ପୁରୀଠାରେ ନୂତନ ମେଡିକାଲ କଲେଜ ନିର୍ମାଣ ନିଷ୍ପତି ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପୁରୀ ବିଧାୟକ
ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ ଏବଂ ପୁରୀରେ ମେଡିକାଲ କଲେଜ ନିର୍ମାଣ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ୯୪୫ କୋଟି ରୁ ୫୬୭ କୋଟି ଟଙ୍କା କେନ୍ଦ୍ରସରକାର ରାଜ୍ୟକୁ ଦେଇସାରିଛନ୍ତି
ପୁରୀ ମେଡିକାଲ କଲେଜ ନିର୍ମାଣ ପାଇଁ ୨୨୪ କୋଟି ନୁହେଁ ୧୮୯ କୋଟିର ବ୍ୟବସ୍ଥା ରହିଛି
କେନ୍ଦ୍ର ସରକାରଙ୍କ ଅର୍ଥରେ ରାଜ୍ୟ ସରକାର ବାହ ବାହା ନେବା ଅତ୍ୟନ୍ତ ନିନ୍ଦନୀୟ
ରାଜ୍ୟସରକାର ପୁରୀ ମେଡିକାଲ କଲେଜର ନିର୍ମାଣ କାମ ୨୦୨୨ ସୁଦ୍ଧା ଶେଷ କରି ପୁରୀବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାର କାର୍ଯ୍ୟ କରନ୍ତୁ
ଭୁବନେଶ୍ୱର,ତା.୧୫/୧୨: ଗତ ୬ ବର୍ଷରେ ମୋଦି ସରକାର ଓଡିଶାକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ରାଜ୍ୟରେ ମୋଦି ସରକାର ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଓଡିଶାକୁ ବିକାଶ ଦିଗରେ ଆଗେଇ ନେଉଛନ୍ତି । ଗତକାଲି ରାଜ୍ୟ କ୍ୟାବିନେଟରେ ପୁରୀଠାରେ ୬୫୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ହେବା ଏବଂ ଏହି ମେଡିକାଲ କଲେଜ ନିର୍ମାଣ ପାଇଁ ୨୨୪ କୋଟି ୫୫ଲକ୍ଷ ୬୯ହଜାର ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏହି ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ।
ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ ଏବଂ ପୁରୀରେ ମେଡିକାଲ କଲେଜ ନିର୍ମାଣ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ୯୪୫ କୋଟି ରୁ ୫୬୭ କୋଟି ଟଙ୍କା କେନ୍ଦ୍ରସରକାର ରାଜ୍ୟକୁ ଦେଇସାରିଛନ୍ତି ।
ପୁରୀରେ ଯେଉଁ ମେଡିକାଲ କଲେଜ ନିର୍ମାଣ ହେବ ତାହାର ମୂଲ୍ୟ ହେଉଛି ୧୮୯ କୋଟି ଟଙ୍କା । ସମୁଦାୟ ଖର୍ଚ୍ଚରୁ ୧୧୩ କୋଟି ଟଙ୍କା କେନ୍ଦ୍ର ସରକାର ପଠାଇ ସାରିଛନ୍ତି । ୨୦୨୨ ସୁଦ୍ଧା ପୁରୀ ମେଡିକାଲ କଲେଜର କାମ ଶେଷ କରି ଚାଲୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶ ରହିଛି । କିନ୍ତୁ ରାଜ୍ୟସରକାର ପୁରୀ ମେଡିକାଲ କଲେଜ ପାଇଁ ସମୁଦାୟ ଖର୍ଚ୍ଚ ୨୨୪ କୋଟି ଟଙ୍କା ଏବଂ ଏହା ଶେଷ କରିବା ପାଇଁ ୩ ବର୍ଷ ଲାଗିବ କହି ପୁରୀବାସୀଙ୍କୁ ଭ୍ରମିତ କରୁଛନ୍ତି । ପୁରୀର ପୂର୍ବତନ ବିଧାୟକ ଗତକାଲି ଶ୍ରୀମନ୍ଦିର ଆଗରେ ଦୀପ ଜାଳି ମେଡିକାଲ କଲେଜ ପାଇଁ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ଲୋକଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅର୍ଥରେ ରାଜ୍ୟ ସରକାର ବାହ ବାହା ନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ରାଜ୍ୟର ସମସ୍ତ ମେଡିକାଲ କଲେଜ ନିର୍ମାଣରେ କେନ୍ଦ୍ରସରକାର ୬୦ ଭାଗ ଅର୍ଥ ପ୍ରଦାନ କରନ୍ତି ବୋଲି ଶାସକ ବିଜେଡି ନେତା ମାନେ ଏହାକୁ ସ୍ୱୀକାର କରି ଲୋକମାନଙ୍କୁ ସଠିକ୍ ତଥ୍ୟ ଦେବାକୁ ଶ୍ରୀ ଷଡଙ୍ଗୀ କହିଛନ୍ତି ।
ପୁରୀଠାରେ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରି ପୁରୀବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାର କାର୍ଯ୍ୟ କରିବାକୁ ଶ୍ରୀ ଷଡଙ୍ଗୀ ଅନୁରୋଧ କରିଛନ୍ତି ।
ରାଜ୍ୟର ସାଢେ ୪ କୋଟି ଲୋକଙ୍କର ସ୍ୱାସ୍ଥ୍ୟ ସେବାକୁ ମୋଦି ସରକାର ଗୁରୁତ୍ୱ ଦେଇ ବାଲେଶ୍ୱର ଠାରେ ଏମ୍ସ ମେଡିକାଲ ସ୍ଥାପନା କରିଛନ୍ତି । ସେହିପରି ଜିଲ୍ଲାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ମଧ୍ୟ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରନ୍ତି ବୋଲି ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ କହିଛନ୍ତି ।
