ଚଣ୍ଡୀଗଡ଼: ପଞ୍ଜାବରେ ଆମ୍ ଆଦମି ପାର୍ଟି କ୍ଷମତାକୁ ଆସିବାକୁ ଚାହଁଛି। ଦିଲ୍ଲୀ ପରେ ଏବେ ଆମ୍ ଆଦମି ପାର୍ଟିର ନଜର ପଞ୍ଜାବ ଉପରେ ରହିଛି। ଏଥିଲାଗି ଦଳ ପୁଣି ଥରେ ନିଜର ସ୍ଥିତିକୁ ଶକ୍ତିଶାଳୀ କରିବାକୁ ଚେଷ୍ଟା ଆରମ୍ଭ କରିଛି । ଗତ ତିନି ବର୍ଷ ମଧ୍ୟରେ ଦଳ ଠାରୁ ଅଲଗା ହୋଇଯାଇଥିବା ନେତାମାନଙ୍କୁ ପୁଣି ଥରେ ଏକାଠି କରିବାର ଉଦ୍ୟମ ଆରମ୍ଭ ହୋଇଛି । ଏହି କ୍ରମରେ ଦଳ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ନେତା ନବଜୋତ ସିଂ ସିଦ୍ଧୁଙ୍କ ଉପରେ ରଖିଛି କଡ଼ା ନଜର । ସିଦ୍ଧୁଙ୍କୁ ଦଳକୁ ଆଣିବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଅତି ଘନିଷ୍ଠ ତଥା ପଞ୍ଜାବ ଆପ୍ ପ୍ରଭାରୀ ଜେନେରାଲ ସିଂ ଉଦ୍ୟମ ଆରମ୍ଭ କରିଛନ୍ତି ।
ଦିଲ୍ଲୀର ତିଲକ୍ ନଗରର ବିଧାୟକ ଜେନେରାଲ ସିଂହଙ୍କୁ ପଞ୍ଜାବ ସଂଗଠନକୁ ଶକ୍ତିଶାଳୀ କରିବାର ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ ସିଦ୍ଧୁଙ୍କୁ ଆପ୍ ଆସିବାକୁ ଅଫର ଦେଇଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ସିଦ୍ଧୁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ନବଜୋତ ସିଂହ ସିଦ୍ଧୁ ଆମ୍ ଆଦମି ପାର୍ଟିରେ ଯୋଗ ଦେଲେ ସର୍ବପ୍ରଥମେ ତାଙ୍କୁ ସେ ସ୍ବାଗତ କରିବେ ବୋଲି ପଞ୍ଜାବ ଆପ୍ ମୁଖ୍ୟ ଭଗବନ୍ତ ମାନ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ରହିଛି। ଏଭଳି ସମୟରେ ନବଜୋତ ସିଂହ ସିଦ୍ଧୁ ଆମ୍ ଆଦମି ପାର୍ଟିରେ ଯୋଗ ଦେଲେ ତାହା ଦଳ ଲାଗି ଶୁଭଙ୍କର ହେବ।
ସିଦ୍ଧୁଙ୍କୁ ଏହି ପ୍ରସ୍ତାବ ଦେବା ନେଇ ପଞ୍ଜାବର କିଛି ବରିଷ୍ଠ ଆପ୍ ନେତା କିନ୍ତୁ ଅସନ୍ତୁଷ୍ଟ ଅଛନ୍ତି । ପୂର୍ବରୁ ସୁଚା ସିଂ ଛୋଟେପୁର, ଦଲଜିତ ସିଂ , ଗୁରପ୍ରୀତ ଘୁଗି, ଏଚଏସ୍ ଫୁଲ୍କା, ସୁଖପାଲ ଖେହରା, କୱଁର ସନ୍ଧୁ ଆଦି ଯେଉଁ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି ସେମାନଙ୍କୁ ଦଳକୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଦିଆଯିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି।