ଛତ୍ରପୁର,୧୮/୫ : ଓଡିଶା ଆନ୍ଧ୍ରା ସୀମାନ୍ତରେ ଥିବା ଗିରିସୋଲା ଗ୍ରାମର ସୁରକ୍ଷା ନିମନ୍ତେ ଓ ପଞ୍ଚାୟତ କେତକ ସମସ୍ୟା ନେଇ ସୋମାବାର ଗିରିସୋଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଡି.କ୍ରିଷ୍ଣା ରାଓ ଏବଂ ଗ୍ରାମବାସୀ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କରୋନା ସଂକ୍ରମଣ ସମୟରେ ଆପଣମାନେ ପୋଲିସ, ଡାକ୍ତର, ଶିକ୍ଷକ , ଦମକଳବାହିନୀ ଓ ଜିଲ୍ଲାପ୍ରଶାସନ ସମସ୍ତେ ଯୁଦ୍ଧ କାଳୀନ ଭିତ୍ତିରେ ଆମକୁ ସୁରକ୍ଷା ଦେଉଛନ୍ତି ।
ଗିରିସୋଲା ପଞ୍ଚାୟତ ଆନ୍ଧ୍ର ଓ ଓଡିଶା ସୀମାନ୍ତ ହୋଇଥିବାରୁ ଆନ୍ଧ୍ରରୁ ପ୍ରବାସୀ ମାନେ ହଜାର ହଜାର ସଂଖ୍ୟାରେ ଆସୁଛନ୍ତି ତାହା ଆପଣମାନଙ୍କୁ କଷ୍ଟ ଦେବାସହ ଆମମାନଙ୍କ ଭୟ ଆସଙ୍କା ବଢାଉଛି । ତେଣୁ ଏଥି ଲାଗି ଆନ୍ଧ୍ର ସୀମାନ୍ତରୁ ଆସୁଥିବା ପ୍ରବାସୀମାନେ ରହିବା ପାଇଁ ବ୍ୟାରିକେଡ୍ ନିର୍ମାଣ ଓ ଅଧିକ ପୋଲିସ ଦିଆଯାଉ । ସେମାନେ ଗାଁ ଭିତରେ ପ୍ରବେଶ କରିବା ଓ ପୋଖରୀରେ ଗାଧେଇବା ଇତ୍ୟାଦି ଆମପାଇଁ ଆଶଙ୍କା ଓ ବିପଦର କାରଣ । ଶହ ଶହ ସଂଖ୍ୟାରେ ଚାଲି ଚାଲି ଆସିବା ଓ ବସ୍ ରେ ଆସି ଜମାହେବା ପରେ ତନଖୀଫାଟକ ଠାରେ ଅଟକି ରହିନ୍ତି , ସେଠି ପିଇବା ପାଣିର ପର୍ଯ୍ୟାପ୍ତ ପରିମାଣ ବ୍ୟବସ୍ଥା କରାଯାଉ ।
ଗାଁ ସାରା ପ୍ରଦୂଷଣ ହେଲାଣି ନାଳ ନର୍ଦ୍ଦମା ଓ ପଲିଥିନ୍ ଜରି ଭରି ହୋଇ ରହିଛି ତେଣୁ ସାନିଟାଇଜେସନ କରାଯାଉ । ଏହି ପରିସ୍ଥିତିରେ ଗାଁ ଭିତରେ ଓ ବାହାରେ ଚାରୋଟି ନଳକୂପ ଖୋଳାଯାଉ । ଏହାସହ ଗାଁର ଓ ଲୋକଙ୍କ ସୁରକ୍ଷା ସହ ସୁବିଧା ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟ କରାଯାଉ ।ଜିଲ୍ଲାପାଳ ଶ୍ରୀ କୁାଲଙ୍ଗେ ସରପଞ୍ଚ ଓ ଗ୍ରାମବାସୀଙ୍କ ଠାରୁ ସମସ୍ତ ଶୁଣି ନିଜେ ବୁଲି ଦେଖିବି ବୋଲି ପ୍ରତିଶ୍ରୃତି ଦେଇଥିଲେ ।