Odisha news

ସଂଗରୋଧରୁ ଫେରି ମୃତ୍ୟୁ ଘଟଣା : ବାରିପଦାରେ ହେଲା ଶବ ସଂସ୍କାର

0

ବେତନଟୀ : ଗତକାଲି ବେତନଟୀ ବ୍ଲକର ଶାଳବଣୀ ସାମିଲ ନଣ୍ଡାଶୋଳ ପଞ୍ଚାୟତର ତାରାଶୋଳ ଭାଲୁବସା ଗ୍ରାମର ପରେଶଚନ୍ଦ୍ର ମହାନ୍ତଙ୍କର ଦେହାନ୍ତ ହୋଇ ଯାଇ ଥିଲା । ତେବେ ସେ ଗୁଜୁରାଟରୁ ଫେରିବା ପରେ ଗରୁଡବସା ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂଗରୋଧରେ ଥିଲେ ଓ ସେଠାରୁ ଫେରିବାର ତିନି ଦିନ ପରେ ତାଙ୍କର ସନେ୍ଦହ ଜନକ ମୃତ୍ୟୁ ଘଟି ଥିଲା । କରୋନା ଗୁଜବ ସନେ୍ଦହ କରି ସମ୍ପୂର୍ଣ୍ଣ ଗ୍ରାମରେ ଭୟର ବାତାବରଣ ଦେଖା ଦେଇ ଥିଲା ଓ ଦୀର୍ଘ ସମୟ ଧରି ଶବ ଘରର ଅଗଣାରେ ପଡି ବର୍ଷାରେ ଭିଜୁ ଥିଲେ ମଧ୍ୟ ତାକୁ କେହି ଛୁଇଁ ନଥିଲେ । ଏପରିକି ଜିଲ୍ଲା ପ୍ରଶାସନ ଜାଣିବା ପରେ ସ୍ୱର୍ଗରଥ ଏଠାରେ ମୃତ ଶରୀର ନେବାକୁ ପହଞ୍ଚି ଥିଲା ।

ଏହି ସ୍ୱର୍ଗ ରଥରେ କରୋନା ପ୍ରତିରୋଧକ ପୋଷାକ ପିନ୍ଧି କର୍ମଚାରୀ ମାନେ ଥିଲେ । ହେଲେ ସେମାନେ ମଧ୍ୟ ଶବ ଛୁଇଁବାକୁ କୁଣ୍ଠାବୋଧ କରି ଥିଲେ । ପରେଶଙ୍କ ଆତ୍ମୀୟ ମାନଙ୍କୁ ଡକା ଯାଇ ଥିଲା । ସେମାନେ ଖାଲି ହାତରେ ବିନା ପୋଷାକରେ ପରେଶଙ୍କ ମୃତ ଦେହକୁ ନେଇ ସ୍ୱର୍ଗରଥରେ ଚଢ଼ାଇ ଥିଲେ । ତେବେ ଏଥିରେ ସାଧାରଣ ସୁରକ୍ଷା ବାଧାପ୍ରାପ୍ତ ହେଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଗୋଟିଏ ପଟେ ପରେଶ ଗୁଜୁରାଟରୁ ଫେରି ଥିବାରୁ ତାର ମୃତ ଦେହକୁ ନେଇ ପ୍ରଶାସନ ସବୁ ପ୍ରକାର ପ୍ରତିଷେଧ ମୂଳକ କାର୍ଯ୍ୟକ୍ରମ କରି ଥିଲା । ଏପରିକି ଶବ ଉଠିବା ପରେ ବେତନଟୀ ଦମକଳ ବାହିନୀ ସମ୍ପୂର୍ଣ୍ଣ ଗ୍ରାମକୁ ବିଶୋଧନ କରି ଥିଲା ।

ଯଦିଓ ମୃତ ପରେଶର କରୋନା ପଜିଟିଭ ଚିହ୍ନଟ ହୋଇ ନାହିଁ ତେବେ ସନ୍ଦିଗ୍ଧ ସ୍ଥାନରେ ନିୟୋଜିତ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ ଛାଡି ସେଥିରେ ସାଧାରଣ ଲୋକଙ୍କୁ ବିନା ପୋଷାକରେ କାର୍ଯ୍ୟରେ ଲଗାଇବା ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିପଦପୂର୍ଣ୍ଣ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାବି ହେଉଛି । ନିଜକୁ କରୋନା ଯୋଦ୍ଧା ବୋଲି ବାହାବା ନେଉ ଥିବା କର୍ମଚାରୀ ମାନେ ଶବ ନଛୁଇଁବା ଓ ଶବ ବୋଝେଇ ପାଇଁ ସହଯୋଗ ନକରିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କୁହା ଯାଉଛି । ଅନ୍ୟ ପକ୍ଷରେ ଏହି ଘଟଣା ପରେ ଭାଲୁବସାର ଘରେ ଘରେ ବାଡ ବସି ଥିବାର ଦେଖା ଯାଇଛି । ଏମିତିକି ଏହି ଗ୍ରାମରେ ଥିବା ଖଡିଆ ବନବାସୀ ମାନେ ମଧ୍ୟ ନିଜ ଘରକୁ ବାହାର ଲୋକ ପ୍ରବେଶକୁ ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ସଦ୍ୟ କଟା ଯାଇ ଥିବା ବାଉଁଶ, କୁଣି, ବତାକୁ ନେଇ ବାଡ ବସାଇବା ଗ୍ରାମୀଣ ଲୋକ ମାନେ ଯେ କେତେ ଭୟଭୀତ ତାହା ପ୍ରତିପାଦିତ କରୁଛି । ପ୍ରଶାସନ ତରଫରୁ ଲୋକ ମାନଙ୍କୁ ବୁଝାଇବା ସହିତ ଆଶ୍ୱାସନା ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.