ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସାଇନ୍ସ ପାର୍କ ଉଦ୍ଘାଟିତ
ମା’ ସମଲେଶ୍ବରୀ ମନ୍ଦିରର ବିକାଶ ହେବ
ହୀରାକୁଦ ହେବ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ
ବରଗଡ଼/ସମ୍ବଲପୁର : ମଂଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଓ ସମ୍ବଲପୁର ଗସ୍ତ ବେଳେ କେତୋଟି ବଡ଼ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହିତ କିଛି ବଡ଼ ଘୋଷଣା କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ଖୁସି କରି ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ବରଗଡ଼ ସହର ଉପକଣ୍ଠର ଟୁକୁର୍ଲାଠାରେ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସାଇନ୍ସ ପାର୍କ ଉଦ୍ଘାଟନ କରିଥିବା ବେଳେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ସଂକ୍ଷିପ୍ତ ଉଦ୍ବୋଧନ ଦେଇ ବରଗଡ଼ରେ ଏକ କ୍ୟାନସର୍ ହସ୍ପିଟାଲ ନିଶ୍ଚିତ ସ୍ଥାପନ ହେବ ବୋଲି ଘୋଷଣା କରିଛନ୍ତି। ସେହିପରି ସମ୍ବଲପୁରର ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀ ସମଲେଶ୍ବରୀ ମନ୍ଦିରର ବିକାଶ ଏବଂ ହୀରାକୁଦକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କରିବା ଲାଗି ଖୁବଶୀଘ୍ର ବିଶେଷଜ୍ଞ ଦଳକୁ ପଠାଇବେ ଏବଂ ସେମାନଙ୍କ ରିପୋର୍ଟ ଆଧାରରେ ଅନୁଦାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।