ଭୁବନେଶ୍ୱର,୩ା୩ : ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ରେ ୨୫ତମ ସର୍ବଭାରତୀୟ ବନ ବିଭାଗ କ୍ରୀଡ଼ା ଉଦ୍ଘାଟିତ ହୋଇଯାଇଛି । ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଗଦେଇ ପ୍ରତିଯୋଗିତାର ପତାକା ଉତ୍ତୋଳନ କରିଥିଲେ ପରିବେଶ ସନ୍ତୁଳନ, ବନ୍ୟପ୍ରାଣୀ ସୁରକ୍ଷାରେ ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମ ଓ କାର୍ଯ୍ୟ ଦକ୍ଷତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ବନ ବିଭାଗ କ୍ରୀଡ଼ାରେ ସାରା ଦେଶରୁ ଏକତ୍ରିତ ହୋଇଥିବା ପାଖାପାଖି ୨୫୦୦ କର୍ମଚାରୀଙ୍କୁ କ୍ରୀଡ଼ା ରାଜଧାନୀ ଭୁବନେଶ୍ୱର ସ୍ୱାଗତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରତିଯୋଗିତା ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ (୩୭)ର ୨୪୭୧ ଜଣ କର୍ମଚାରୀ ୨୩ଟି କ୍ରୀଡା ପ୍ରତିଯୋଗିତାରେ ଭାଗn ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଛି । ଉଦ୍ଘାଟନୀ ଉତ୍ସବରେ ଅଲିମ୍ପିଆନ୍ ଗଗନ ନାରଙ୍ଗ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ତତ୍ତ୍ୱାବଧାନରେ
ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଢେର୍ ଅଗ୍ରଗତି କରିଛି । ଏପରି କି ଭୁବନେଶ୍ୱର ସାରା ଦେଶର କ୍ରୀଡ଼ା ରାଜଧାନୀ ହୋଇପାରିଛି । ରାଜ୍ୟ ସରକାରଙ୍କ କ୍ରୀଡ଼ା ଆଭିମୁଖ୍ୟ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସାଜିଛି ବୋଲି ଅଲିମ୍ପିଆନ୍ ନାରଙ୍ଗ କହିଛନ୍ତି ।