Odisha news

ଭାରତୀୟ ନ୍ୟାୟ ସଂହିତା ଭଳି ଯୁଗାନ୍ତକାରୀ ଆଇନ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନତା ଆବଶ୍ୟକତା : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

ଭୁବନେଶ୍ବର: ଲୋକସେବା ଭବନରେ ଗୁରୁବାର ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ସଚେତନତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଥିଲେ। ସେ କହିଥିଲେ, ଆଜିର ଦିନରେ ସାମାଜିକ ସ୍ତରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଭଳି ଯୁଗାନ୍ତକାରୀ ଆଇନ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନତା କରିବାର ବହୁ ଆବଶ୍ୟକତା ରହିଛି। ଲୋକଙ୍କୁ ଆହୁରି ଅଧିକ ସଚେତନ କରିବା ଏବଂ ଲୋକଙ୍କ ନିକଟରେ ନ୍ୟାୟ ବ୍ୟବସ୍ଥାକୁ ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି।

ଦେଶରେ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସ୍ଵଚ୍ଛ, ସରଳ ଏବଂ ନିରପେକ୍ଷ କରିବା ନିମନ୍ତେ ଆଇନ ବ୍ୟବସ୍ଥାରେ ବିଗତ ଦିନରେ କିଛି ମୌଳିକ ପରିବର୍ତ୍ତନ କରାଯାଇଛି। ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ସଂସଦରେ ତିନୋଟି ନୂତନ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ପାରିତ ହେବା ସହ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହି ତିନୋଟି ଆଇନ ଦେଶରେ କାର୍ଯ୍ୟକାରୀ ହୋଇଛି। ଯାହାଦ୍ଵାରା ଭାରତୀୟ ନ୍ୟାୟ ବ୍ୟବସ୍ଥା ୧୬୪ ବର୍ଷର ସାମ୍ରାଜ୍ୟବାଦ ମାନସିକତାରୁ ମୁକ୍ତ ହୋଇଛି। ଏହା ସାହାଯ୍ୟରେ ବିଶେଷ କରି ମହିଳା ଏବଂ ଶିଶୁମାନଙ୍କ ସ୍ଵାର୍ଥ ରକ୍ଷା ଏବଂ ନ୍ୟାୟ ପ୍ରଦାନକୁ ବିଶେଷ ଗୁରୁତ୍ଵ ଦିଆଯାଉଛି।

ଭାରତୀୟ ନ୍ୟାୟ ସଂହିତାରେ ସାଇବର ଅପରାଧକୁ ଏକ ସ୍ଵତନ୍ତ୍ର ଶ୍ରେଣୀଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଗତ ‘ମନ କି ବାତ’ କାର୍ଯ୍ୟକ୍ରମରେ ସାଇବର ଅପରାଧ ଏବଂ ‘ଡିଜିଟାଲ ଆରେଷ୍ଟ’କୁ ନେଇ ଲୋକଙ୍କୁ ସଚେତନ କରିଛନ୍ତି। ଏହିସବୁ ଅପରାଧକୁ ସଙ୍ଗବଦ୍ଧ ଅପରାଧ ଶ୍ରେଣୀଭୁକ୍ତ କରି ଦୋଷୀଙ୍କ ପାଇଁ କଠୋର ଦଣ୍ଡ ବିଧାନ ପାଇଁ ବ୍ୟବସ୍ଥା କରାଯାଉଛି।

ଲୋକଙ୍କ ସରକାର ମଧ୍ୟ ରାଜ୍ଯରେ ସ୍ବଚ୍ଛ ଏବଂ ତ୍ଵରିତ୍ଵ ନ୍ୟାୟ ପ୍ରଦାନକୁ ଗୁରୁତ୍ଵ ଦେଉଛନ୍ତି। ସବୁ ବ୍ଲକରେ ନ୍ୟାୟାଳୟ ପ୍ରତିଷ୍ଠା କରି ପୀଡ଼ିତଙ୍କୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରିବା ସହ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ। ଆମ ସମସ୍ତଙ୍କ ପ୍ରଚେଷ୍ଟା ଦ୍ଵାରା ଏକ ଅପରାଧ ମୁକ୍ତ ସୁରକ୍ଷିତ ସମାଜ ଗଠନ ସମ୍ଭବ ହେବ, ଏଥିପାଇଁ ଆମେ ସମସ୍ତେ ସଂକଳ୍ପ ନେବା।

Leave A Reply