଭିଡ଼-୧୯ ନିଜର କାୟା ବିସ୍ତାର କଲା ପରଠାରୁ ଲୋକଙ୍କ ମଧ୍ୟରେ ମାନସିକ ଚାପ ଓ ଦୁଶ୍ଚିନ୍ତା ଭୀଷଣ ଭାବରେ ବଢ଼ିଥିବା ଏକ ଅଧ୍ୟୟନରୁ ଜଣାଯାଇଛି ।

ନୂଆଦିଲ୍ଲୀସ୍ଥିତ ଉପଶମ କେନ୍ଦ୍ର ଦି ସେଣ୍ଟର ଅଫ୍ ହିଲିଂ ନାମକ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟସେବା ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣରେ ୧୦,୦୦୦ରୁ ଅଧିକ ଦେଶବାସୀ କିପରି କୋଭିଡ ପରିପ୍ରେକ୍ଷୀରେ ସ୍ୱାଭାବିକତା ସହ ତାଳମେଳ ରଖି ପାରିଛନ୍ତି, ସେ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । ସେଥିରୁ ୭୪ ପ୍ରତିଶତ ଲୋକ ମାନସିକ ଚାପର ଶିକାର ହୋଇଥିବା ବେଳେ ୮୮ ପ୍ରତିଶତ ଦୁଶ୍ଚିନ୍ତା ଭୋଗୁଥିବା ସ୍ପଷ୍ଟ ହୋଇଛି । ସେହିପରି ଚିକିତ୍ସକମାନଙ୍କ ପାଖକୁ ୬୮.୬ ପ୍ରତିଶତ ଅଧିକ ପୀଡ଼ିତ ଉପଶମ ପାଇଁ ଆସିଥିବା ଜଣାଯାଇଛି । ଏପରି ମାନସିକ ଚାପ ଓ ଦୁଶ୍ଚିନ୍ତାର ଶିକାର ହୋଇ ପ୍ରଥମ କରି ୫୫ ପ୍ରତିଶତ ଅଧିକ ପୀଡ଼ିତ ଚିକିତ୍ସକଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ସଂସ୍ଥାର ପ୍ରତିଷ୍ଠାତା ଗୁରପ୍ରୀତ ସିଂହ କହିଛନ୍ତି । ସେହିପରି ୫୭ ପ୍ରତିଶତ ଲୋକଙ୍କ ଠାରେ ସାମାନ୍ୟ ମାନସିକ ଚାପ ଦେଖା ଦେଇଥିବାବେଳେ ୧୧ ପ୍ରତିଶତ ମଧ୍ୟମ ଧରଣର ଚାପରେ ସନ୍ତୁଳିତ ହୋଇଛନ୍ତି । ଅପରପକ୍ଷେ, ଏପରି ମାନସିକ ଚାପ ଓ ଦୁଶ୍ଚିନ୍ତାର ଶିକାର ହୋଇଥିବା ଲୋକଙ୍କ ଭିତରୁ ୪ ପ୍ରତିଶତଙ୍କର ଅତିଶୟ ମାନସିକ ଚାପ ଦେଖାଦେଇଥିବା ବେଳେ ଦୁଇ ପ୍ରତିଶତ ଭୀଷଣ ଦୁଶ୍ଚିନ୍ତାରେ ଛଟପଟ ହୋଇଥିବା କୁହାଯାଇଛି ।

ତେବେ ଦେଶରେ କୋଭିଡ଼ ଉପଦ୍ରବର ପ୍ରାରମ୍ଭିକ ସ୍ଥିତି ଅପେକ୍ଷା ପରବର୍ତ୍ତୀ ପର୍ଯ୍ୟାୟରେ ଲୋକଙ୍କର ଏପରି ଲକ୍ଷଣ ପ୍ରାଞ୍ଜଳ ଭାବେ ବାରି ହୋଇ ପଡ଼ିଥିଲା । ମୁଖ୍ୟତଃ କୋଭିଡ଼ର ମୁକାବିଲା ପାଇଁ ଦେଶରେ ଧାରାବାହିକ ଭାବେ ଲାଗୁ କରାଯାଇଥିବା ବିଭିନ୍ନ ପର୍ଯ୍ୟାୟ ଲକ୍ଡାଉନ କଟକଣା, ଉକ୍ରଣ୍ଠା, ରୋଜଗାର ହରାଇବା, ସ୍ୱାସ୍ଥ୍ୟ ଚିନ୍ତା ଏବଂ ସର୍ବୋପରି ଏପରି ପରିବର୍ତ୍ତନଶୀଳ ପରିବେଶ ହିଁ ଏଭଳି ସ୍ଥିତି ଆଣିଥିଲା ବୋଲି ଜଣାଯାଇଛି ।
ଲୋକମାନେ କରୋନା ଓ କରୋନାର ପରବର୍ତ୍ତୀ ସମୟକୁ ଚିନ୍ତା କରି ଅନେକ ଲୋକ ଅବସାଦ, ମାନସିକ ଛାନିଆ ରୋଗ, ଏନ୍ଞ୍ଜାଇଟି, ଅନିଦ୍ରା ଓ ମାନସିକ ଚାପକୁ ସାମ୍ନା କରୁଛନ୍ତି । ସହଯେ ତେଲଲୁଣ ସଂସାର ଭିତରେ ଆର୍ଥିକ ବୋଝ ସ୍ୱାଭାବିକ ଭାବେ ମନାନ୍ତରର କାରଣ ପାଲଟୁଛି ।

