ଭୁବନେଶ୍ୱର,୪/୮ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ କୋଭିଡ ଯୋଦ୍ଧାମାନେ କୋଭିଡ ଯୁଦ୍ଧରେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ଓ ସେମାନଙ୍କ ବିଭାଗ ଦାୟିତ୍ୱରେ ରହିବେ । ଏ କ୍ଷେତ୍ରରେ ସାମାନ୍ୟତମ ଅବହେଳାକୁ ମଧ୍ୟ ବରଦାସ୍ତ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ହୋମ୍ରେ ପ୍ରଦାନ କରାଯାଉଥିବା ସମସ୍ତ ଚିକିତ୍ସା ଓ ସେବାର ମାନ ଉପରେ ସମସ୍ତେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ଆମ୍ବୁଲାନ୍ସ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆଣିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଏବେ ବି ମଧ୍ୟ ଗୃହ ସଂଗରୋଧ ସଂପର୍କରେ ବିଭିନ୍ନ ପ୍ରକାର ଭ୍ରାନ୍ତଧାରଣା ଲୋକଙ୍କ ମନରେ ରହୁଛି । ତେଣୁ ଏଥିପାଇଁ ଏକ ପ୍ରଭାବୀ ସୂଚନା, ମନୋରଂଜନ ଓ ସଂଚାର କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏହାକୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଅଧିକାରୀମାନଙ୍କ ସହିତ କୋଭିଡ ଯୁଦ୍ଧରେ ସଂପୂର୍ଣ୍ଣ ଭାବେ ସାମିଲ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତାକାଲି ରାଜ୍ୟରେ କୋଭିଡ ରୋଗରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାପର କାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଆସନ୍ତାକାଲି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।