ରିୟାଦ୍: ରାଜଦ୍ରୋହ ଅଭିଯୋଗରେ ସାଉଦି କର୍ତ୍ତୃପକ୍ଷମାନେ ଦୁଇ ଜଣ ବରିଷ୍ଠ ଯୁବରାଜ ସମେତ ରାଜପରିବାରର ତିନିଜଣ ସଦସ୍ୟଙ୍କୁ ଅଟକ ରଖିଛନ୍ତି। ଏକଥା ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଗଣମାଧ୍ୟମ ରିପୋର୍ଟ କରିଛି।
ରାଜ ପରିବାରର ଅଟକ ସଦସ୍ୟମାନେ ହେଉଛନ୍ତି ରାଜା ସଲ୍ମନ୍ଙ୍କ ଭାଇ ଯୁବରାଜ ଅହମଦ ଅବ୍ଦୁଲାଜିଜ୍-ସାଉଦ୍, ରାଜାଙ୍କ ପୁତୁରା ଯୁବରାଜ ମହମଦ୍ ବିନ୍ ନାୟେଫ୍। ରାଜଦ୍ରୋହ ଅଭିଯୋଗରେ ସେମାନଙ୍କୁ ଶୁକ୍ରବାର ପ୍ରତ୍ୟୁଷରୁ କଳା ପୋଷାକ ପିନ୍ଧିଥିବା ଓ ମୁହଁ ଆବୃତ କରିଥିବା ରାଜ ପ୍ରହରୀମାନେ ସେମାନଙ୍କୁ ଘରୁ ହାଜତକୁ ନେଇଯାଇଛନ୍ତି। ସେମାନଙ୍କର ଘର ମଧ୍ୟ ତଲାସ କରାଯାଇଛି। କିନ୍ତୁ, ଏ ବିଷୟରେ ସାଉଦି ସରକାରୀ କର୍ତ୍ତୃପକ୍ଷମାନେ ହଠାତ୍ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ଗିରଫ ହୋଇଥିବା ତୃତୀୟ ବ୍ୟକ୍ତିଜଣକ ହେଉଛନ୍ତି ନାୟେଫ୍ଙ୍କ ସାନଭାଇ ଯୁବରାଜ ନଓ୍ଵାଫ୍ ବିନ୍ ନାୟେଫ୍।
ଏ ଦୁହିଁଙ୍କୁ ସାଉଦି ରାଜ ଅଦାଲତ ରାଜଦ୍ରୋହ ଅଭିଯୋଗରେ ଅଭିଯୁକ୍ତ କରାଇଛନ୍ତି। ରାଜା ଓ ଯୁବରାଜଙ୍କୁ ଗାଦିଚ୍ୟୁତ କରିବାକୁ କରିଥିବା ଷଡ଼ଯନ୍ତ୍ର ପାଇଁ ସେମାନଙ୍କୁ ଯାବଜ୍ଜୀବନ କାରାଦଣ୍ଡ କିଂବା ମୃତ୍ୟୁ ଦଣ୍ଡାଦେଶ ହୋଇପାରେ।