ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା, ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ଆଜି ମୟୂରଭଞ୍ଜ ଜିଲ୍ଲାରେ ୨୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କରୋନା ସଂଖ୍ୟା ୩୯୬କୁ ଛୁଇଁଛି । ବୁଧୁବାର ମୋଟ୍ ୨୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ସ୍ଥାନୀୟ ଅଞ୍ଚଳର ଓ ଜଣେ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ବଡସାହି ବ୍ଲକରୁ ୨ଜଣ, ଯଶିପୁର ବ୍ଲକରୁ ୪ଜଣ, ବେତନଟୀ ବ୍ଲକ ଓ ବାରିପଦା ପୌରାଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ର ଓ ହୋମ୍ କ୍ୱାରେଣ୍ଟାନ୍ରେ ରହୁଥିବା ୧୨ଜଣ କରୋନା ଆକ୍ରାନ୍ତ କପ୍ତିପଦା ଓ କରଞ୍ଜିଆ ବ୍ଲକରୁ ଜଣେ ଲେଖାଏଁ, ବିଜାତଳା ବ୍ଲକ ଓ ଶୁକୃଳି ବ୍ଲକରୁ ୪ଜଣ ଲେଖାଏଁ, ଯଶିପୁର ବ୍ଲକରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ହରିୟାନା, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ତାମିଲନାଡୁ, ଅନ୍ଧ୍ରପ୍ରଦେଶ, ରାଜସ୍ତାନ, ଝାରଖଣ୍ଡ ଓ ପଣ୍ଡିଚେରୀ ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୩୯୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୦୩ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।
