ଭୁବନେଶ୍ୱର,(ନି.ପ୍ର) : ଝାଡ଼ପଡ଼ା ଜେଲରେ ଥିବା ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ହୋଟେଲ ସୋଲାନ ଇନ୍ର ମାଲିକ କମଳାକାନ୍ତ ଦାସ । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଖାରବେଳ ନଗର ପୋଲିସ ଗିରଫ କରିଥିଲା ।
ମୃତକଙ୍କ ପୁଅ କୌଶିକ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ବାପାଙ୍କର ଏକାଧିକ ରୋଗ ରହିଥିଲା । ଲିଭର ଏବଂ କିଡନୀ ରୋଗରେ ସେ ପୀଡ଼ିତ ଥିଲେ । ତଥାପି ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ । ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ସେ ଔଷଧ ଖାଇ ବଞ୍ଚୁଥିଲେ ।
ହେଲେ ଜେଲ୍ ଯିବାପରେ ମେଡିସିନ ଦେବାକୁ ଜେଲ କର୍ତ୍ତୃପକ୍ଷ ମନାକରିଥିଲେ । ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୌଶିକ ଦାବି କରିଛନ୍ତି ।
ସେହିପରି ମୃତକଙ୍କ ଓକିଲ ରଘୁନାଥ ଦାସ କହିଛନ୍ତି ଯେ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜଣେ ଲୋକର ଜୀବନ ଚାଲିଗଲା । ତେଣୁ ଆମେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବୁ ଓ କ୍ଷତିପୂରଣ ଦାବିକରିବୁ । ଝାରପଡା ଜେଲରେ ଜେଲର ମନମାନି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।