୨୩ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ୩ଟି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋଟ ୫୫୬୭ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ, ୯୧୬୮ଟି କର୍ମନିଯୁକ୍ତି ସୃଷ୍ଟି ହେବ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାରଦିନ ମୋଟ ୫୫୬୭.୫ କୋଟି ଟଙ୍କା ମୂଲ୍ୟର ୨୬ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଗୁଡ଼ିକ ମଧ୍ୟରୁ ୩ଟି ପ୍ରକଳ୍ପ ଉଦଘାଟନ ହୋଇଥିବାବେଳେ ୧୩ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ଏହି ୩ଟି ପ୍ରକଳ୍ପରେ ମୋଟ ୭୦୯ କୋଟି ଟଙ୍କା ନିବେଶ ହୋଇଥିବାବେଳେ ଶିଳାନ୍ୟାସ ହୋଇଥିବା ୨୩ଟି ପ୍ରକଳ୍ପରେ ୪୮୫୮ କୋଟି ଟଙ୍କା ନିବେଶ ପ୍ରସ୍ତାବ ରହିଛି । ଏହି ୨୬ଟି ପ୍ରକଳ୍ପରେ ମୋଟ ୯୧୬୮ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦେଶର ଏକ ପ୍ରମୁଖ ଶିଳ୍ପକେନ୍ଦ୍ରରେ ପରିଣତ ହୋଇଛି । ଏସବୁ ନୂଆ ଶିଳ୍ପଗୁଡ଼ିକ ରାଜ୍ୟରେ ଶିଳ୍ପ ବିପ୍ଲବକୁ ତ୍ୱରାନ୍ଵିତ କରିବ । ଏସବୁ ଶିଳ୍ପସଂସ୍ଥାମାନଙ୍କୁ ସରକାର ସବୁପ୍ରକାରର ସୁବିଧା ଯୋଗାଇଦେବେ । ଉଦଘାଟିତ ହୋଇଥିବା ୩ଟି ପ୍ରକଳ୍ପ ହେଲେ ଆଦିତ୍ୟ ବିର୍ଲା ରିନେଓ୍ଵଲର ସୌର ଶକ୍ତି ପ୍ରକଳ୍ପ, ଜିନ୍ଦଲ ଷ୍ଟେନଲେସର କୋଲଡ ରୋଲିଂ ମିଲ ଓ ଏକେଏମ ଆଗ୍ରୋର ଖାଇବା ତେଲ ଉତ୍ପାଦନ କାରଖାନା ।