ପାରାଦୀପ – ପାରାଦୀପରେ କୋଭିଡ-୧୯ ହସ୍ପିଟାଲ ଲୋକାର୍ପିତ ହୋଇଛି । ଆଜି ଭିଡିଓ କନ୍ଫରେନ୍ସିଂରେ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହାକୁ ଲୋକାର୍ପଣ କରିଛନ୍ତି । ଫଳରେ ଆଜିଠାରୁ ଏହି ହସ୍ପିଟାଲ କାର୍ଯ୍ୟକାରୀ ହୋଇଛି । ଏହି ସମୟରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସ୍ପି ପ୍ରକାଶ ରଙ୍ଗରାଜ, ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟା ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଏହି ହସ୍ପିଟାଲକୁ ଲୋକାର୍ପଣ କରାଯାଇଛି । ପାରାଦୀପ ବନ୍ଦର ଏଥିପାଇଁ ସମସ୍ତ ବ୍ୟୟ କରିଥିବାରୁ ଅଧ୍ୟକ୍ଷ ଶ୍ରୀ ରୟଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର କୃତଜ୍ଞତା ଜଣାଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ହସ୍ପିଟାଲରେ ୫୦ ଶଯ୍ୟା ସହ ୫ଟି ଆଇସିୟୁ ନିର୍ମାଣ କରାଯାଉଛି । ଏଠାରେ ରୋଗୀ ରହିବା ପରେ ଯଦି ଆବଶ୍ୟକ ପଡ଼େ, ତେବେ ଶଯ୍ୟା ସଂଖ୍ୟା ବଢ଼ାଇ ଦିଆଯିବ । ଏହାସହ ହସ୍ପିଟାଲରେ ୮ ଅଭିଜ୍ଞ ଡାକ୍ତର ଓ ୨୫ ପାରା ମେଡ଼ିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ହସ୍ପିଟାଲର ମୁଖ୍ୟ ଭାବେ ବିଜୁ ମେମୋରିଆଲ ହସ୍ପିଟାଲର ମୁଖ୍ୟ ବସନ୍ତ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନର ଏହି ହସ୍ପିଟାଲଟି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଳୀପ ମହାନ୍ତି ଓ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।