ଅନେକଙ୍କ କର୍ମସଂସ୍ଥାନ ବା ଦାନାପାଣି ସହଯେ ଉଜୁଡ଼ି ଗଲାଣି । ବର୍ତ୍ତମାନର ସମୟରେ କିଣା ଯୁଗରେ ମାନସିକତା କ୍ଷେତ୍ର ଲୋକମାନଙ୍କୁ ଆକ୍ତମାକ୍ତ କରିଦେଉଛି । କରୋନା ଅନେକଙ୍କ ଭିତରେ ବିଚଳିତ, ଛାନିଆ ଓ ବ୍ୟସ୍ତତା ବଢ଼ାଇଦେଉଛି । ବିନା କାରଣରେ ଅନେକ ନିଜ ଜୀବନକୁ ପିତା ଭାବି ଭାରି ଚିଡ଼ଚିଡ଼ ହେଉଛନ୍ତି । ଛୋଟିଆ ଘଟଣାଟି ମୁଣ୍ଡ ବିନ୍ଧାର କାରଣ ପାଲଟି କେତେକ କ୍ଷେତ୍ରରେ ଘରସଂସାର ଉଚ୍ଛନ୍ନ ହୋଇଯାଉଛି । ନିଦ ଓ ଭୋକରେ ବ୍ୟତିକ୍ରମ ଦେଖାଯାଉଛି । କେତେକ କ୍ଷେତ୍ରରେ ବ୍ୟକ୍ତି ଜଣଙ୍କ ଶରୀରରେ ଝିମ୍ଝିମ୍ ହେବାର ଅନୁଭବ କରୁଛି ଓ ଛାତିରେ ଯନ୍ତ୍ରଣା ମଧ୍ୟ ପାଉଛି । କରୋନାର ପ୍ରାଥମିକ ସମୟରୁ ଅନେକ ଲୋକ ଦିନ ଦିନ ଧରି ଘରେ ରହିବା ଦ୍ୱାରା ସହଯେ ଚିଡ଼ା ହୋଇଗଲେଣି । ପିଲାମାନଙ୍କ ପାଠପଢ଼ା ବନ୍ଦ ଥିବାରୁ ମୋବାଇଲରେ ଅନ୍ଲାଇନ ପାଠ ସେମାନଙ୍କ ପାଇଁ ବ୍ୟସ୍ତତା ଭରି ଦେଉଛି ।

ବାସ୍ତବ କଥା ହେଉଛି ସୁଖ ଓ ଦୁଃଖ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ପରି । ବର୍ତ୍ତମାନ ଦୁଃଖ ଅଛିମାନେ ପରେ ସୁଖ ହିଁ ପାଇବେ । କିନ୍ତୁ ଏହି ବିଶ୍ୱାସ ସମସ୍ତଙ୍କ ଭିତରେ ବଜାୟ ରହିପାରୁନି । ସବୁ ପଛକଥାକୁ ପାଶୋରି ନିଜ ନୂଆ ଜୀବନ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ । ନିଜେ ନିଜ ପାଇଁ ଖାଇବା ଠାରୁ ଶୋଇବା ଭଲ ରୁଟିନ୍ଟିଏ ତିଆରି କରନ୍ତୁ । ମାନସିକ ଚାପ ପାଇଁ ଯୋଗ ପ୍ରାଣାୟମ ଓ ପ୍ରାତଃ ଭ୍ରମଣ ସବୁଠାରୁ ଭଲ । ଶୀତ କୁହୁଡ଼ି ଥିଲେ ବାହାରକୁ ଯାଆନ୍ତୁ ନାହିଁ । ନିଜେ ରହୁଥିବା ପରିବେଶକୁ ସଫାସୁତୁରା ରଖନ୍ତୁ, ଭଗବତ ବିଶ୍ୱାସୀ ହୁଅନ୍ତୁ ଆଉ ଭଲମନ୍ଦ ସବୁ ନିଜ ଆତ୍ମୀୟସ୍ୱଜନଙ୍କ ଦ୍ୱାରା ବାଣ୍ଟନ୍ତୁ । ଏହାର ଚିକିତ୍ସା କେବଳ ଡାକ୍ତରୀ ଚିକିତ୍ସା ନୁହେଁ ଏହାପାଇଁ ଦୃଢ଼ମନୋବଳ ଓ ପ୍ରେରଣା ମଧ୍ୟ ଜରୁରୀ । ଆପଣଙ୍କ ଏପରି ପ୍ରସ୍ତୁତି ଦେଖିଲେ କରୋନା ବାସ୍ତବରେ ନିଜେ ମାନସିକ ଚାପଗ୍ରସ୍ତ ରୋଗୀଟି ହୋଇ ଆପଣଙ୍କ ଠାରୁ ଦୂରେଇ ଯିବ ।

Leave A Reply