Odisha news

ବିଶ୍ୱ ପ୍ରଶିଦ୍ଧ ଘୋଷ ଯାତ୍ରା : ଚାଲିଛି ଚଉପଟ କାର୍ଯ୍ୟ, ଆଜି ଡ଼େରାଯିବ ଚକ

0

ପୁରୀ :ରଥଖଳାରେ ବିଶ୍ୱ ପ୍ରଶିଦ୍ଧ ଘୋଷ ଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ନିତ ହେବାରେ ଲାଗିଛି ।ଶନିବାର  ରଥଖଳାରେ ଚକ ଡେରାଯିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କ ଥର୍ମାଲ ସ୍କ୍ରନିଂ କରାଯାଇଥିଲା । କରତି ସେବକଙ୍କ ଦ୍ୱାରା ଚିହ୍ନଟ ହୋଇ ୩ରଥର ବଡ ପୋଲ ଗୟଳ ରଥଖଳାରେ ପହଞ୍ଚିବା ପରେ ଚଉପଟ କାର୍ଯ୍ୟ ଚାଲିଛି । ୩ରଥର ମଝିଲା ଓ ସାନ ପୋଲଗୟଳ ଏବଂ ଛନ୍ଦା ଗୟଳ କାଠ ଭୋଇ ସେବକମାନେ ରଥଖଳାରେ ପହଞ୍ଚାଇଛନ୍ତି ।

ମହାରଣା ସେବକମାନେ ବାରିସିରେ ସେଗୁଡିକୁ ଚଉପଟ କରୁଛନ୍ତି । ୩ରଥର ପୋଲଗୟଳ ଓ ଛନ୍ଦାଗୟଳ ଭିନ୍ନ ଭିନ୍ନ ଆକାରର । ଦେବଦଳନ ରଥରେ ୪ଟି ପୋଲଗୟଳ ଓ ୪ଟି ଛନ୍ଦା ଗୟଳ ଲାଗିଥାଏ । ବଡ ପୋଲ ଗୟଳର ଲମ୍ବ ୧୮ହାତ । ସେହିପରିି ବଡ ଛନ୍ଦା ଗୟଳର ଆକାର ୨୧ହାତ ହୋଇଥିବା ବେଳେ ୧୮ ହାତ ଲମ୍ବର ସାନଛନ୍ଦା ଗୟଳ ଲଗାଯାଇଥାଏ ।

ତାଳଧ୍ୱଜ ରଥରେ ୧୨ଟି ଗୟଳ ଲାଗିଥାଏ   । ସେଥିମଧ୍ୟରେ ୬ଟି ବଡ ପୋଲ ଗୟଳ ଓ ୬ଟି ସାନ ପୋଲ ଗୟଳ ଅର୍ନ୍ତଭୁକ୍ତ । ୨୨ହାତ ବିଶିଷ୍ଟ ୨ଟି ବଡ ପୋଲ ଗୟଳ ସାଢ଼େ ୧୮ହାତ ଲମ୍ବର ୨ଟି ମଝିଲା ପୋଲ ଗୟଳ ଓ ୧୭ହାତ ଲମ୍ବର ୨ଟି ସାନ ପୋଲ ଗୟଳ ତାଳଧ୍ୱଜ ରଥରେ ଲଗାଯାଏ । ତାଳଧ୍ୱଜ ରଥ ଭଳି ନନ୍ଦିଘୋଷ ରଥରେ ମଧ୍ୟ ମୋଟ ୧୨ଟି ଗୟଳ ଲାଗିଥାଏ । ବଡପୋଲ ଗୟଳର ଲମ୍ବ ୨୩ହାତ, ମଝିଲା ପୋଲ ଗୟଳର ଲମ୍ବ ୧୯ହାତ ଓ ସାନ ପୋଲ ଗୟଳର ଲମ୍ବ ୧୭ହାତ । ଏହି ଗୟଳରୁ ୨ଟି ଲେଖାଏଁ ରଥରେ ଲଗାଯାଏ । ସେହିପରି ବଡ, ମଝିଲା ଓ ସାନ ଛନ୍ଦା ଗୟଳ ୨ଟି ଲେଖାଏଁ ଲଗାଯାଇଥାଏ । ଏହାର ଆକାର ପୋଲ ଗୟଳ ଆକାର ସହ ସମାନ । ୩ରଥରେ ମହାରଣା ସେବକମାନେ ଗୟଳ ଲଗାଉଥିବା ବେଳେ ରୂପକାର ସେବକମାନେ ନାଟଗୋଡରେ  ରାହୁ ମୂର୍ତ୍ତି ଖୋଦେଇ କାର୍ଯ୍ୟ କରୁଛନ୍ତି ।

Leave A Reply